ବିଦେଶରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ :  ଆସନ୍ତା ୮ ତାରିଖରୁ ବିଦେଶରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ ଏହାର ନିର୍ଦ୍ଦେଶବାଳୀରେ କହିଛି, ବିମାନ ଯାତ୍ରା ପାଇଁ ଯୋଜନା କରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ newdelhi airport.inକୁ ଏକ ସ୍ୱେଚ୍ଛାକୃତ ଘୋଷଣାପତ୍ର ଅନ୍‍ଲାଇନ୍‍ ଜରିଆରେ ପଠାଇବାକୁ ହେବ। ଯାତ୍ରାର ଅତିକମରେ ୭୨ ଘଣ୍ଟା ପୂର୍ବରୁ ଏହି ଘୋଷଣାପତ୍ର ପଠାଇବାକୁ ପଡ଼ିବ। ସେହି ଯାତ୍ରୀମାନେ ବାଧ୍ୟତାମୂଳକ ଭାବେ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନ କେନ୍ଦ୍ରରେ ରହିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବାକୁ ପଡ଼ିବ। ତାହା ମଧ୍ୟରେ ୭ ଦିନର ଅନୁଷ୍ଠାନଗତ ଆଇସୋଲେସନ ଓ ଅନ୍ୟ ୭ ଦିନର ସ୍ୱେଚ୍ଛାକୃତ ଆଇସୋଲେସନ ଅନ୍ତର୍ଭୁକ୍ତ। ଅନୁଷ୍ଠାନଗତ ଆଇସୋଲେସନ ପାଇଁ ଯାତ୍ରୀମାନଙ୍କୁ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ସ୍ୱେଚ୍ଛାକୃତ ଆଇସୋଲେସନ ସମୟରେ ସେମାନଙ୍କୁ ନିଜ ଘରେ ଅଲଗା ହୋଇ ରହିବାକୁ ପଡ଼ିବ। କେବଳ ଗର୍ଭବତୀ ମହିଳା, କୌଣସି ଲୋକଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାକୁ ଆସୁଥିବା ବ୍ୟକ୍ତି, କିମ୍ବା ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ୧୪ଦିନର ବାସଗୃହ ଆଇସୋଲେସନ ପାଇଁ ଅନୁମତି ଦିଆଯିବ।

ଯେଉଁ ଯାତ୍ରୀମାନେ ଆର୍‍ଟି-ପିସିଆର ପରୀକ୍ଷାର ନେଗେଟିଭ୍‍ ରିପୋର୍ଟ ଦାଖଲ କରିବେ ସେମାନଙ୍କୁ ଅନୁଷ୍ଠାନଗତ ଆଇସୋଲେସନରୁ ଛାଡ଼ ମିଳିବ। ସେହି ଆର୍‍ଟି-ପିସିଆର ପରୀକ୍ଷା ବିମାନ ଯାତ୍ରାର ୯୬ ଘଣ୍ଟା ପୂର୍ବରୁ କରାଯାଇଥିବା ଆବଶ୍ୟକ। ବିମାନରେ ଚଢ଼ିବା ପୂର୍ବରୁ କ’ଣ କରିବାକୁ ହେବ ଏବଂ କ’ଣ ନ କରିବାକୁ ହେବ ସେ ସଂକ୍ରାନ୍ତରେ ଟିକେଟ୍‍ ସହ ଯାତ୍ରୀମାନଙ୍କୁ ଜଣାଇଦିଆଯିବ। ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ମୋବାଇଲ୍‍ ଫୋନରେ ଆରୋଗ୍ୟ ସେତୁ ଆପ୍‍ ଡାଉନ୍‍ଲୋଡ କରିବାକୁ ବାଧ୍ୟତାମୂଳକ କରାଯାଇଛି। କେବଳ ଯେଉଁ ଯାତ୍ରୀମାନଙ୍କ ଶରୀରରେ କୋଭିଡ୍‍-୧୯ର କୌଣସି ଲକ୍ଷଣ ନଥିବ, ସେହିମାନେ ବିମାନ ଯାତ୍ରା କରିପାରିବେ। ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ଯାତ୍ରୀମାନଙ୍କର ଥର୍ମାଲ୍‍ ସ୍କ୍ରିନିଂ କରାଯିବ। ସେଠାରେ ଯଦି କୌଣସି ଯାତ୍ରୀଙ୍କ ଶରୀରରେ କୋଭିଡ୍‍-୧୯ର ଲକ୍ଷଣ ଦେଖାଦିଏ, ତେବେ ତୁରନ୍ତ ତାଙ୍କୁ ଅଲଗା ସ୍ଥାନକୁ ନିଆଯାଇ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ରାଜ୍ୟ ସରକାରମାନେ ବିମାନ ଯାତ୍ରୀମାନଙ୍କର ପୃଥକୀକରଣ ବିଷୟରେ ସେମାନଙ୍କର ନିଜସ୍ୱ ନିୟମାବଳୀ ଜାରି କରିପାରିବେ।

Comments are closed.