୨୦୨୪ ସୁଦ୍ଧା ବାୟୁ ପ୍ରଦୂଷଣ ସ୍ତର ୩୦ ପ୍ରତିଶତ ହ୍ରାସ ପାଇଁ ଯୋଜନା

ନୂଆଦିଲ୍ଲୀ: ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡ୍‍କର କହିଛନ୍ତି, କେନ୍ଦ୍ର ସରକାର ଜାତୀୟ ପ୍ରଦୂଷଣମୁକ୍ତ ବାୟୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଦେଶରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଏକ ଦୀର୍ଘମିଆଦି ତଥା ଜାତୀୟ ସ୍ତରୀୟ ରଣକୌଶଳ ସହ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି। ସେ କହିଛନ୍ତି, ୨୦୨୪ ସୁଦ୍ଧା ପିଏମ ୧୦ ଓ ପିଏମ ୨.୫ ସ୍ତର ଶତକଡା ୨୦ରୁ ୩୦ଭାଗ ପର୍ଯ୍ୟନ୍ତ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥି ପାଇଁ ୨୦୧୭କୁ ମୂଳବର୍ଷ ଭାବେ ଗଣାଯିବ।

ମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଅଧୀନରେ ୨୦୧୧ରୁ ୨୦୧୫ ମଧ୍ୟରେ ବାୟୁର ମାନ ସମ୍ବନ୍ଧୀୟ ତଥ୍ୟ ଓ ୨୦୧୪ରୁ ୨୦୧୮ ମଧ୍ୟରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟକୁ ଭିତ୍ତିକରି ୧୦୨ଟି ସହରକୁ ଚିହ୍ନଟ କରାଯାଇଛି। ବିଭିନ୍ନ ସହରରେ ପ୍ରଦୂଷଣ ଭିନ୍ନ ଭିନ୍ନ ବର୍ଗରେ ଆସୁଥିବାର ଜଣାପଡିଛି ଓ ନିର୍ଦ୍ଧିଷ୍ଟ ସହର ପାଇଁ ନିର୍ଦ୍ଧିଷ୍ଟ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନାଗୁଡିକୁ ସେହି ୧୦୨ଟି ସହରରେ ଲାଗୁ କରାଯିବ।

Comments are closed.