ଓଡ଼ିଶା ଓ ପଶ୍ଚିମବଙ୍ଗ ବାତ୍ୟା ବିପନ୍ନ ଅଞ୍ଚଳର ସ୍ଥିତି ସମୀକ୍ଷା କଲେ ଜାତୀୟ ସଂକଟ ପରିଚାଳନା କମିଟି

 ଅତିରିକ୍ତ ସହାୟତା ଯୋଗାଣ ସହ ଦୁଇ ରାଜ୍ୟର କ୍ଷୟକ୍ଷତି ଆକଳନ ପାଇଁ କ୍ୟାବିନେଟ ସଚିବଙ୍କ ନିର୍ଦ୍ଦେଶ

ନୂଆଦିଲ୍ଳୀ ; କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ସଂକଟ ପରିଚାଳନା କମିଟି (ଏନସିଏମସି) ବୈଠକରେ ଗୁରୁବାର ସାମୁଦ୍ରିକ ବାତ୍ୟା ଅମ୍ଫନ ଦ୍ୱାରା ପ୍ରଭାବିତ ଓଡ଼ିଶା ଓ ପଶ୍ଚିମବଙ୍ଗର ବିପନ୍ନ ଅଞ୍ଚଳର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଛି । ଏହି ବୈଠକରେ ସଂପୃକ୍ତ ଦୁଇ ରାଜ୍ୟର ପ୍ରତିନିଧିଙ୍କ ସହ ଅନ୍ୟାନ୍ୟ ମନ୍ତ୍ରଣାଳୟ, ବିଭାଗ ଓ ସଂସ୍ଥାର ଅଧିକାରୀମାନେ ଭାଗ ନେଇଥିଲେ ।

ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଦ୍ୱୟ କହିଥିଲେ ଯେ ବାତ୍ୟା ଅମ୍ଫନର ଗତିବିଧି ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗର ନିର୍ଭୁଲ ପ୍ରାକ୍ ସୂଚନା ତଥା ଯଥେଷ୍ଟ ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଏନଡିଆରଏଫ ମୁତୟନ ହେବା ଫଳରେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ସମ୍ଭବ ହୋଇଛି । ପଶ୍ଚିମବଙ୍ଗରେ ୫ ଲକ୍ଷ ଏବଂ ଓଡ଼ିଶାରେ ପ୍ରାୟ ୨ ଲକ୍ଷ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତରିତ କରି ନିରାପଦ ସ୍ଥାନରେ ଆଶ୍ରୟ ଦିଆଯାଇଥିଲା । ଏହା ଫଳରେ ବାତ୍ୟା ଯୋଗୁ ଜୀବନହାନୀ ହାର ସର୍ବନିମ୍ନ ରହିଛି ।

ଏହି ବାତ୍ୟାରେ ପଶ୍ଚିମବଙ୍ଗ ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ସେଠାକୁ, ବିଶେଷ କରି କୋଲକାତାକୁ ଅଧିକ ଏନଡିଆରଏଫ ଦଳ ପଠାଯାଇଛି । ବିପନ୍ନ ଲୋକଙ୍କୁ ତୁରନ୍ତ ଖାଦ୍ୟ ଯୋଗାଇବା ପାଇଁ ଭାରତୀୟ ଖାଦ୍ୟ ନିଗମ ପଶ୍ଚିମବଙ୍ଗକୁ ପର୍ଯ୍ୟାପ୍ତ ପରିମାଣର ଚାଉଳ ଯୋଗାଣ ନିଶ୍ଚିତ କରୁଛି ।

ଉଭୟ ରାଜ୍ୟରେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ଓ ଟେଲିଫୋନ ସଂଚାର ବ୍ୟବସ୍ଥାକୁ ଶୀଘ୍ର ସୁଧାରିବା ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଓ ଟେଲିକମ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ରେଳବାଇର ଭିତ୍ତିଭୂମି ଓ ସମ୍ପତ୍ତି ବାତ୍ୟା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଛି । ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚଳାଇ ଶୀଘ୍ର ସେବା ଆରମ୍ଭ କରିବାକୁ ରେଳବାଇ ଚେଷ୍ଟା କରୁଛି ।

କ୍ୟାବିନେଟ ସଚିବ ଶ୍ରୀ ଗୌବା ବାତ୍ୟାଞ୍ଚଳର ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ସହ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସରକାରଙ୍କ ସହ ସମ୍ପର୍କରେ ରହି ଆବଶ୍ୟକ ସ୍ଥଳେ ଅତିରିକ୍ତ ସହାୟତା ଯୋଗାଇଦେବାକୁ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୟକ୍ଷତିର ଆକଳନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବାକୁ ତୁରନ୍ତ ଦୁଇ ରାଜ୍ୟକୁ କେନ୍ଦ୍ରୀୟ ଦଳ ପଠାଯିବା ନେଇ କ୍ୟାବିନେଟ ସଚିବ ସୂଚନା ଦେଇଛନ୍ତି ।

ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର, ପ୍ରତିରକ୍ଷା, ଜାହାଜ ଚଳାଚଳ, ବେସାମରିକ ବିମାନ ଚଳାଚଳ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଶକ୍ତି, ଯୋଗାଯୋଗ, ଇସ୍ପାତ, ପାନୀୟ ଜଳ ଓ ପରିମଳ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥା ଭାରତୀୟ ପାଣିପାଗ ବିଭାଗ, ଏନଡିଏମଏ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ  ଯୋଗ ଦେଇଥିଲେ।

Comments
Loading...