ବାର୍ଷିକ ୧୦ ଲକ୍ଷ ଟଙ୍କାରୁ ଅଧିକ ଉଠାଣ ଉପରେ ଲାଗିବ ଟ୍ୟାକ୍ସ!

ନୂଆଦିଲ୍ଲୀ : ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମୋଦୀ ସରକାର ବର୍ଷକୁ ୧୦ ଲକ୍ଷ ଟଙ୍କା ଉଠାଉଥିବା ବ୍ୟକ୍ତିଙ୍କ ଉପରେ ଟ୍ୟାକ୍ସ ଲଗାଇବା ପାଇଁ ଚିନ୍ତା କରିଛନ୍ତି। ସରକାରଙ୍କ କହିବା କଥା ଅଧିକାଂଶ ବ୍ୟକ୍ତି ତଥା ବ୍ୟବସାୟୀମାନଙ୍କୁ ବାର୍ଷିକ ୧୦ ଲକ୍ଷରୁ ଅଧିକ ଟଙ୍କା ଉଠାଣର ଆବଶ୍ୟକତା ନାହିଁ। ଏନେଇ ସରକାର ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ମାତ୍ର ଏହି ଯୋଜନାକୁ ନେଇ ଏଯାବତ୍‍ ଚୁଡ଼ାନ୍ତ ନିଷ୍ପତ୍ତି ନିଆ ଯାଇନାହିଁ।
ମିଳିଥିବା ସୂଚନା ଅନୁସାରେ, ଆଧାର ବାଧ୍ୟତାମୂଳକ ପ୍ରସଙ୍ଗ ମଧ୍ୟ ବଚାରାଧୀନ ରହିଛି। ୫୦ ହଜାରରୁ ଅଧିକ ଟଙ୍କା ଜମା କରିବା ସମୟରେ ପ୍ୟାନ୍‍ କାର୍ଡ଼ ଯେପରି ବାଧ୍ୟତାମୂଳକ ଠିକ୍‍ ସେହିପରି ମୋଟା ଅଙ୍କର ନେଣଦେଣ ପାଇଁ ଆଧାର ପ୍ରମାଣପତ୍ରକୁ ମଧ୍ୟ ବାଧ୍ୟତାମୂଳକ କରାଇବା ପ୍ରସ୍ତାବକୁ ନେଇ ବିଚାର ବିମର୍ଶ ଜାରି ରହିଛି।
କାଗଜ ମୁଦ୍ରାର ପ୍ରଚଳନକୁ କମ୍‍ କରିବା ଓ କଳାଧନ ଉପରୁ ପରଦା ଉଠାଇବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି ଶୁଣିବାକୁ ମିଳିଛି।

Comments are closed.