ୟୁଏଇରେ ଆଇପିଏଲ୍ ଆୟୋଜନକୁ ସରକାରଙ୍କ ସବୁଜ ସଙ୍କେତ; ଅନୁମତି ଦେଲା ଗୃହ ମନ୍ତ୍ରଣାଳୟ

ନଆଦିଲ୍ଲୀ: ବିସିସିଆଇ ପକ୍ଷରୁ ୟୁଏଇରେ ଆଇପିଏଲ୍ ଆୟୋଜନ ପ୍ରସ୍ତାବକୁ କେନ୍ଦ୍ର ସରକାର ଦେଇଛନ୍ତି ସବୁଜ ସଙ୍କେତ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିସିସିଆଇକୁ କ୍ରୀଡ଼ା ଆୟୋଜନ ନିମନ୍ତେ ସ୍ବୀକୃତି ଦେବା ପରେ ଆୟୋଜନ ନିମନ୍ତେ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଛି । ଅବଶ୍ୟ ବିସିସିଆଇର କିଛି ଅଧିକାରୀ ପୂର୍ବରୁ ଏମିରେଟ୍ସ କ୍ରିକେଟ୍ କଂଟ୍ରୋଲ ବୋର୍ଡ଼ ସହ ଏ ସମ୍ପର୍କରେ ଆଲୋଚନା କରି ସାରିଛନ୍ତି । ସେଠାରେ କ୍ରୀଡ଼ା ଆୟୋଜନ ନିମନ୍ତେ ସମସ୍ତ ପ୍ରସ୍ତୁତି ଆପାତତଃ ଶେଷ ହୋଇଛି । ଖେଳାଳୀମାନେ ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୟୁଏଇରେ ପହଞ୍ଚିବେ । ସେମାନଙ୍କ ରହିବା ପାଇଁ ହୋଟେଲ ମଧ୍ୟ ବୁକିଂ ହୋଇଛି ।

ସେପ୍ଟେମ୍ବର ୧୯ରୁ ଆୟୋଜିତ ହେବ ଆଇପିଏଲ୍

କେନ୍ଦ୍ର ସରକାରଙ୍କ ଅନୁମତି ପରେ ବିସିସିଆଇ ଖୁବ୍ ଶୀଘ୍ର କ୍ରୀଡ଼ା ସୂଚୀ ପ୍ରକାଶ କରିବ ବୋଲି ସୂଚନା ମିଳିଛି । ସେପ୍ଟେମ୍ବର ୧୯ ତାରିଖରେ ଆଇପିଏଲର ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ । ଚଳିତ ବର୍ଷ ଆଇପିଏଲ୍ ମାର୍ଚ ୧୯ରୁ ଆରମ୍ଭ ହୋଇ ମେ ୧୦ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର କରୋନା ଯୋଗୁଁ ଆଇପିଏଲ୍ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଇଥିଲା । ଆଇସିସି ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ଵକପ୍ ସ୍ଥଗିତ କରାଯିବାକୁ ଘୋଷଣା ପରେ ଆଇପିଏଲ୍ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଥିଲା । ନୂଆ ସିଡ଼୍ୟୁଲ ଅନୁସାରେ ଆଇପିଏଲ୍ ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇ ୧୦ ନଭେମ୍ବରରେ ଶେଷ ହେବ ।

ୟୁଏଇ​‌ରେ ଦ୍ବିତୀୟ ବାର ଅନୁଷ୍ଠିତ ହେବ ଆଇପିଏଲ୍

ୟୁଏଇରେ ପ୍ରଥମଥର ପାଇଁ ଆଇପିଏଲ୍ ଆୟୋଜନ ହେଉନାହିଁ । ପୂର୍ବରୁ ୨୦୧୪ ମସିହାରେ ନିର୍ବାଚନ ଯୋଗୁଁ ଆଇପିଏଲ୍ ଏମିରେଟ୍ସ କ୍ରିକେଟ୍ ବୋର୍ଡ଼ ଆୟୋଜନ କରିଥିଲା । ଅବଶ୍ୟ ସେତେବେଳେ ପୁରା ଟୁର୍ଣ୍ଣାମେଣ୍ଟ ସେଠାରେ ଆୟୋଜନ ହୋଇ ନ ଥିଲା । ପ୍ରଥମ ପର୍ଯ୍ୟାୟ ୟୁଏଇରେ ଆୟୋଜନ ପରେ ଅନ୍ତିମ ପର୍ଯ୍ୟାୟ ଖେଳଗୁଡ଼ିକ ଭାରତରେ ଅନୁଷ୍ଠିତ ହୋଇଥିଲା । ମାତ୍ର ଏବେ ପ୍ରଥମଥର ପାଇଁ ପୁରା ଟୁର୍ଣ୍ଣାମେଣ୍ଟ ୟୁଏଇରେ ଆୟୋଜନ ହେବ । ୨୦୧୦ ମସିହାରେ ଆଇପିଏଲ୍ ମଧ୍ୟ ବିଦେଶରେ ଆୟୋଜିତ ହୋଇଥିଲା । ସେତେବେଳେ ଦକ୍ଷିଣ ଆଫ୍ରିକାରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।

ପ୍ରାୟୋଜକ ସନ୍ଧାନରେ ବିସିସିଆଇ

ଚଳିତ ବର୍ଷ ଆଇପିଏଲରେ ମୋବାଇଲ୍ କମ୍ପାନୀ ଭିଭୋ ମୁଖ୍ୟ ପ୍ରାୟୋଜକ ରହିବ ନାହିଁ । ସହମତି ଭିତ୍ତିରେ ଭିଭୋକୁ ଚଳିତ ବର୍ଷ ଏଥିରୁ ବାଦ ଦିଆଯାଇଛି । ୨୦୧୭ରେ ୫ ବର୍ଷ ପାଇଁ ଭିଭୋ ପ୍ରାୟୋଜକ ରହିବା ନିମନ୍ତେ ୨୧୯୯ କୋଟି ଟଙ୍କାର ଚୁକ୍ତି କରିଥିଲା । ପ୍ରତିବର୍ଷ ବିସିସିଆଇକୁ ଭିଭୋ ୪୪୦ କୋଟି ଟଙ୍କା ପ୍ରଦାନ କରୁଥିଲା । ଚଳିତ ବର୍ଷ ଭିଭୋକୁ ପ୍ରାୟୋଜକରୁ ବାଦ ଦେବା ପରେ ନୂଆ ପ୍ରାୟୋଜକ ସଂଧାନ କରୁଛି ବିସିସିଆଇ । ଅବଶ୍ୟ ଏଥିପାଇଁ ଆମାଜନ, ଜିଓ, କୋକାକୋଲା ପରି ସଂସ୍ଥା ପ୍ରଯୋଜକ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । କରୋନା ସମୟରେ ମଧ୍ୟ ଏହି କମ୍ପାନୀମାନେ ୨୫୦ରୁ ୩୦୦ କୋଟି ଟଙ୍କା ଦେବାକୁ ରାଜି ଅଛନ୍ତି ବୋଲି ଜଣାପଡ଼ିଛି ।

Comments are closed.