ଏପ୍ରିଲ ସୁଦ୍ଧା ସରିବ ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟା

ନୂଆଦିଲ୍ଲୀ : ଦଶଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ସମ୍ପର୍କରେ କେନ୍ଦ୍ର ସରକାର ଚଳିତ ସପ୍ତାହରେ ଘୋଷଣା କରିବା ଆଶାକରାଯାଉଛି। ଦଶଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ଚାରିଟି ବୃହତ୍‍ ବ୍ୟାଙ୍କରେ ପରିଣତ କରାଯିବ। ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହିସବୁ ବ୍ୟାଙ୍କର ବୋର୍ଡ ସଦସ୍ୟମାନେ ସେମାନଙ୍କର ଆବଶ୍ୟକ ଅନୁମୋଦନ ଦେବେ। ଉଲ୍ଲେଖଯୋଗ୍ୟ ଯେ ମିଶ୍ରଣ ହେବାକୁ ଥିବା ପ୍ରତ୍ୟେକ ବ୍ୟାଙ୍କ ସେମାନଙ୍କ ସଂଖ୍ୟାଲଘୁ ଅଂଶୀଦାରଙ୍କ ସ୍ୱାର୍ଥ ସୁରକ୍ଷିତ ରଖିବା ଦିଗରେ ନିୟାମକ ସର୍ତ୍ତାବଳୀକୁ ଅନୁସରଣ କରିବେ।

ମିଳିଥିବା ସୂଚନା ମୁତାବକ ମିଶ୍ରଣ ପ୍ରକ୍ରିୟା ଏପ୍ରିଲ ସୁଦ୍ଧା ଶେଷହେବ। ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଜଣେ ତୁଙ୍ଗ ଅଧିକାରୀ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ବ୍ୟାଙ୍କ ମିଶ୍ରଣ ନିମନ୍ତେ ଚଳିତ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇବା ଆଶାକରାଯାଉଛି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସର୍ବବୃହତ୍‍ ମିଶ୍ରଣ ପ୍ରୟାସର ଅଂଶସ୍ୱରୂପ ସରକାର ଗତବର୍ଷ ଅଗଷ୍ଟରେ ଦେଶରେ ଚାରିଟି ବୃହତ୍‍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗଠନ ସମ୍ପର୍କରେ ଘୋଷଣା କରିଥିଲେ। ଏଥିସହିତ ଦେଶରେ ସମ୍ପ୍ରତି ମୋଟ ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଥିବାବେଳେ ସେହି ସଂଖ୍ୟା ୧୨କୁ ହ୍ରାସପାଇବ। ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ବିଶ୍ୱସ୍ତରୀୟ ବ୍ୟାଙ୍କ ଗଠନ ଲକ୍ଷ୍ୟନେଇ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସରକାରୀ ପ୍ରସ୍ତାବ ଅନୁଯାୟୀ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ମିଶ୍ରଣ ହେବ ଏବଂ ଏହାଦ୍ୱାରା ଦେଶର ଦ୍ୱିତୀୟ ସର୍ବବୃହତ୍‍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗଠିତ ହେବ। ଅନୁରୂପ ଭାବେ ସିଣ୍ଡିକେଟ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହିତ ଓ ଆଲ୍ଲାହାବାଦ ବ୍ୟାଙ୍କକୁ ଇଣ୍ଡିଆନ ବ୍ୟାଙ୍କ ସହିତ ମିଶାଇଦିଆଯିବ। ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କକୁ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ମିଶାଇବାକୁ ସରକାରୀ ପ୍ରସ୍ତାବରେ କୁହାଯାଇଛି।

ମିଶ୍ରଣ ପରବର୍ତ୍ତୀ ସମୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଆକାର ୧୭.୯୪ ଲକ୍ଷ କୋଟି ଟଙ୍କା ହେବା ସହିତ ଏହା ଭାରତୀୟ ଷ୍ଟେଟ ବ୍ୟାଙ୍କ (୫୨.୦୫ ଲକ୍ଷ କୋଟି ଟଙ୍କା) ପରେ ଦେଶର ଦ୍ୱିତୀୟ ବୃହତ୍‍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେବ। ସେହିଭଳି କାନାରା ବ୍ୟାଙ୍କ ୧୫.୨ ଲକ୍ଷ କୋଟି ଟଙ୍କା ସହିତ ଚତୁର୍ଥ ବୃହତ୍‍ ଏବଂ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ୧୪.୫୯ ଲକ୍ଷ କୋଟି ଟଙ୍କା ସହିତ ପଞ୍ଚମ ବୃହତ୍‍ ବ୍ୟାଙ୍କ ହେବ। ଇତିମଧ୍ୟରେ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ ପରେ ବ୍ୟାଙ୍କ ଅଫ ବରୋଦା ଦେଶର ତୃତୀୟ ବୃହତ୍‍ ବ୍ୟାଙ୍କ ଭାବେ ଉଭା ହୋଇଛି। ଏହାର ମୋଟ ବ୍ୟବସାୟ ୧୬.୧୩ ଲକ୍ଷ କୋଟି ଟଙ୍କା ରହିଛି।

Comments are closed.