ଗ୍ରାମ ପଞ୍ଚାୟତ ବିଧେୟକ ସଂଶୋଧନ ସହ ୪ ବିଧେୟକ ଗୃହୀତ

‌ପୗର-ପଞ୍ଚାୟତ ନିର୍ବାଚନ ବାଟ ସଫା

ଭୁବନେଶ୍ୱର : ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଛି। ମଙ୍ଗଳବାର ପୌର ସଂଶୋଧନ ବିଧେୟକ ଗୃହୀତ ହୋଇଥିବାବେଳେ ବୁଧବାର ଓଡ଼ିଶା ପଞ୍ଚାୟତ ସଂଶୋଧନ ବିଧେୟକ ଗୃହରେ ଗୃହୀତ ହୋଇଛି। ଏଥିସହିତ ଅନ୍ୟ ତିନୋଟି ବିଧେୟକ ପାରିତ ହୋଇଛି।
ବୁଧବାର ଅପରାହ୍ଣରେ ଗ୍ରାମ ପଞ୍ଚାୟତ ସଂଶୋଧନ ବିଧେୟକ ସମ୍ପର୍କରେ ସୂଚନା ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ସମ୍ବିଧାନର ଅନୁଚ୍ଛେଦ ୨୪୩-ଘ’ରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି। ଉପରୋକ୍ତ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର ପଛୁଆ ବର୍ଗ ନାଗରିକଙ୍କ ପାଇଁ ଆବଶ୍ୟକତା ଅନୁସାରେ ସ୍ଥାନ ସଂରକ୍ଷଣ କରିପାରିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଓଡିଶା ଗ୍ରାମ ପଞ୍ଚାୟତ ଅଧିନିୟମ-୧୯୬୪, ଓଡିଶା ପଞ୍ଚାୟତ ସମିତି ଅଧିନିୟମ,୧୯୫୯ ଓ ଓଡିଶା ଜିଲା ପରିଷଦ ଅଧିନିୟମ ୧୯୯୧ରେ ପଛୁଆ ବର୍ଗ ନାଗରିକଙ୍କ ପାଇଁ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି। ସେହିପରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ପାଇଁ ସମ୍ବିଧାନର ବ୍ୟବସ୍ଥା ମୁତାବକ ଜନସଂଖ୍ୟା ଅନୁପାତରେ ସ୍ଥାନ ସଂରକ୍ଷଣ କରାଯାଇଛି। କେତେକ ପଞ୍ଚାୟତିରାଜ ଅନୁଷ୍ଠାନରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେଉଛି। ସଂଶୋଧିତ ବ୍ୟବସ୍ଥାରେ ସର୍ବାଧିକ ଆସନ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବ। ତେବେ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ଯାଏ ସଂରକ୍ଷଣ ସୁବିଧା ମିଳିବ। ଏହାକୁ ପାରିତ କରାଇବା ନିମନ୍ତେ ସେ ଗୃହର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ଆଲୋଚନାରେ ସରକାରୀ ଦଳ ସଦସ୍ୟ ଡ. ପ୍ରମୋଦ ମଲ୍ଲିକ ଭାଗ ନେଇ ବିଧେୟକରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ କହିଥିଲେ। ଏହାପରେ ଉପବାଚସ୍ପତି ରଜନୀକାନ୍ତ ସିଂହ ବାଚନିକ ଭୋଟ ଜରିଆରେ ବିଧେୟକଟିକୁ ଗୃହୀତ କରାଇ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ହାଉସିଂ ବୋର୍ଡ ସଂଶୋଧନ ବିଧେୟକ ସମ୍ପର୍କରେ ଗୃହର ଅବଗତି ନିମନ୍ତେ ଜଣାଇଥିଲେ ଯେ ନୂଆ ବିଧେୟକରେ ପ୍ରଶାସନିକ ବ୍ୟବସ୍ଥାରେ ପୁନର୍ବିନ୍ୟାସ କରାଯିବା ସହିତ ହାଉସିଂ ବୋର୍ଡକୁ ଅଧିକ ଚଳଚଞ୍ଚଳ କରାଯିବ। ଏଣିକି ହାଉସିଂ କମିସନର ପଦବି ବଦଳରେ ପରିଚାଳନା ନିର୍ଦେଶକ ପଦ ସୃଷ୍ଟି କରାଯିବ। କାର୍ଯ୍ୟାଳୟ ପରିଚାଳନା ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବ।
ଗୃହରେ ଆଜି ସରକାରୀ ଜମି ବନ୍ଦୋବସ୍ତ (ସଂଶୋଧନ)ବିଧେୟକ ପାରିତ ହୋଇଯାଇଛି। ସଂଶୋଧିତ ବିଧେୟକ ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ ରାଜ୍ୟର ବହୁ ଅଞ୍ଚଳରେ ୨୦୦୬ ଫେବୃଆରୀ ୨୬ ପରେ କିଣାବିକା ହୋଇଥିବା ଖାସମାହାଲ, ନଜୁଲ୍, ଗ୍ରାମକଣ୍ଠ ପରମ୍ବୋକ ଓ ଆବାଦିବର୍ଗର ଜମିର ବନ୍ଦୋବସ୍ତ ହୋଇପାରୁନି। ଯେଉଁମାନେ ଦଖଲରେ ଅଛନ୍ତି ସେମାନଙ୍କୁ ସ୍ଥିତିବାନ ସ୍ବତ୍ବ ଦେବା ଲାଗି ଏହି ବିଧେୟକ ଆସିଛି। ସଂଶୋଧିତ ନିୟମ ଲାଗୁ ହେବା ଦିନଠାରୁ ଅତି କମରେ ୩ ବର୍ଷ ପୁର୍ବରୁ ଦଖଲ କରୁଥିବା ବ୍ୟକ୍ତି ସପକ୍ଷରେ ସ୍ଥାୟୀ ବନ୍ଦୋବସ୍ତ କରାଯିବ। ଉତ୍ତରାଧିକାରୀଙ୍କୁ ହସ୍ତାନ୍ତର ପାଇଁ ମଧ୍ୟ ଅନୁମତି ମିଳିବ। ସରକାରୀ ବିଜ୍ଞପ୍ତି ପରେ ନିର୍ଦିଷ୍ଟ ଅବଧି ମଧ୍ୟରେ ଜମି ବନ୍ଦୋବସ୍ତ ପାଇଁ ଆବେଦନ କରିବାରେ ବିଫଳ ହେଲେ ଜମିରୁ ଉଚ୍ଛେଦ କରାଯିବ। ରାଜ୍ୟର ଜନସାଧାରଣ ଏହି ଆଇନ ସଂଶୋଧନ ‌େ‌ହଲେ ଉପକୃତ ହେବେ। ତେଣୁ ବିଧେୟକଟିକୁ ପାରିତ କରିବାକୁ ସେ ସଦସ୍ୟଗଣଙ୍କୁ ଅନୁରୋଧ କରିଥିଲେ। ବିଧାୟକ ଧ୍ରୁବ ଚରଣ ସାହୁ ବିଧେୟକ ପାରିତ ହେଲେ ବହୁ ଲୋକ ଉପକୃତ ହେବେ ବୋଲି କହିଥିଲେ। ଆଲୋଚନା ପରେ ବିଧେୟକଟି ବାଚନିକ ଭୋଟରେ ପାରିତ ହୋଇଥିଲା।
ଶ୍ରୀ ମାର୍ଣ୍ଡି ଗୃହରେ ଆଗତ ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଧେୟକ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଏହି ବିଧେୟକ ପାରିତ ହେଲେ ରାଜ୍ୟରେ ରିୟଲ ଇଷ୍ଟେଟ୍ ବିସ୍ତାରରେ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସୁଲଭ ଦରରେ ଘର ମିଳିପାରିବ। ସଂଶୋଧିତ ବ୍ୟବସ୍ଥା ଅନୁସାରେ ସ୍ଥାବର ସମ୍ପତ୍ତିର ବିକ୍ରି ଚୁକ୍ତିନାମା,ଉନ୍ନତିକରଣ ଚୁକ୍ତି/ ନିର୍ମାଣ ଚୁକ୍ତି ଏବଂ ପାୱାର ଅଫ୍ ଅାଟର୍ଣ୍ଣି ପ୍ରଦାନ ଲାଗି ୨ ପ୍ରତିଶତ ଷ୍ଟାମ୍ପ୍ ଡ୍ୟୁଟି ଆଦାୟ କରାଯିବ। ସେହିପରି ପଞ୍ଜିକୃତ ହୋଇଥିବା କାଗଜାତର ପ୍ରମାଣୀକୃତ ନକଲ ନିମନ୍ତେ ପୂର୍ବରୁ ୧୦ ଟଙ୍କା ଆଦାୟ ହେଉଥିବା ବେଳେ ତାହାକୁ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବିେଧୟକ ପାରିତ ହେବା ପରେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ସହ ରାଜସ୍ୱ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ ଗୃହକୁ ଜଣାଇଥିଲେ। ଆଲୋଚନା ପରେ ବାଚନିକ ଭୋଟରେ ବିଧେୟକ ପାରିତ ହେଲା ବୋଲି ଉପବାଚସ୍ପତି ଘୋଷଣା କରିଥିଲେ। ଏହି ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପଦ୍ମନାଭ ବେହେରା, ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ରଘୁନନ୍ଦନ ଦାସ ଓ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଗୃହରେ ବିଭିନ୍ନ କାଗଜ ଉପସ୍ଥାପନ କରିଥିଲେ।

Comments are closed.