ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟକୁ କେନ୍ଦ୍ର ଦେବ ୯୭ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାର ରାଜ୍ୟକୁ ପଇଠ କରିବେ ବକେୟା ଅର୍ଥ । କେନ୍ଦ୍ର ସରକାର ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟଗୁଡ଼ିକୁ ତତ୍କାଳ ୯୭ ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ଏହାବ୍ୟତୀତ ଅତିରିକ୍ତ ରାଶି ପ୍ରଦାନ ନିମନ୍ତେ କିଛି ସମୟ ନିଆଯିବ । ଜିଏସଟି କାଉନସିଲ ଏ ସମ୍ପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ । ଜିଏସଟି କ୍ଷତିପୂରଣ ପ୍ରଦାନରେ ବିଳମ୍ବ ନେଇ କିଛି ରାଜ୍ୟ ପ୍ରଶ୍ନ ଉଠାଇବା ପରେ କେନ୍ଦ୍ର ସରକାର ଏପରି ବୟାନ ଜାରି କରିଛନ୍ତି । ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।  ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଗତ ସପ୍ତାହରେ ବିଭିନ୍ନ ରାଜ୍ୟର ଅର୍ଥ ସଚିବମାନଙ୍କ ସହ ବୈଠକ କରିଛନ୍ତି । ‘‘ମିଣ୍ଟ’’ରେ ପ୍ରକାଶିତ ଖବର ଅନୁସାରେ ସରକାର ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ଭରଣା ପାଇଁ ପେ-ଆଉଟ୍ ଫଣ୍ଡ  ଆଧାରରେ କରଜ ନେବା ପାଇଁ ବିକଳ୍ପ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ସରକାର କରଜ ନେଇ ରାଜ୍ୟକୁ ପ୍ରଦାନ କଲେ ଏହାର ନକରାତ୍ମକ ପ୍ରଭାବ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ପଡ଼ିବାର ଆଶଙ୍କା ରହିଛି । ବିଦେଶୀ କମ୍ପାନୀଗୁଡ଼ିକ ଭାରତରେ ନିବେଶ ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି, କେନ୍ଦ୍ର ସରକାର ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ ପ୍ରୟାସ କରୁଛନ୍ତି । ଏହି ସ୍ଥିତିରେ ରାଜ୍ୟ ପାଇଁ କରଜ କରିବା କେନ୍ଦ୍ର ସରକାରଙ୍କ ପାଇଁ ଅନୁକୂଳ ହେବ ନାହିଁ । ତେଣୁ କେନ୍ଦ୍ର ଏପରି ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁ ନାହିଁ ।  ରାଜ୍ୟଗୁଡ଼ିକୁ ଋଣ ଦେବା ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରୁଛନ୍ତି । ଏକ ସ୍ବତନ୍ତ୍ର ବାତାୟନ ଜରିଆରେ ଏହି ଋଣ ପ୍ରଦାନ କରାଯିବ । ଏହି ଋଣ ସହ ସେସ୍ ଆଦାୟ ସଂଯୋଗ କରାଯିବ ଏବଂ ଋଣ ପଇଠ କରିବା ମଧ୍ୟ ସହଜ ହୋଇପାରିବ । ରାଜ୍ୟ ବଜେଟ୍ ଉପରେ ଏହାର କୌଣସି ନକରାତ୍ମକ ପ୍ରଭାବ ପଡ଼ିବ ନାହିଁ । ମାତ୍ର ପଞ୍ଜାବ, ଦିଲ୍ଲୀ, କେରଳ, ତେଲଙ୍ଗାନା, ପଶ୍ଚିମବଙ୍ଗ ପରି କିଛି ଅଣ ବିଜେପି ଶାସିତ ରାଜ୍ୟ କେନ୍ଦ୍ର ସରକାରଙ୍କ ଏହି ପରାମର୍ଶ ମାନିବାକୁ ପ୍ରସ୍ତାବ ନାହାନ୍ତି । ସେମାନେ ସେମାନଙ୍କର ପାଉଣା ସିଧାସଳଖ କେନ୍ଦ୍ର ସରକାର ପ୍ରଦାନ କରୁ ବୋଲି ଦାବି କରିଛନ୍ତି।

Comments are closed.