ଜମ୍ମୁ-କାଶ୍ମୀରରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି – ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

ଜମ୍ମୁ: ଧାରା ୩୭୦ର ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ସେଠାରେ ଉଦାହରଣମୂଳକ ରୂପାନ୍ତରଣ ଦୃଶ୍ୟମାନ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି। ଜମ୍ମୁ-କାଶ୍ମୀର ଓ ଏହାର ବାସିନ୍ଦାଙ୍କ ସାମୂହିକ ବିକାଶ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ନୀତିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କର ପଦକ୍ଷେପର ଅଂଶସ୍ୱରୂପ ସେ ଜମ୍ମୁ-କାଶ୍ମୀର ଗସ୍ତ କରି ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‍ଘାଟନ କରିଛନ୍ତି। କନ୍‍ଭେନ୍‍ସନ୍‍ ସେଣ୍ଟରଠାରେ କର୍ପୋରେଟର୍‍, ସରପଞ୍ଚ ଓ ପଞ୍ଚମାନଙ୍କର ଏକ ବିଶାଳ ସମାବେଶରେ ଉଦବୋଧନ ଦେଇ ଡକ୍ଟର ସିଂହ କହିଛନ୍ତି, ଏହି କାର୍ଯ୍ୟକ୍ରମ ଜମ୍ମୁ-କାଶ୍ମୀରର ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଆଣିବାପାଇଁ ଉଦ୍ଦିଷ୍ଟ ଏବଂ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳକୁ ଆଧୁନିକତାର ଧାରାରେ ରୂପାନ୍ତରିତ କରିବାର ଏକ ପ୍ରୟାସ।

ସେ କହିଛନ୍ତି, କେନ୍ଦ୍ର ସରକାର ଜନସାଧାରଣଙ୍କ ଉନ୍ନତି ପାଇଁ ଦୀର୍ଘବର୍ଷ ଧରି ଅଟକି ରହିଥିବା ଅନେକ ନୂଆ ଉନ୍ନୟନ ମୂଳକ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି। ପୂର୍ବରୁ ସେ ଏକ ଷ୍ଟାଡିୟମ୍‍ର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଜମ୍ମୁର ଗୋଲ୍‍ ଗୁଜରାଲ୍‍ଠାରେ ଏକ ସ୍ମାର୍ଟ କ୍ଲାସ୍‍ରୁମ୍‍ ପ୍ରକଳ୍ପର ଉଦ୍‍ଘାଟନ କରିଥିଲେ। ନୂଆଦିଲ୍ଲୀର ନ୍ୟାସନାଲ୍‍ ମିଡିଆ ସେଣ୍ଟର୍‍ ଢାଞ୍ଚାରେ ଜମ୍ମୁ, କାଶ୍ମୀର ଓ ଲଦାଖ୍‍ରେ ମିଡିଆ ଫାସିଲିଟେସନ୍‍ ସେଣ୍ଟର ପ୍ରତିଷ୍ଠାପାଇଁ ମଧ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‍ ମଧ୍ୟ ଜମ୍ମୁର ଶାମ୍ବା ଜିଲ୍ଲା ଗସ୍ତ କରି ଏକ ଜଳଯୋଗାଣ ପ୍ରକଳ୍ପର ଉଦ୍‍ଘାଟନ ସହିତ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିଛନ୍ତି।

Comments are closed.