ଗଞ୍ଜାମରେ ବି ଜିଏସଟି ଠକେଇ ଚେର: ଖିଲାପୀ ୪୩ ଠିକାଦାରଙ୍କୁ ନୋଟିସ

ବ୍ରହ୍ମପୁର: ସରକାରଙ୍କ ଠାରୁ ଟଙ୍କା ନେଉଛନ୍ତି । ହେଲେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ଦାଖଲରେ ଅବହେଳା କରୁଛନ୍ତି । ଏଭଳି ଅଭିଯୋଗରେ ଏବେ କାର୍ଯ୍ୟାନୁଷ୍ଠାନର ସମ୍ମୁଖିନ ହେବାକୁ ଯାଉଛନ୍ତି ୪୩ଜଣ ଠିକାଦାର । ଜିଏସ୍‌ଟି ରିଟର୍ଣ୍ଣ ଦାଖଲ କରିନଥିବା ଯୋଗୁ ୪୩ ଠିକାଦାରଙ୍କ ବିଲ୍‌ ଅଟକିବାର ଆଶଙ୍କା ପ୍ରକାଶ ପାଇଛି।

ଏପରିକି ପରବର୍ତ୍ତୀ ସମୟରେ ସେମାନଙ୍କ ଲାଇସେନ୍ସ ଜବତ ସହ ସଂପତ୍ତି ମଧ୍ୟ ବାଜ୍ୟାପ୍ତି ହୋଇପାରେ । ଏନେଇ ବିଭିନ୍ନ ବିଭାଗକୁ ଚିଠି ଲେଖିଛି ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବା କର(ସିଟି ଆଣ୍ଡ ଜିଏସ୍‌ଟି) ମଣ୍ଡଳ, ଗଞ୍ଜାମ-୧ । ବିଲ୍‌ ଦାଖଲ ପୂର୍ବରୁ ଠିକାଦାରଙ୍କ ଜିଏସ୍‌ଟି ରିଟର୍ଣ୍ଣ ଯାଞ୍ଚ କରିବାକୁ କୁହାଯାଇଛି । ଏଭଳି କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ ଠିକାଦାରଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି । ରିଟର୍ଣ୍ଣ ଦାଖଲ ପାଇଁ ଠିକାଦାରମାନେ ତତ୍ପର ହୋଇପଡ଼ିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଠିକାଦାରମାନେ ବିଭିନ୍ନ ବିଭାଗ ଅଧିନରେ ଉନ୍ନୟନମୂଳକ କାର୍ଯ୍ୟ କରିବା ପରେ ବିଲ୍‌ ଦାଖଲ କରିଥାନ୍ତି । ବିଲ୍‌ ପାସ୍‌ ହେବା ପରେ ଠିକାଦାରଙ୍କୁ ଉକ୍ତ କାର୍ଯ୍ୟର ପ୍ରାପ୍ୟ ମିଳିଥାଏ । ତେବେ ନିୟମ ରହିଛି, ପ୍ରାପ୍ୟ ମିଳିବା ପରେ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ କରିବାକୁ ହେବ । ପ୍ରତି ମାସରେ ସେହି ମାସର ରୋଜଗାର ଅନୁଯାୟୀ ଜିଏସ୍‌ଟି ଦାଖଲ କରିବାକୁ ହୋଇଥାଏ । କିନ୍ତୁ ଏଥିରେ ଠିକାଦାରମାନେ ଅବହେଳା କରୁଛନ୍ତି । ନିୟମିତ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ କରୁନାହାନ୍ତି । ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ।

ସିଟି ଆଣ୍ଡ ଜିଏସ୍‌ଟି ତରଫରୁ ନିୟମିତ ସେମାନଙ୍କୁ ଏନେଇ ଅବଗତ କରାଯାଉଛି । ଜିଏସ୍‌ଟି ରିଟର୍ଣ୍ଣ ଦାଖଲ କରିବାକୁ ବାରମ୍ବାର ଚେତାବନୀ ଦିଆଯାଉଛି । ତଥାପି ଠିକାଦାରମାନେ କର୍ଣ୍ଣପାତ କରୁ ନାହଁାନ୍ତି। କୌଣସି ପ୍ରକାର ବ୍ୟବସାୟ ହୋଇନଥିଲେ ନିଲ୍‌ ରିଟାର୍ଣ୍ଣ ଦାଖଲ କରିବାକୁ ହୋଇଥାଏ । ଠିକାଦାରମାନେ ଏହାକୁ ମଧ୍ୟ ଅବହେଳା କରୁଛନ୍ତି । ଜିଏସ୍‌ଟି ଆକ୍ଟ ଅନୁଯାୟୀ ନିୟମିତ ବ୍ୟବଧାନରେ ଏଭଳି ଖିଲାଫି ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କିନ୍ତୁ ସେମାନଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସୁନି ।

ଅପରପକ୍ଷେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଠିକାଦାରମାନେ ନିୟମିତ ସରକାରଙ୍କ ଠାରୁ ବିଲ୍‌ ନେଇ ଯାଉଛନ୍ତି । ଏଭଳି ୪୩ଜଣ ଖିଲାଫି ଠିକାଦାରଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକା ଅନୁଯାୟୀ, ଏପ୍ରିଲ୍‌ ପୂର୍ବରୁ ୧୧ଜଣ, ଏପ୍ରିଲ୍‌ ଠାରୁ ସେପ୍ଟେମ୍ବର ମଧ୍ୟରେ ୧୪ଜଣ ଏବଂ ଅକ୍ଟୋବରରେ ୧୮ଜଣ ଠିକାଦାର ଜିଏସ୍‌ଟି ରିଟର୍ଣ୍ଣ ଦାଖଲରେ ଖିଲାଫ୍‌ କରିଛନ୍ତି । ଆଗାମୀ ଦିନରେ ଖିଲାଫି ଠିକାଦାରଙ୍କ ବିଲ୍‌ ପାସ୍‌ କରିବା ପୂର୍ବରୁ ସେମାନଙ୍କ ଜିଏସ୍‌ଟି ଏବଂ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ହୋଇଛି କି ନାହିଁ, ଜିଏସ୍‌ଟି ନମ୍ବର ଚାଲୁ ଅଛି କି ନାହିଁ, ତାହାର ଯାଞ୍ଚ କରିବାକୁ ସିଟି ଆଣ୍ଡ ଜିଏସ୍‌ଟି ଗଞ୍ଜାମ-୧ ତରଫରୁ ରାସ୍ତା ଓ କୋଠାବାଡି ଡିଭିଜନ୍‌-୧ ଏବଂ ଡିଭିଜନ୍‌-୨ର ନିର୍ବାହୀ ଯନ୍ତ୍ରୀ, ବ୍ରହ୍ମପୁର ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ, ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ୍‌-୧ ଏବଂ ଡିଭିଜନ୍‌-୨, ସାଉଥ୍‌କୋ ୟୁଟିଲିଟିର ପ୍ରଶାସକ ଏବଂ ବ୍ରହ୍ମପୁର ମହାନଗର ନିଗମର କମିଶନର୍‌ଙ୍କୁ ଚିଠି ଲେଖାଯାଇଛି ।

ଏନେଇ ସିଟି ଆଣ୍ଡ ଜିଏସ୍‌ଟିର ଉପଆୟୁକ୍ତ ଦୀପକ କୁମାର ପଣ୍ଡାଙ୍କ କହିବା ପ୍ରକାରେ ଠିକାଦାରମାନେ ସରକାରଙ୍କ ଠାରୁ ବିଲ୍‌ ନେଉଥିଲେ ମଧ୍ୟ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ କରିବାରେ ଅବହେଳା କରୁଛନ୍ତି । ସରକାରଙ୍କ ରାଜସ୍ବ କ୍ଷତି ହେଉଛି । ଏଣୁ ୪୩ଜଣ ଠିକାଦାରଙ୍କୁ ପ୍ରାରମ୍ଭିକ ନୋଟିସ୍‌ ଦିଆଯାଇଛି। ଯଦି ସେମାନେ ରିଟର୍ଣ୍ଣ ଦାଖଲ ନ କରନ୍ତି, ତେବେ ସେମାନଙ୍କ ବିରୋଧରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ ପ୍ରଥମେ ଡିମାଣ୍ଡ ନୋଟିସ୍‌ ପଠାଯିବ । ଏଥିରେ ଖିଲାଫ କଲେ ପରବର୍ତ୍ତୀ ସମୟରେ ସେମାନଙ୍କ ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତି ହୋଇପାରେ ବୋଲି ସେ ପ୍ରକାଶ କରିଛନ୍ତି ।

Comments are closed.