କାମ ତ କିଛି ନାହିଁ, ସାର ମାଡାମ ଆସି କରିବେ କଣ?

- ବେଗୁନିଆରେ ଖାଲି ପଡିଛି ବହୁ ଗୁରୁତ୍ୱପୂର୍ଣ ପଦବୀ, ସେବାରୁ ବଂଚିତ ଜନସାଧାରଣ

ବେଗୁନିଆ: ସରକାର ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ତାର ସୁଫଳ କେଉଁମାନେ ପାଉଛନ୍ତି ତାହା ତଦାରଖ କରିବା ପାଇଁ କେହି ନାହାନ୍ତି। ପ୍ରକୃତ କ୍ଷେତ୍ରରେ ପ୍ରଶାସନ ଲୋକମାନଙ୍କର ନିକଟତର ହେଉଛି ନାଁ ଲୋକମାନଙ୍କ ଠାରୁ ଦୁରେଇ ଯାଉଛି? ଏବେ ବେଗୁନିଆରେ ଥିବା ସରକାରୀ କାର୍ୟ୍ୟାଳୟ ଗୁଡିକରେ କର୍ମଚାରୀ ମରୁଡି ପଡିଥିବାର ଦେଖିବାକୁ ମିଳୁଛି। ଫଳରେ କର୍ମଚାରୀ ଅଭାବରୁ ସମ୍ପୃକ୍ତ କାର୍ୟ୍ୟାଳୟ ଗୁଡିକରେ ଲୋକମାନଙ୍କର କୌଣସି କାର୍ୟ୍ୟ ହୋଇପାରୁନାହିଁ। କାର୍ୟ୍ୟାଳୟରେ ଯେଉଁ କେତେକ କର୍ମଚାରୀ ରହୁଛନ୍ତି ସେମାନେ ମିଟିଙ୍ଗ ଏବଂ ଫିଲଡ ଭିଜିଟ ଆଦି କାର୍ୟ୍ୟରେ ବ୍ୟସ୍ତ ରହିବା ଯୋଗୁଁ ବିଚରା ଜନସାଧାରଣ ଅଯଥା ଖର୍ଚ୍ଚାନ୍ତ ହୋଇ ବହୁ ଦୂର ଦୁରାନ୍ତରରୁ ଆସି କୌଣସି କାର୍ୟ୍ୟ କରି ନପାରି ନିରାଶ ମନରେ ଫେରିବାକୁ ବାଧ୍ୟ ହେଉଛନ୍ତି।

ଏମିତି ବି ଲାଇନ ଡ଼ିପାର୍ଟମେଣ୍ଟର ଥିବା କାର୍ୟ୍ୟାଳୟକୁ ଅଧିକାରୀମାନେ ଦିନେ ହେଲେ ନଆସି ଖୋର୍ଦ୍ଧା, ଭୁବନେଶ୍ୱରରେ ରହୁଛନ୍ତି। କାର୍ୟ୍ୟାଳୟରେ ଥିବା ତଳିଆ କର୍ମଚାରୀଙ୍କୁ ପଚାରିଲେ କାମ ତ କିଛି ନାହିଁ ସାର /ମାଡାମ ଆସି କଣ କରିବେ ବୋଲି ଉତ୍ତର ମିଳିଥାଏ। ସେମାନଙ୍କୁ ଲୋକମାନେ ଦେଖା କରିବା ସାତ ସପନ ହୋଇଥାଏ। ବେଗୁନିଆ ବ୍ଲକରେ ଏବେ ଗତ କିଛିମାସ ହେବ ବିଡ଼ିଓ ନ ଥିବାବେଳେ ବୋଲଗଡ଼ ବ୍ଲକ ଏବିଡ଼ିଓ ଦାୟିତ୍ୱରେ ରହିଛନ୍ତି ଫଳରେ ଜଣେ ସ୍ଥାୟୀ ବିଡ଼ିଓ ନଥିବା ଯୋଗୁଁ ବ୍ଲକରେ ଲୋକମାନଙ୍କର କାର୍ୟ୍ୟ କିପରି ହେଉଥିବ ତାହା ସରକାରଙ୍କଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚକର୍ତୃପକ୍ଷ ସହଜରେ ବୁଝିପାରୁଥିବେ। ଏତଦବ୍ୟତୀତ ବ୍ଲକରେ ଏସଇଓ ଏବଂ ଦୁଇଟି କିରାଣୀ ପଦବୀ ଖାଲି ପଡିଛି ଫଳରେ ବୃଦ୍ଧ /ବୃଦ୍ଧାମାନେ ସେମାନଙ୍କର ଭତ୍ତା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାର୍ୟ୍ୟରତ ଅନେକ ଅଧିକାରୀ ବେଗୁନିଆ ବ୍ଲକରେ ନିଯୁକ୍ତି ପାଇ ଅନ୍ୟ ୨/୩ଟି ବ୍ଲକ ଦାୟିତ୍ୱରେ ରହିଛନ୍ତି ଏବଂ ସେମାନେ ନିୟମିତ ବ୍ଲକକୁ ଆସୁନାହାନ୍ତି।

ଏବିଡ଼ିଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୀର୍ଘ ଦିନ ହେବ ଛୁଟିରେ, ବହୁ ପଂଚାୟତରେ ଯୋଗାଣ ସହାୟକ ଏବଂ ଜିଆରଏସ ନାହାନ୍ତି, ବେଗୁନିଆ ତହସିଲରେ ଅତିରିକ୍ତ ତହସିଲଦାର ସମେତ ଆବଶ୍ୟକ ସଂଖ୍ୟକ କିରାଣୀ ନାହାନ୍ତି, ଥାନାରେ ମଧ୍ୟ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି, କୃଷି ବିଭାଗରେ ଜଣେ ଜେଏଓଙ୍କ ସମେତ ଅନେକ ପଦବୀ ଖାଲି, ଗ୍ରାମ୍ୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠଯନ୍ତ୍ରୀମାନେ ଏଠାରେ ନରହି ଖୋର୍ଦ୍ଧା, ଭୁବନେଶ୍ୱରରେ ରହୁଥିବାବେଳେ କାର୍ୟ୍ୟାଳୟରେ ଥିବା ଜଣେ ଜଣେ ତଳିଆ କର୍ମଚାରୀ କାର୍ୟ୍ୟାଳୟ ଖୋଲି କିଛି ସମୟ ଜଗି ରହୁଛନ୍ତି ଓ ସବ ରେଜିଷ୍ଟ୍ରାରଙ୍କ କାର୍ୟ୍ୟାଳୟରେ କର୍ମଚାରୀ ନଥିବା ଯୋଗୁଁ ଡାଟାଏଣ୍ଟ୍ରିଙ୍କ ଦ୍ୱାରା କାର୍ୟ୍ୟ କରାଯାଉଛି। ସେହିପରି ବେଗୁନିଆ ପୋଷ୍ଟ ଅଫିସରେ କର୍ମଚାରୀ ନଥିବା ଯୋଗୁଁ ବାହାର ଲୋକଙ୍କୁ ନେଇ କାର୍ୟ୍ୟ କରାଯାଉ ଥିବା ବେଳେ ବେଗୁନିଆ ଡାକ୍ତରଖାନାରେ କାର୍ୟ୍ୟରତ ଆୟୁଷ ଡାକ୍ତରଙ୍କୁ ଖୋର୍ଦ୍ଧା ଡେପୁଟେସନରେ ନିଆଯାଇଛି। ବୋତଳମାର ପାଟଣାଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବ୍ଲକ ଅଂଚଳରେ ଥିବା ଅନ୍ୟ ୧୦ ଟି ଡାକ୍ତରଖାନାର କେଉଁଠି ଡାକ୍ତର, ଫାର୍ମାସିଷ୍ଟ ନାହାନ୍ତି ତ କେଉଁଠାରେ ଷ୍ଟାଫନର୍ସ, ଆଟେଣ୍ଡାଂଟ ନାହାନ୍ତି।

Comments are closed.