୩ୟ ତିନିମାସରେ ଅଭିବୃଦ୍ଧି ୪.୭%

ନୂଆଦିଲ୍ଲୀ : ଗତବର୍ଷ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତିନିମାସରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ୨୦୧୯ ଜୁଲାଇ-ସେପ୍ଟେମ୍ବରରେ ଅଭିବୃଦ୍ଧି ହାର ୪.୫% ହୋଇଥିବାବେଳେ ଅକ୍ଟୋବର-ଡିସେମ୍ବରରେ ତାହା ୪.୭%କୁ ବୃଦ୍ଧିପାଇଛି। ଗ୍ରାମାଞ୍ଚଳରେ ଚାହିଦା ସାମାନ୍ୟ ବୃଦ୍ଧିଘଟିବା ଏବଂ ଘରୋଇ ଆହରଣ ଏ କ୍ଷେତ୍ରରେ ସହାୟକ ହୋଇଛି। ଅଧିକାଂଶ ଆର୍ଥିକ ବିଶେଷଜ୍ଞ ଆଶା କରୁଥିଲେ ଯେ ଏହି ତିନିମାସରେ ମଧ୍ୟ ଅଭିବୃଦ୍ଧି ହାର ୪.୫% ରହିବ। ଅବଶ୍ୟ ଏହା ୪.୭% ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ସେମାନେ ଅନୁମାନ କରିଥିଲେ। ଜୁଲାଇ-ସେପ୍ଟେମ୍ବର ତିନିମାସରେ ମୁଖ୍ୟତଃ ଉତ୍ପାଦନ କ୍ଷେତ୍ରରେ ସଂକୋଚନ କାରଣରୁ ଅଭିବୃଦ୍ଧି ମନ୍ଥର ହୋଇଥିଲା। ତାହାସହିତ ଏହା ୨୦୧୩ ମାର୍ଚ୍ଚ ପରବର୍ତ୍ତୀ ସମୟରେ ସବୁଠାରୁ ଦୁର୍ବଳ ଅଭିବୃଦ୍ଧି ରହିଥିଲା। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ୨୦୧୮-୧୯ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ପ୍ରାଥମିକ ଆକଳନ ୬.୮%ରୁ ହ୍ରାସକରି ତାହା ୬.୧% ହେବ ବୋଲି ଆକଳନ କରିଥିବାବେଳେ ୨୦୧୯-୨୦ରେ ଅଭିବୃଦ୍ଧି ହାର ପୁନଶ୍ଚ ହ୍ରାସପାଇ ୫% ହେବା ଆକଳନ କରିଥିଲା। ୧୧ ବର୍ଷ ମଧ୍ୟରେ ଏହା ସବୁଠାରୁ ମନ୍ଥର ଅଭିବୃଦ୍ଧି ହେବ ବୋଲି (ଏନଏସଓ) ପକ୍ଷରୁ କୁହାଯାଇଥିଲା। ତେବେ ୨୦୨୦ ବର୍ଷ ପାଇଁ ହୋଇଥିବା ସର୍ଭେରୁ ଜଣାଯାଇଛିଯେ ୨୦୨୦-୨୧ ବର୍ଷରେ ଅଭିବୃଦ୍ଧି ହାର ସୁଧୁରିବା ସହିତ ତାହା ୬.୫%ରେ ପହଞ୍ଚିବ।
ବିଶ୍ୱସ୍ତରୀୟ କ୍ରେଡିଟ ରେଟିଂ ସଂସ୍ଥା ମୁଡିସ୍‍ ଇନଭେଷ୍ଟର ସର୍ଭିସ ପକ୍ଷରୁ କୁହାଯାଇଛି, ଚୀନରେ କରୋନାଜନିତ ଅନିଶ୍ଚିତ ପରିସ୍ଥିତିରେ ଭାରତର ଅଭିବୃଦ୍ଧି ସେଭଳି ଆଶାନୁରୂପ ହୋଇନପାରେ। ଅବଶ୍ୟ ଏହା ଦେଶର ଅଭିବୃଦ୍ଧି ହାର ୨୦୨୦ରେ ୫% ଏବଂ ୨୦୨୧ରେ ୫.୮% ହେବା ଅନୁମାନ କରିଛି। ତାହା ପୂର୍ବ ଅନୁମାନ ଯଥାକ୍ରମେ ୬.୬% ଓ ୬.୭% ତୁଳନାରେ କମ୍‍ ରହିବ। ଚୀନରେ ସୃଷ୍ଟି ହୋଇଥିବା ପରିସ୍ଥିତିର ପ୍ରଭାବ ବିଶ୍ୱ ବାଣିଜ୍ୟ, ଉତ୍ପାଦନ ଓ ଅଭିବୃଦ୍ଧି ଉପରେ ପଡିଛି। ତାହାସହିତ ଭାରତର ଘରୋଇସ୍ତରରେ ଉପଭୋକ୍ତାଙ୍କ ଦ୍ୱାରା ଆହରଣ ମଧ୍ୟ ଆଶାନୁରୂପ ବୃଦ୍ଧି ଘଟୁନାହିଁ। ଏଭଳି ପରିସ୍ଥିତିରେ କାରଖାନା ଉତ୍ପାଦନ ମଧ୍ୟ ଚାପରେ ରହିବା ଅନୁମାନ କରାଯାଇଛି।

Comments are closed.