ବିବାହ ବେଳେ କନ୍ୟାକୁ ୧୦ ଗ୍ରାମ ସୁନା ଦେବେ ସରକାର, ନୂଆବର୍ଷରୁ ଏହି ରାଜ୍ୟରେ ଲାଗୁ ହେବ ଯୋଜନା

ବିବାହ ସମୟରେ କନ୍ୟାମାନଙ୍କୁ ୧୦ ଗ୍ରାମ ଓଜନର ସୁନା ପ୍ରଦାନ କରିବେ ସରକାର। ସୁନା ବାବଦରେ ସରକାର ସିଧାସଳଖ ୩୦ ହଜାର ଟଙ୍କା କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବେ। ଆସାମ ସରକାର ଏଭଳି ଏକ ଅଭିନବ ଯୋଜନା ଆଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଥିପାଇଁ ସରକାର ‘ଅରୁନ୍ଧତୀ ସ୍ବର୍ଣ୍ଣ ଯୋଜନା’ ପ୍ରସ୍ତୁତ କରିଛନ୍ତି। ଏହି ଅର୍ଥକୁ ଅନ୍ୟ କୌଣସି ବାଟରେ ଖର୍ଚ୍ଚ କରାଯାଇ ପାରିବ ନାହିଁ।

ତେବେ ଏହି ଯୋଜନାର ହିତାଧିକାରୀ ହେବାକୁ ସରକାର କିଛି ମାନଦଣ୍ଡ ବା ସର୍ତ୍ତ ରଖିଛନ୍ତି। ଯୋଜନା ବାବଦରେ ବାର୍ଷିକ ୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମାନଦଣ୍ଡ ଅନୁସାରେ ବିବାହ କରୁଥିବା କନ୍ୟା ଏବଂ ବର ବୟସ ଯଥାକ୍ରମେ ସର୍ବନିମ୍ନ ୧୮ ଏବଂ ୨୧ ବର୍ଷ ହୋଇଥିଲା। ଝିଅର ପ୍ରଥମ ବିବାହ ପାଇଁ କେବଳ ଏହି ସହାୟତା ପ୍ରଦାନ କରାଯିବ। ସ୍ବତନ୍ତ୍ର ବିବାହ ଆଇନ ୧୯୫୪ ଅନୁସାରେ ବିବାହ ପଞ୍ଜୀକୃତ ହେବ। କନ୍ୟା ଏବଂ ତାଙ୍କ ବାପାଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ହୋଇ ନ ଥିବ। କନ୍ୟା ଅତିକମରେ ୧୦ମ ପର୍ଯ୍ୟନ୍ତ ଶିକ୍ଷାଲାଭ କରିଥିବ। ମାତ୍ର ଚାଷ ବଗିଚା କରିଥିବା ପରିବାର ଏବଂ ଆଦିବାସୀ ସମ୍ପ୍ରଦାୟଙ୍କ ଝିଅମାନଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ମାନଦଣ୍ଡକୁ ବାଦ୍‌ ଦିଆଯାଇଛି।

ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ଵା ସର୍ମା କହିଛନ୍ତି ଯେ, ଏହି ଯୋଜନା ଜନସଂଖ୍ୟା ନିୟନ୍ତ୍ରଣ ଏବଂ ମହିଳା ସଶକ୍ତୀକରଣ ଦିଗରେ ସହାୟତା କରିବ। ବିବାହ ପଞ୍ଜୀକରଣ କରିବାକୁ ପ୍ରୋତ୍ସାହିତ କରିବା ସହିତ କମ୍‌ ବୟସରେ ବିବାହ ରୋକିବାରେ ମଧ୍ୟ ସହଯୋଗ କରିବ। ସରକାର ସିଧାସଳଖ ସୁନା ଦେବେ ନାହିଁ। ନାମ ପଞ୍ଜୀକରଣ ଏବଂ ଯାଞ୍ଚ ପ୍ରକ୍ରିୟା ପରେ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରାଯିବ। ପରବର୍ତ୍ତୀ ସମୟରେ ସୁନା କିଣିଥିବା ନେଇ ଏକ ରିସିପ୍ଟ କନ୍ୟା ପକ୍ଷରୁ ସରକାରଙ୍କୁ ଦିଆଯିବା ବାଧ୍ୟତାମୂଳକ ରଖାଯାଇଛି।

Comments are closed.