ବିଷ ବିବାହ: ଯେଉଁଠି ବରକୁ ଯୌତୂକରେ ମିଳେ ୨୧ଟି ବିଷଧର ସାପ

ଯୌତୂକ ପ୍ରଥା କେବେଠୁ ସରକାର ଅପରାଧ ବୋଲି ଘୋଷଣା କଲେଣି । ତଥାପି ଯୌତୂକ ପ୍ରଥା ଚାଲିଛି । ଆମ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଯୌତୂକଜନିତ ମୃତ୍ୟୁ ଖବର ଏବେ ବି ମିଳୁଛି । ମାତ୍ର ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିବାହ ପାଇଁ ଝିଅ ଘରକୁ ପୁଅ ଘର ପକ୍ଷରୁ ଯୌତୁକ ଦିଆଯିବା ପରମ୍ପରା ରହିଛି । କେଉଁଠି ବଳଦ ତ କେଉଁଠି ଛେଳି ପରି ଯୌତୂକ ପୁଅ ଘର ପକ୍ଷରୁ ଦିଆଯାଏ । ମାତ୍ର ଆମେ ଏମିତି ଏକ ବିବାହ କଥା ଆପଣଙ୍କୁ ଯାଉଛୁ, ଯେଉଁଠି ଝିଅ ପରିବାର ପକ୍ଷରୁ ବର ପରିବାରକୁ ୨୧ଟି ସାପ ଯୌତୂକ ଦିଆଯାଇଥାଏ । ପୁଣି ସାଧାରଣ ଧଣ୍ଡ, ଢ଼ମଣା, କାଣ୍ଡନଳ ପରି ବିଷହୀନ ସାପ ନୁହେଁ, ପୁରା ଭୟଙ୍କର ବିଷଧର ସାପ । ଆଉ ବିବାହରେ ସାପ ଯୌତୂକ ନ ମିଳିଲେ ବିବାହ ବାତିଲ ।

ମଧ୍ୟପ୍ରଦେଶର ଗୌରାୟ ସମ୍ପ୍ରଦାୟରେ ରହିଛି ଏହି ଚଳଣି । ଏହି ସମ୍ପ୍ରଦାୟର ଲୋକମାନେ ସାପ ଯୌତୂକ ଦେଲେ ତାଙ୍କ ଝିଅ ସୁଖରେ ରହିବ ଓ କିଛି ଅନିଷ୍ଟ ଆସିବ ନାହିଁ ବୋଲି ଭାବନ୍ତି । ତେଣୁ ଝିଅକୁ ବିବାହ ପରେ ବିଦାୟ ଦେବା ବେଳେ ତାର ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ସାପ ଯୌତୂକ ଦିଅନ୍ତି ବୋଲି କୁହାଯାଏ ।

ଏହି ପରମ୍ପରା ଏବେକାର ନୁହେଁ । ଶହଶହ ବର୍ଷ ଧରି ଏହି ପରମ୍ପରା ଚାଲି ଆସିଛି ଓ ତାହାକୁ ଏବେ ବି ଲୋକମାନେ ପାଳି ଆସୁଛନ୍ତି । ବିଶେଷଭାବରେ ଗହମ ରଙ୍ଗ (ତମ୍ପ, ଗୋଖର, ନାଗ)ର ସାପ ଓ ଡ଼ୋମି ପ୍ରକାରର ସାପକୁ ଯୌତୂକ ଦିଆଯାଏ । ଝିଅ ବିବାହ ପାଇଁ ଏହି ସମ୍ପ୍ରଦାୟର ଲୋକମାନେ ବହୁ ପୂର୍ବରୁ ସାପ ଧରି ପାଳିଥାଆନ୍ତି ।

ସାଧାରଣତଃ ଏହି ଗୌରାୟ ସଂପ୍ରଦାୟର ଲୋକମାନେ ଆମ ଓଡ଼ିଶାର ସାପୁଆ କେଳାଙ୍କ ପରି ସାପ ଖେଳ ଦେଖାଇ ପରିବାର ପ୍ରତିପୋଷଣ କରନ୍ତି। ସେମାନଙ୍କ ମଧ୍ୟରୁ କେହିକେହି ସାପର ବିଷ ସଂଗ୍ରହ କରି ଅର୍ଥ ରୋଜଗାର କରିଥାଆନ୍ତି । ତେଣୁ ସାପ ଯୌତୂକ ଦେଲେ ଜ୍ବାଇଁ ସାପ ଖେଳାଇ ଓ ବିଷ ବିକି ଟଙ୍କା ରୋଜଗାର କରିପାରିବା ସ୍ବାଭାବିକ କଥା । ମାତ୍ର ଏହାକୁ ଏକ ଅନ୍ଧବିଶ୍ବାସର ଆବରଣ ମଧ୍ୟରେ ଢ଼ାଙ୍କି ଦିଆଯାଇଛି । ସାପ ଯୌତୂକ ନ ଦେଲେ ଶାଶୁଘରେ ଝିଅର ଜୀବନ ଅସୁଖୀ ହେବ ବୋଲି କୁହାଯାଉଥିବାରୁ ଝିଅର ବାପା ସାପ ଯୌତୂକ ଦେଉଛନ୍ତି ।

Comments are closed.