ଭୁବନେଶ୍ବରରେ ଖଟ ତଳେ ଲୁଚିଥିଲେ ଜିଏସଟି ଠକର ସହ ମୁଖିଆ, କବାଟ ଭାଙ୍ଗି ଗିରଫ କଲା ସ୍ବତନ୍ତ୍ର ଟିମ୍

ରାଉରକେଲା : ପ୍ରାୟ ୩୦୦ କୋଟି ଜିଏସ୍‍ଟି ଠକେଇ ମାଷ୍ଟର ମାଇଣ୍ଡ କାଶ୍ମିରା ଅଗ୍ରୱାଲଙ୍କ ମୁଖ୍ୟ ସହଯୋଗୀ ସନ୍ଦୀପ ମହାନ୍ତି ଶେଷରେ ଧରାପଡ଼ିଛନ୍ତି। ସନ୍ଦୀପ ବର୍ଷେ ହେଲା ଜିଏସ୍‍ଟି ଅଧିକାରୀଙ୍କ ଆଖିରେ ଧୂଳି ଦେଇ ଲୁଚି ବୁଲୁଥିଲେ। ଶେଷରେ ଗତକାଲି ସେ ଭୁବନେଶ୍ୱରରୁ ଧରା ପଡ଼ିଛନ୍ତି। କୋର୍ଟରେ ଜାମିନ ଖାରଜ ହୋଇ ଯିବାର ସନ୍ଦୀପ ଏବେ ଝାଡ଼ପଡ଼ା ଜେଲରେ ଅଛନ୍ତି। ରାଉରକେଲାରେ ଜିଏସ୍‍ଟି ଠକେଇରେ ସଂପୃକ୍ତି ଥିବା ସନ୍ଦୀପଙ୍କୁ ଜେରା କରିବା ପାଇଁ ଏଠାରୁ ଏକ ଟିମ୍‍ ଭୁବନେଶ୍ୱର ଯାଉଥିବା ସୂଚନା ମିଳିଛି।

ସନ୍ଦୀପ ସେକ୍ଟର-୮ରେ ରହୁଥିଲେ। ସେ ବିଭିନ୍ନ କମ୍ପାନୀରେ ଇନ୍‍ସ୍ୟୁରାନ୍ସ ଏଜେଣ୍ଟ ଥିଲେ। ଏହା ସହିିତ ମାଇକ୍ରୋ ଫାଇନାନ୍ସ ଓ ଏସ୍‍ଏଚ୍‍ଜି ଭଳି ସଂସ୍ଥା ସହିତ  ଜଡ଼ିତ ରହିଥିଲେ।  ରାଉରକେଲାରେ ପିଲା ବେଳ କଟି ଥିବାରୁ ସେ ବହୁ ଲୋକଙ୍କ ସମ୍ପର୍କରେ ଆସିଥିଲେ। ଯାହାକି ତାଙ୍କୁ ଜିଏସ୍‍ଟି ଠକେଇ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ୨୦୧୭ ଜୁଲାଇ ମାସରେ ଦେଶରେ ଗୁଡ୍ସ ଏଣ୍ଡ ସର୍ଭିସ ଟ୍ୟାକ୍ସ (ଜିଏସ୍‍ଟି) ଲାଗୁ ହେଲା ପରେ ଟିକସ ଚୋରି କରିବା ପାଇଁ ବିଧିବଦ୍ଧ ଯୋଜନା ହୋଇଥିଲା। କାଶ୍ମିରା ଅଗ୍ରୱାଲ ସେକ୍ଟର-୭ରେ ରହୁଥିଲେ। ସନ୍ଦୀପ ଓ କାଶ୍ମୀରା ପାଖାପାଖି ରହୁଥିବାରୁ ସେମାନଙ୍କ ଭିତରେ ଘନିଷ୍ଠ ସମ୍ପର୍କ ରହିଥିଲା। ଜିଏସ୍‍ଟି ଠକିବା ପାଇଁ କାଶ୍ମୀରା ଯୋଜନା କରିଥିଲେ। ତାଙ୍କ ଯୋଜନାକୁ ସାକାର କରିବାରେ ସନ୍ଦୀପ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କାଶ୍ମୀରା ଅଗ୍ରୱାଲ ୧୩ଟି ଜାଲ ସଂସ୍ଥା ଚଳାଉଥିଲା। ୧୩ଟି ଜାଲ ସଂସ୍ଥାରୁ କାଶ୍ମୀରା ଅନ୍ୟ ୭୩ଟି ସଂସ୍ଥାକୁ ଫେକ୍‍ ବିଲ ବିକ୍ରି କରି ପ୍ରାୟ ୩୦୦ କୋଟି ଟଙ୍କାର ଜିଏସ୍‍ଟି ହଡ଼ପ କରିଛନ୍ତି। ଏସବୁ ଜାଲ ସଂସ୍ଥା ଖୋଲାଇବାରେ ସନ୍ଦୀପ ମୁଖ୍ୟ କାର୍ପଟଦାର ଥିଲେ।

ବିଭିନ୍ନ ଲୋକଙ୍କୁ ବେକାର ଯୁବକ ଯୁବତୀମାନଙ୍କୁ ଚାକିରୀ ତ କାହାକୁ ବ୍ୟାଙ୍କରୁ ଲୋନ କରାଇ ଦେବାକୁ କହି ସନ୍ଦୀପ ସେମାନଙ୍କ ଶିକ୍ଷାଗତ ସାର୍ଟିଫିକେଟ, ଫଟୋ, ଆଧାର କାର୍ଡ଼, ପ୍ୟାନ କାର୍ଡ଼ ଆଦି ସଂଗ୍ରହ କରୁଥିଲେ। ଏସବୁ କାଗଜପତ୍ର ମିିଳିଲା ପରେ ସନ୍ଦୀପ ଓ କାଶ୍ମୀରା ପ୍ରଥମେ ଜିଏସ୍‍ଟି ନମ୍ବର ହାସଲ କରୁଥିଲେ। ଜିଏସ୍‍ଟି ନମ୍ବର ଆସିଗଲା ପରେ ଜାଲ କମ୍ପାନୀ ଖୋଲି ସେମାନଙ୍କ ନାଁରେ ବ୍ୟାଙ୍କରେ ଏକାଉଣ୍ଟ ଖୋଲି ଦେଉଥିଲେ। ବାଲୁଘାଟ ବସ୍ତିର ଚା ଦୋକାନ ସହିତ ଅଟୋ ଚଳାଉଥିବା ସନ୍ତୋଷ ସାହୁ ଓ ତାଙ୍କ ପତ୍ନୀ କବିତା ସାହୁ, ଅଜୟ ରାମ ଓ ଝୁନୁ ପ୍ରଧାନଙ୍କୁ ମାସିକ ୧୫ରୁ୨୦ ହଜାର ଟଙ୍କାର ଚାକିରୀ କରାଇ ଦେବାକୁ କହି ସେମାନଙ୍କଠାରୁ ଆଧାର, ପାନ, ଫଟୋ ସମେତ ଅନ୍ୟାନ୍ୟ କାଗଜପତ୍ର ନେଇ ଯାଇଥିଲେ।

ସନ୍ତୋଷ ନାଁରେ ସନ୍ତୋଷ ଟ୍ରେଡର୍ସ, କବିତା ନାଁରେ କବିତା ଏଣ୍ଟରପ୍ରାଇଜେସ୍‍, ଝୁନୁ ପ୍ରଧାନ ନାଁରେ ତ୍ରିନାଥ ଟ୍ରେଡର୍ସ ଓ ଅଜୟ ନାଁରେ ୟୁନିକ୍‍ ଟେଡର୍ସ ଫାର୍ମ ଖୋଲିବାରେ ସଫଳ ହୋଇଥିଲେ। ତା’ରେ କାଶ୍ମିରା ଏହି ଚାରି ଜଣଙ୍କୁ ରାୟପୁରର ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‍ ଇଣ୍ଡିଆକୁ ନେଇ ସେଠାରେ ଏକାଉଣ୍ଟ ଖୋଲାଇ ଥିଲେ। ତା’ ପରେ ସେମାନଙ୍କ କମ୍ପାନୀରେ ୧୫/୨୦ କୋଟିର କାରବାର କରିଥିଲେ। ସେହିପରି ବାସନ୍ତୀ କଲୋନୀ ସମୀର ଯୋଯୋ ନାମକ ଜଣେ ପାଣି ପାଇପ୍‍ ମିସ୍ତ୍ରୀଙ୍କୁ ଆର୍‍ଏସ୍‍ପି ଚାକିରୀ କରାଇ ଦେବାକୁ କହି ସମସ୍ତ କାଗଜପତ୍ର ହାତେଇ ଥିଲେ। ସେକ୍ଟର-୧୮ର ସପ୍‍ ନମ୍ବର-୭୧ ଠିକଣାରେ ଥିବା ସାଇ ଟେଡର୍ସ ସଂସ୍ଥାର ସମୀରଙ୍କୁ ମାଲିକ ଦର୍ଶାଇଥିଲେ। ସମୀରଙ୍କ ନାଁରେ ବ୍ୟାଙ୍କରେ ଏକାଉଣ୍ଟ ଖୋଲି ୭୦ କୋଟି କାରବାର ଘଟଣାରେ ସନ୍ଦୀପର ସହଯୋଗ ରହିଥିଲା। ଏଭଳି ଶତାଧିକ ଲୋକଙ୍କ କାଗଜପତ୍ର ଚୋରି କରି ସନ୍ଦୀପ କାଶ୍ମୀରା ସମେତ ଅନ୍ୟ କେତେକ ଜିଏସ୍‍ଟି ମାଫିଆଙ୍କୁ ହସ୍ତାନ୍ତର କରୁଥିଲେ। ଗୋଟିଏ ଗୋଟିଏ ଡକ୍ୟୁମେଣ୍ଟ ବାବଦରେ ସେ ୧୫ରୁ ୨୦ ହଜାର ଟଙ୍କା ପାଉଥିଲେ।

। ଦେବଗଡ଼ ଜିଲା ରିଆମାଳ ଅଞ୍ଚଳର ୫ ଜଣ କଲେଜ ଛାତ୍ରଙ୍କୁ ରାଉରକେଲାରେ ଚାକିରୀ କରାଇ ଦେବାକୁ କହି ଡକ୍ୟୁମେଣ୍ଟ ହାସଲ କରି ଜାଲ କମ୍ପାନୀ ଖୋଲିଥିବା ସୂଚନା ରହିଛି। ସେହିପରି ପାଲଲହଡ଼ା, ସୁନ୍ଦରଗଡ଼ର ବହୁ ବେକାରୀ ଯୁବକ ଯୁବତୀଙ୍କ ଡକ୍ୟୁମେଣ୍ଟ ହାସଲ କରି ଜିଏସ୍‍ଟି ଠକେଇ କାମରେ ଲଗାଇଥିବା ସୂଚନା ମିଳିଛି। ରାଜଗାଙ୍ଗପୁରର ପ୍ରାୟ ୨୫ ଜଣଙ୍କୁ ମଧ୍ୟ ଏଭଳି ଭାବେ ସନ୍ଦୀପ ଠକିଛନ୍ତି। ପରେ ଜିଏସ୍‍ଟି ଠକେଇରେ ଫଶିଥିବା ଜାଣିବା ପରେ ରାଜଗାଙ୍ଗପୁର ଥାନାରେ ସେମାନେ ଏତଲା ଦାୟର କରିଥିଲେ। ମାତ୍ର ରାଜଗାଙ୍ଗପୁର ପୁଲିସ ଗୋଟିଏ ବି କେଶ୍‍ ଦରଜ କରି ନାହିଁ। ୨୦୧୯ ଅକ୍ଟୋବର ମାସରେ ଯାଜପୁର ସିଟି ଏଣ୍ଡ ଜିଏସ୍‍ଟି ଏନ୍‍ଫୋର୍ସମେଣ୍ଟ ୟୁନିଟ୍‍ କାଶ୍ମୀରା ଅଗ୍ରୱାଲଙ୍କ ସହଯୋଗୀ ଅତୁଲ ବଂଶଲ ସମେତ ଅନ୍ୟ କେତେକଙ୍କୁ ଗିରଫ କରିବା ପରେ କାଶ୍ମୀରା ଓ ସନ୍ଦୀପ ଫେରାର ହୋଇ ଯାଇଥିଲେ। ଗତ ଅଗଷ୍ଟ ୧୭ ତାରିଖରେ କାଶ୍ମୀରାଙ୍କୁ ରାଉରକେଲା ସିଟି ଏଣ୍ଡ ଜିଏସ୍‍ଟି ଏନ୍‍ଫୋର୍ସମେଣ୍ଟ ୟୁନିଟ୍‍ ସମ୍ବଲପୁରରୁ ଗିରଫ କରିଥିଲା। ଇତିମଧ୍ୟରେ କାଶ୍ମୀରାଙ୍କ ବିରୋଧରେ ଜିଏସ୍‍ଟି ବିଭାଗ ୨୦୦ ପୃଷ୍ଠାର ଫାଇନାଲ ଚାର୍ଜସିଟ୍‍ ଦାଖଲ କରି ସାରିଛି। କିନ୍ତୁ ସନ୍ଦୀପ ଗିରଫ ଭୟରେ ସେହି ଦିନରୁ ଲୁଚି ବୁଲୁଥିଲେ। ଗତ କିଛି ମାସ ହେଲା ସେ କୋରାପୁଟ, ମାଲକାନାଗିରି ଆଡ଼େ ଆତ୍ମଗୋପନ କରିଥିଲେ। ତଦନ୍ତକାରୀ ଅଧିକାରୀମାନେ ନିରନ୍ତର ଭାବେ ତାଙ୍କ ମୋବାଇଲ ଟ୍ରାକିଂ କରୁଥିଲେ। ସେ ଭୁବନେଶ୍ୱରରେ ଲୁଚି ଥିବା ଜଣାପଡ଼ିଥିଲା। ପକ୍କା ଖବର ମିିଳିଲା ପରେ ଭୁବନେଶ୍ୱର ସିଟି ଏଣ୍ଡ ଜିଏସ୍‍ଟି ଏନ୍‍ଫୋର୍ସମେଣ୍ଟ ୟୁୁନିଟ୍‍ ତାଙ୍କ ରହିବା ସ୍ଥାନରେ ଚଢ଼ାଉ କରିଥିଲେ। ମାତ୍ର ସେ କବାଟ ଖୋଲି ନଥିଲେ। ଶେଷରେ ଚଢ଼ାଉକାରୀ ଦଳ କବାଟ ଭାଙ୍ଗି ତାଙ୍କୁ ଖଟ ତଳୁ ଗିରଫ କରିଥିଲେ।

Comments are closed.