ବୁର୍ଲା ପ୍ଲାନେଟୋରିୟମ ଜନଗହଳିପୁର୍ଣ୍ଣ ରାସ୍ତା : ମାରଣାସ୍ତ୍ରରେ ଦୁଇ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

ବୁର୍ଲା : ପୁଣି ଅଶାନ୍ତ ହେଲା ଶିକ୍ଷାନଗରୀ ବୁର୍ଲା ସହର । ଖୁଲ୍ଲମଖୁଲ୍ଲା ପ୍ଲାନେଟୋରିୟମ ଛକରେ ମାରଣାସ୍ତ୍ର ଧରି ପ୍ରାୟ ୧୦ରୁ ଅଧିକ ଯୁବକ ଦୁଇଟି ଟେମ୍ପୋରେ ସବାର ହୋଇ ପହଞ୍ଚିଥିଲେ। ଘଟଣାଟି ଏପରି ଭାବରେ ଘଟିଥିଲା ଯେ କେହି ଟେର ପାଇବା ପୁର୍ବରୁ ଯୁବକ ମାନେ ଗାଳିଗୁଲଜ କରିବା ଆରମ୍ଭ କରି ଦେଇଥିଲେ । କାହାକୁ ମାରିଦେବୁ ବୋଲି କହିବା ସହିତ ସେଠାରେ ଛିଡ଼ା ହୋଇ ରହିଥିବା ଦୁଇଜଣ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଲାଗିଥିଲେ । ତେବେ କୌଣସି ପୁର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ଘଟିଥିବା ସ୍ପଷ୍ଟ ହୋଇଥିଲା । ଏହି ଯୁବକ ମାନଙ୍କ ହାତରେ ଟାଙ୍ଗି, ଭୁଜାଲି ଠାରୁ ଆରମ୍ଭ କରି ନାନା ମାରଣାସ୍ତ୍ର ରହିଥିଲା । ଜନଗହଳିପୁର୍ଣ୍ଣ ସ୍ଥାନ ମଧ୍ୟରେ ଏହି ମାରଣାନ୍ତକ ଆକ୍ରମଣ ଘଟଣା ଘଟିଥିଲା।
ଆକ୍ରମଣର ଶୀକାର ହୋଇଥିଲେ ସେଠାରେ ଛିଡ଼ା ହୋଇଥିବା ମହତାବ ନଗର ଅଞ୍ଚଳର ଜଣେ ଯୁବକଙ୍କ ସହିତ ଅନ୍ୟ ଜଣେ ଯୁବକ। ତେବେ ଦେଖଣାହାରୀ ଏହି ଆକ୍ରମଣର ଶୀକାର ହୋଇଥିବା ଯୁବକ ଦ୍ୱୟଙ୍କୁ ଚିହ୍ନି ପାରିଥିଲେ। ମହତାବନଗର ଅଞ୍ଚଳର ସରୋଜ କୁମ୍ଭାରକୁ ଉକ୍ତ ଯୁବକ ମାନେ ଘେରିଯାଇ ଜଣଙ୍କ ପରେ ଜଣେ ମାରଣାସ୍ତ୍ରରେ ମାରଣାନ୍ତକ ଆକ୍ରମଣ କରିଥିଲେ । ସରୋଜ କୌଣସି ମତେ ଗୁରୁତର ଆହତ ହୋଇ ସେଠାରୁ ଫେରାର ମାରିବାକୁ ଉଦ୍ୟମ କରିଥିଲେ। ଏପରିକି ସରୋଜଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯିବା ସମୟରେ ଶବ୍ଦ ସମସ୍ତଙ୍କ ମନରେ ଏକ ଭୟର ମାହୋଲ ସୃଷ୍ଟି କରିଥିଲା । ସରୋଜ ସାଥିରେ ଛିଡ଼ା ହୋଇ ରହିଥିବା ଅମିତ ପାଲକୁ ମଧ୍ୟ ଉକ୍ତ ଯୁବକ ମାନେ ଆକ୍ରମଣ କରିଥିଲେ। ତେବେ ଏହି ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚବା ବେଳେ ଆକ୍ରମଣକାରୀ ଏବଂ ଆକ୍ରମଣର ଶୀକାର ଯୁବକ ମାନେ ସେଠାରୁ ଫେରାର ମାରିଥିଲେ। ପରେ କୌଣସି ମତେ ଜଣେ ଗୁରୁତର ଆହତଙ୍କୁ ପୁଲିସ ନେଇ ବୁର୍ଲା ଭିମସାରର ଆଶୁଚିକିତ୍ସା ବିଭାଗରେ ଭର୍ତ୍ତି କରିବା ସହିତ ଆଶୁଚିକିତ୍ସା ବିଭାଗର ଅସ୍ତ୍ରୋପଚାର କକ୍ଷରେ ତାର କ୍ଷତରେ ଷ୍ଟିଚ୍ ପକାଯିବା ସହିତ ସାଧାରଣ ଅସ୍ତ୍ରୋପଚାର କରାଯାଇଥିଲା। ପୁଲିସ ସୁରକ୍ଷା ବଳୟରେ ଏହି ଅସ୍ତ୍ରୋପଚାର ଚାଲିଥିଲା। ସେପଟେ ଅନ୍ୟ ଆହତ ଘଟଣା ସ୍ଥଳରୁ କୌଣସି ଏକ ଗାଡ଼ିରେ ବସି ଭୟରେ ଫେରାର ମାରିଥିବା ଜଣାପଡ଼ିଛି । ତେବେ ବୁର୍ଲା ସହରରେ ନିଶାର ପ୍ରକୋପ ଏତେମାତ୍ରାରେ ବୃଦ୍ଧି ପାଇଛି ଯେ ନିଶା କବଳିତ ଏହି ଯୁବକ ମାନେ ଖୋଲାଖୋଲି ଭାବରେ ଜନଗହଳିପୁର୍ଣ୍ଣ ସ୍ଥାନରେ ମଧ୍ୟ କାହାକୁ ମଧ୍ୟ ମାରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଏକପ୍ରକାରରେ ପୁଲିସର ଡ଼ର ଉକ୍ତ ଅସାମାଜିକ ତତ୍ୱଙ୍କ ମନରୁ ପୁର୍ଣ୍ଣ ମାତ୍ରାରେ ଲିଭି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସୁଚନା ଥାଉଯେ, ଏଭଳି ଭାବରେ ଗତ ୧୨ ଦିନ ତଳେ ସଦେଇପାଲି ଅଞ୍ଚଳର ବିଜୁ କଲ୍ୟାଣ ମଣ୍ଡପ ମଧ୍ୟରେ ଜଣେ ୨୮ ବର୍ଷିୟ ଯୁବକଙ୍କୁ ନିଶାଖୋର ନାବାଳକ ଛାତିରେ ଛୁରୀଭୁସୀ ସର୍ବ ସମ୍ମୁଖରେ ହତ୍ୟା କରିଥିଲା। ଯାହାକି ଲୋକଙ୍କ ମାନସପଟରୁ ଲିଭି ନାହିଁ । ଏଭଳି ଭାବରେ ନିଶାପାନ କରି ଯୁବଗୋଷ୍ଠୀ ପଥଭ୍ରଷ୍ଟ ହୋଇ କୌଣସି ମଧ୍ୟ କାଣ୍ଡ ମଧ୍ୟ ଭିଆଇବାକୁ ପଛାଉ ନାହାନ୍ତି । ତେବେ ଏହା ସ୍ଥାନୀୟ ସଚେତନ ନାଗରିକ ମହଲରେ ଚିନ୍ତାର କାରଣ ପାଲଟିବାକୁ ବସିଲାଣି।

Comments are closed.