ଗୁଜରାଟ ମୁଖ୍ୟମନ୍ତ୍ରୀ ଗଢ଼ିଲେ ନୂଆ ମନ୍ତ୍ରୀମଣ୍ଡଳ; ନୂଆ ଚେହେରାଙ୍କୁ ମିଳିଲା ସୁଯୋଗ

ବଦଳିଲେ ବାଚସ୍ପତି

ଅହମ୍ମଦାବାଦ: ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ତାଙ୍କର ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। ଏଥିରେ ବାଚସ୍ପତିଙ୍କୁ ବଦଳି କରାଯାଇଥିବାବେଳେ ସମସ୍ତ ପୁରୁଣା ମନ୍ତ୍ରୀଙ୍କୁ ପରିବର୍ତ୍ତନ କରାଯାଇ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯାଇଛି।ଗୁଜରାଟ ବିଜେପିର ମୁଖ୍ୟମନ୍ତ୍ରୀ ବଦଳିବା ପରେ ଏବେ ବଦଳିଛି ପୂରା ମନ୍ତ୍ରିମଣ୍ଡଳ। ଏବେ ଏଠାରେ ବିଜେପି ନୂଆ କରି ମନ୍ତ୍ରିମଣ୍ଡଳ ଗଢ଼ିଛି। ପୂର୍ବରୁ ଥିବା ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ହଟାଯାଇ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯାଇଛି। କେବଳ ଏତିକି ନୁହେଁ ବିଧାନସଭାର ବାଚସ୍ପତି ମଧ୍ୟ ବଦଳିଛନ୍ତି। ନିମାବେନ ଆଚାର୍ଯ୍ୟ ଗୁଜୁରାଟ ବିଧାନସଭାର ନୂତନ ବାଚସ୍ପତି ହୋଇଛନ୍ତି। ଭାରତୀୟ ରାଜନୀତିରେ ପ୍ରଥମ ଥର ପାଇଁ ଗୁଜୁରାଟରେ ବିଜେପି ଏହି ପରୀକ୍ଷଣ କରିଛି।
ଭୂପେନ୍ଦ୍ର ପଟେଲ ସରକାରଙ୍କ କ୍ୟାବିନେଟରେ ମୋଟ ୨୪ଜଣ ନେତା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି, ଯେଉଁଥିରେ ୧୦ଜଣ କ୍ୟାବିନେଟ ଏବଂ ୧୪ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୧୦ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତିି, ରାଜେନ୍ଦ୍ର ତ୍ରିବେଦୀ, ଜିତୁ ବାଘାନି, ରାଘବ ପଟେଲ, ପୂର୍ଣ୍ଣେଶ ମୋଦୀ, ନରେଶ ଭାଇ ପଟେଲ, ପ୍ରଦୀପ ସିଂ ପରମାର, ଅର୍ଜୁନ ସିଂ ଚୌହାନ, ଋଷିକେଶ ପଟେଲ, କାନୁଭାଇ ଦେଶାଇ ଏବଂ କିରିତ ସିଂ ରାଣା କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
ସେହିଭଳି ହର୍ଷ ସାଙ୍ଗବି, ବ୍ରିଜେଶ ମର୍ଜା, ମନୀଷା ବକିଲ, ଜଗଦୀଶ ପଞ୍ଚାଲ, ଜିତୁ ଭୋ ଚୌଧରୀ, ନିମିଶାବେନ ସୂତାର, ମୁକେଶ ପଟେଲ, ଅରବିନ୍ଦ ରୈୟାନୀ, କୁବେରଭାଇ ଡିନ୍ଦୋର, କୀର୍ତ୍ତି ସିଂ ବାଘେଲା, ଗଜେନ୍ଦ୍ର ସିଂ ପରମାର, ଦେବା ମଲାମ, ଆରସି ମକୱାନା ଓ ବିନୋଦ ମୋରାଡିଆ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆସନ୍ତା ବର୍ଷ ଅକ୍ଟୋବର-ନଭେମ୍ବରରେ ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ନୂଆ ଚେହେରାକୁ ଆଣିବା ପରେ ବିଜେପିକକୁ କେଉଁ ଲାଭ ମିଳୁଛି, ତାହା ଦେଖିବାକୁ ବାକି ରହିଲା।

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ନେତା ଭୂପେନ୍ଦ୍ର ପଟେଲ। ସୋମବାର ଗୁଜରାଟ ଗାନ୍ଧିନଗର ସ୍ଥିତ ରାଜଭବନରେ ଆୟୋଜିତ ଏକ ସମାରୋହରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.