ଘରେ ରହିପାରିବେ କରୋନା ସଂକ୍ରମିତ ; ପାଳନ କରିବେ ଏହି ମାର୍ଗଦର୍ଶୀକା

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ବ୍ୟକ୍ତି ବିଶେଷ ଘରେ କିଭଳି ପୃଥକ୍‍ ଭାବେ ରହିବେ ସେ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାର୍ଗଦର୍ଶୀକା ଜାରି କରିଛି। ବିଦେଶକୁ ଗସ୍ତ କରିଥିବା ବା ନକରିଥିବା କୌଣସି ବ୍ୟକ୍ତିବିଶେଷ ଯଦି କରୋନା ଭୂତାଣୁ ବା କୋଭିଡ୍‍-୧୯ରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଏ ତେବେ ସେମାନେ ନିଜକୁ ପୃଥକ୍‍ ଭାବେ ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Image : @MoHFW_INDIA

-ଘରେ ପୃଥକ୍‍ଭାବେ ରହୁଥିବା ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତି ଭଲଭାବେ ବାୟୁ ଚଳାଚଳ କରୁଥିବା ଘରେ ରହିବା ସହ ସେହି ଘର ସହିତ ସଂଲଗ୍ନ ବା ପୃଥକ୍‍ ଭାବେ ଥିବା ଶୌଚାଳୟ ବ୍ୟବହାର କରିବା ଆବଶ୍ୟକ।

-ଯଦି ସେହି ଘରେ ଅନ୍ୟକୌଣସି ପରିବାର ସଦସ୍ୟ ରହିବାକୁ ଚାହାନ୍ତି ତେବେ ସେ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଅତି କମରେ ୧ ମିଟରରୁ ୨ ମିଟର ଦୂରତା ବଜାୟ ରଖିବା ଆବଶ୍ୟକ।

-ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତି କିମ୍ବା ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଛୋଟପିଲା ଏବଂ ଅନ୍ୟ କୌଣସି ରୋଗଗ୍ରସ୍ତ ବ୍ୟକ୍ତିଙ୍କଠାରୁ ଦୂରରେ ରହିବା ଆବଶ୍ୟକ।

-କୌଣସି ପରିସ୍ଥିତିରେ ମଧ୍ୟ କରୋନା ସଂକ୍ରମିତ ବ୍ୟକ୍ତି ବିବାହ ବା ଶୋକସଭା ଭଳି କୌଣସି ସାମାଜିକ ବା ଧାର୍ମିକ କାର୍ଯ୍ୟରେ ଯୋଗଦେବା ଉଚିତ୍‍ ନୁହେଁ।

-ଏଥିସହ ସେ ବାରମ୍ବାର ସାବୁନ୍‍, ସାନିଟାଇଜର କିମ୍ବା ପାଣିରେ ହାତ ଧୋଇବା ଭଳି ସ୍ୱାସ୍ଥ୍ୟ ସଚେତନତା ପାଳନ କରିବା ଆବଶ୍ୟକ।

-ସଂକ୍ରମିତ ବ୍ୟକ୍ତି ସବୁ ସମୟରେ ଏକ ସର୍ଜିକାଲ ମାସ୍କ ପିନ୍ଧିବା ଆବଶ୍ୟକ ଏବଂ ପ୍ରତି ୬ରୁ ୮ଘଣ୍ଟା ମଧ୍ୟରେ ଏହି ମାସ୍କ ବଦଳାଇବା ଉଚିତ୍‍।

-କାଶ, ଜ୍ୱର କିମ୍ବା ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କଲାଭଳି ଲକ୍ଷଣ ଦେଖାଦେଲେ ସଂପୃକ୍ତ ବ୍ୟକ୍ତି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

-ମନ୍ତ୍ରଣାଳୟ ପକ୍ଷରୁ ଏକ ହେଲ୍‍ପଲାଇନ୍‍ ନମ୍ବର ଜାରି କରାଯାଇଛି, ନମ୍ବରଟି ହେଉଛି ୦୧୧-୨୩୯୭୮୦୪୬

ସଂକ୍ରମିତ ବ୍ୟକ୍ତି ନିଜ ଘରେ ପୃଥକ୍‍ଭାବେ ୧୪ଦିନ ପର୍ଯ୍ୟନ୍ତ ରହିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Comments are closed.