ଶ୍ରମଜୀବୀ ମଞ୍ଚ ପକ୍ଷରୁ ଶିକ୍ଷା ଅଭିଯାନ ଯାତ୍ରା

ରେଙ୍ଗାଲି :  ରାଜ୍ୟ ସ୍ତରୀୟ ଲୋକ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ପକ୍ଷରୁ ରାଜ୍ୟବ୍ୟାପୀ ୨୫ ଦିନିଆ ଶିକ୍ଷା ଅଭିଯାନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି ।  ନଭେମ୍ବର ୧୫ ବିର୍ସା ମୁଣ୍ତା ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଅନ୍ତର୍ଗତ ଦୁଇଟି ସଚେତନତା ରଥ ମାଲକାନଗିରି ଏବଂ ସୁନ୍ଦରଗଡରୁ ବାହାରି ପ୍ରାୟ ୨୦ ଦିନ ରାଜ୍ୟର ୨୫ ଟି ଜିଲ୍ଲାରେ ପ୍ରାୟ ୨୧୦୦ କିଲୋମିଟର ପରିଭ୍ରମଣ କଲାପରେ ଶେଷରେ ଭୁବନେଶ୍ଵରରେ ପହଞ୍ଚିବ ଏବଂ ଡିସେମ୍ବର ୧୦ ତାରିଖରେ ଏହି ଯାତ୍ରା ଉଦଯାପିତ ହେବ । ଆଜି ଅଭିଯାନର ଷଷ୍ଠ ଦିନରେ ଖିଣ୍ତା ଗାଁରେ  ଗୁଞ୍ଜରଣ ରଥ ପହଂଚିଥିଲା। ଗ୍ରାମବାସୀ ଏହାକୁ ସ୍ୱାଗତ କରିବା ସହିତ ବିଦ୍ୟାଳୟ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଥିଲା। ବିଦ୍ୟାଳୟରେ ସଭା କରି ଶିକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତ୍ତା ଦିଆଗଲା । ତାପରେ କତରବଗା ଗ୍ରା.ପ.ର କଦଲିପିଟା ଗ୍ରାମରେ ରଥ ପହଂଚିଥିଲା, ଗ୍ରାମବାସୀ ସ୍ୱାଗତ କରିଥିଲେ ଏବଂ ସଭା ଆଯୋଜନ କରିଥିଲେ।
ଏହି ଶିକ୍ଷା ଯାତ୍ରା ର ଉଦ୍ଦେଶ୍ୟ ହେଉଛି ଦୀର୍ଘ ୨୧ ମାସ ଧରି ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ପିଲା ମାନଙ୍କର ଶିକ୍ଷଣ ଓ ମାନସିକ ସ୍ଥିତି ସମ୍ପର୍କରେ ଅବଗତ ହେବା , ବିଦ୍ୟାଳୟ ଭିତ୍ତିଭୂମି ର ସ୍ଥିତି ଏବଂ ଆବଶ୍ୟକତା ଉପରେ ଅଧ୍ୟୟନ କରିବା, ଶିକ୍ଷାର ମହତ୍ଵ ବିଷୟରେ ସଚେତନତା କରିବା ଏବଂ ବିଶେଷ କରି ପିଲାମାନେ ବିଦ୍ୟାଳୟ ଖୋଲିଲା ପରେ କେମିତି ପୁନଃ ବିଦ୍ୟାଳୟକୁ ଆସିବେ ଏବଂ ପାଠପଢା ଜାରି ରଖିବେ ସେ ଦିଗରେ ଅଭିଭାବକ ଏବଂ  ଗ୍ରାମବାସୀ ମାନଙ୍କୁ ସଚେତନ କରିବା।
ଏତଦ ବ୍ୟତୀତ ପିଲାମାନଙ୍କର ମାନସିକ ସ୍ଥିତି, ଶିକ୍ଷକ ମାନଙ୍କର ଆହ୍ଵାନ , ବିଦ୍ୟାଳୟ ପରିଚାଳନା ସମିତି ର ସଦସ୍ୟ/ସଦସ୍ୟାମାନଙ୍କ ପ୍ରତି ଥିବା ଆହ୍ଵାନ ଉପରେ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରି ଏ ଦିଗରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବା ହେଉଛି ଏହି ଶିକ୍ଷା ଯାତ୍ରା ର ପ୍ରମୁଖ ଉଦ୍ଦେଶ୍ୟ। ଏଥିରେ ମହିଳା ସଂଗ୍ରାମ ସମିତି ସଂଗଠନର କାର୍ଯ୍ୟକର୍ତ୍ତା ପରଦେଶୀ ମିର୍ଦ୍ଧା, ଉପେନ୍ଦ୍ର କୁମାର ମହାନନ୍ଦ, ଅନିରୁଦ୍ଧ ମରେଇ ,ପୁଷ୍ପାଞଲି ନାଗ, ସରୋଜିନୀ କାଲୋ ଏବଂ ପଙ୍କଜିନି ବାଗ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Comments are closed.