ଗୋବିନ୍ଦତୋଲା ଦୁର୍ଗାପୂଜା : ରୂପା ଛତ୍ରରେ ଝଲସିବେ ମାଁ ଭୁବନେଶ୍ୱରୀ, ମନ୍ଦିର ଶୈଳୀରେ ତୋରଣ

ସମ୍ବଲପୁର  : ସମ୍ବଲପୁରର ପ୍ରମୁଖ ଦୁର୍ଗା ପୂଜା ଉତ୍ସବ ମାନଙ୍କ ମଧ୍ୟରେ ଗୋବିନ୍ଦତୋଲା ଦୁର୍ଗା ପୂଜା ଅନ୍ୟତମ ପ୍ରମୁଖ ପୂଜା ଉତ୍ସବ । ବିଗତ ୨ ବର୍ଷ ହେବ କରୋନାର ସଙ୍କଟ ପାଇଁ କେବଳ ବିଧିରକ୍ଷାରେ ସୀମିତ ଥିବା ଦୁର୍ଗା ଉତ୍ସବ ଚଳିତ ବର୍ଷ କୌଣସି କଟକଣା ନ ଥିବାରୁ କମିଟି ତରଫରୁ ପ୍ରବଳ ଉତ୍ସାହର ସହିତ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦିଆଯାଉଛି । ଚଳିତ ବର୍ଷ ୫୪ ବର୍ଷରେ ପର୍ଦାପଣ କରିଥିବା ଏହି ପୂଜା କମିଟି ପ୍ରତି ବର୍ଷ ଏହାର ଆକର୍ଷଣୀୟ ତୋରଣ, ସାଜସଜ୍ଜା ଓ ପୂଜା ମଣ୍ଡପ ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ। ଚଳିତ ବର୍ଷ ଦୁର୍ଗା ପୂଜା ଉତ୍ସବ ପାଇଁ କମିଟି ତରଫରୁ ମାଁ  ଭୂବନେଶ୍ୱରୀଙ୍କ ପାଇଁ ପ୍ରାୟ ୫ କିଗ୍ରା ଓଜନର ଏକ ଭବ୍ୟ ରୂପା ଛତ୍ର ନିର୍ମାଣ କରାଯାଇଛି।

ଇତିହାସ
ସହରର ଅନ୍ୟତମ ବିଖ୍ୟାତ ଦୁର୍ଗା ପୂଜା କମିଟି  ୧୯୬୮ ମସିହାରେ ଆରମ୍ଭ ହୋଇଥିଲା । ସେ ସମୟରେ ସ୍ଥାନୀୟ ନିବାସୀଙ୍କ ଉଦ୍ୟମରେ ମାତ୍ର କିଛି ହଜାର ଟଙ୍କା ସମ୍ବଳରେ ଆରମ୍ଭ କରାଯାଇଥିବା ଏହି ଦୁର୍ଗା ପୂଜା ଉତ୍ସବ ଏବେ ପ୍ରାୟ ୨୫ ଲକ୍ଷ ଟଙ୍କାରେ ପହଞ୍ଚି ସାରିଛି । ତେବେ ପ୍ରତିସ୍ପର୍ଦ୍ଧାର ମାହୋଲ ଓ ଯୁଗର ସହିତ ନିଜକୁ ଢ଼ାଳି ଏହି ପୂଜା କମିଟି ସହର ତଥା ପଶ୍ଚିମ ଓଡିଶାର ଅନ୍ୟତମ ପ୍ରମୁଖ ପୂଜା ମଣ୍ଡପ ଭାବରେ ଉଭା ହୋଇଛି। ଗୋବିନ୍ଦତୋଲା ଦୁର୍ଗା ପୂଜା ଉତ୍ସବକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ସାରା ପଶ୍ଚିମ ଓଡିଶାରୁ ଲୋକ ଦେଖିବାକୁ ଆସିଥାନ୍ତି।

ରିତିନୀତି ଓ ପରମ୍ପରା
ଏହି ପୂଜା କମିଟି ପକ୍ଷରୁ ରବିବାର ମହାଳୟା ପୂଜା ପରେ ଆସନ୍ତା ଶନିବାର ଷଷ୍ଠୀ ତିଥି (ଚଳିତ ବର୍ଷ ଅକ୍ଟୋବର ୧ ତାରିଖ) ରେ ବିଲ୍ବ ବରଣ, ଭବ୍ୟ କଳସ ଯାତ୍ରା, ଆବହନ ଓ ସ୍ଥାପନା ପୂଜାସ୍ଥଳରେ କରାଯିବ। ସପ୍ତମୀ ତିଥି (ଅକ୍ଟୋବର ୨ ତାରିଖ) ରେ ମହାସପ୍ତମୀ ପୂଜାରମ୍ଭ, ଅଖଣ୍ଡ ଦୀପ ପ୍ରଜ୍ୱଳନ ଓ ମହିଳା ଓ ଝିଅ ମାନେ ମଣ୍ଡପ ଠାରେ ଭାଇ ଜୁଅଁତିଆ ପୂଜା, ଅଷ୍ଟମୀ ତିଥି (ଅକ୍ଟୋବର ୩ ତାରିଖ) ରେ ସନ୍ଧି ପୂଜା, ନବମୀ ତିଥି (ଅକ୍ଟୋବର ୪ ତାରିଖ) ରେ ମହାନବମୀ, ନବ କୁମାରୀ ପୂଜା ଓ ଚଣ୍ଡି ହୋମ ଏବଂ ବିଜୟା ଦଶମୀ ତିଥି (ଅକ୍ଟୋବର ୫ ତାରିଖ) ରେ ବିଜୟା ଦଶମୀ ପୂଜା, ଅପରାଜିତା ପୂଜା ଓ ଘଣ୍ଟ ବିସର୍ଜନ କରାଯିବ। ଭସାଣୀ ଶୋଭାଯାତ୍ରା ୬ ତାରିଖ ଅପରାହ୍ନରେ ଆୟୋଜିତ ହେବ।

ଖର୍ଚ୍ଚ
କରୋନା ସଙ୍କଟ ପରେ ଆୟୋଜିତ ହେଉଥିବା ଚଳିତ ବର୍ଷର ପୂଜା ଉତ୍ସବ ପାଇଁ କମିଟି ତରଫରୁ ୨୫ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି। ପୂଜାର ମଣ୍ଡପ ଓ ତୋରଣ ଏକ ଭବ୍ୟ ମନ୍ଦିରର ଶୈଳୀରେ ଜିଲା ବାହାରୁ ଆସିଥିବା କାରିଗର ମାନଙ୍କ ଦ୍ୱାରା ନିର୍ମାଣ କରାଯାଉଛି। ଆଲୋକ, ସାଜସଜ୍ଜା ଓ ତୋରଣ ପାଇଁ ୬ ଲକ୍ଷ ଟଙ୍କା, ପୂଜା ଓ ଭୋଗ ପାଇଁ ୨ ଲକ୍ଷ ଟଙ୍କା, ମୂର୍ତ୍ତି ନିର୍ମାଣ ପାଇଁ ୫୦ ହଜାର, ପ୍ରାୟ ୧ କିମି ଲମ୍ବର ଚିତ୍ତାକର୍ଷକ ଆଲୋକ ସାଜସଜ୍ଜା ପାଇଁ ୬ ଲକ୍ଷ ଟଙ୍କା ସମେତ ଭସାଣି ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ନିମନ୍ତେ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି। ପୂଜା ଉତ୍ସବ ପାଇଁ ସମସ୍ତ ଅର୍ଥ ଅଞ୍ଚଳର ଜନସାଧାରଣ ଓ ବଦାନ୍ୟ ବ୍ୟକ୍ତି ମାନଙ୍କ ଦ୍ୱାରା ଦାନସୂତ୍ରରେ ମିଳୁଛି।

ମୁଖ୍ୟ ଆକର୍ଷଣ
ଦୁର୍ଗା ଉତ୍ସବ ସହିତ ପୂଜା କମିଟି ଚଳିତ ବର୍ଷ କଟକର କାରିଗର ମାନଙ୍କ ଦ୍ୱାରା ନିର୍ମିତ ପ୍ରାୟ ୫ କିଗ୍ରାର ରୂପାର ଛତ୍ର ଏବଂ ମନ୍ଦିର ଶୈଳୀର ତୋରଣ ମୁଖ୍ୟ ଆକର୍ଷଣ ରହିବ। ସ୍ଥାନୀୟ ଲୋକନୃତ୍ୟ ଓ ସଂସ୍କୃତିକୁ ପ୍ରୋତ୍ସାହିତ କରି ଆସୁଥିବାରୁ ଲୋକନୃତ୍ୟକୁ ବିଶେଷ ପ୍ରାଧାନ୍ୟ ପ୍ରଦାନ କରାଯାଇଛି। ଏଣୁ ଚଳିତ ବର୍ଷର ଉତ୍ସବରେ ଶତାଧିକ ଲୋକ କଳାକାର ସାମିଲ ହେଉଛନ୍ତି। ଏଥିରେ ପୁରୀର ଦେବାଦେବୀ ପରଭା ନୃତ୍ୟ, କଣ୍ଢେଇ ନୃତ୍ୟ, ଡିଜେ, ଦୁଲଦୁଲି, ଆଦି ବିଭିନ୍ନ ଲୋକ ନୃତ୍ୟ ଓ କଳାକାର ମାନଙ୍କୁ ଉତ୍ସବରେ ସାମିଲ କରାଯାଇଛି। ସେହିଭଳି ମୂଖ୍ୟ ତୋରଣ ସମେତ ୧ କିମି ଦୀର୍ଘ ରାସ୍ତାକୁ ବିଭିନ୍ନ ପ୍ରକାରର ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯିବ।

କର୍ମକର୍ତ୍ତା
ପୂଜକ – ଜଗଦିଶ ଦାଶ, କର୍ତ୍ତା – ପ୍ରକାଶ କୁମାର ପଣ୍ଡା ଓ ତାଙ୍କର ଧର୍ମପତ୍ନୀ, ସଭାପତି – ପ୍ରଦୀପ ପାଢ଼ୀ, ଉପ ସଭାପତି – ସଞ୍ଜୟ ସାହୁ, ସମ୍ପାଦକ – ଶୁଭମ ମହାପାତ୍ର, ସହ ସମ୍ପାଦକ – ଏଲ. ପଟ୍ଟନାୟକ, କୋଷାଧ୍ୟକ୍ଷ ବାଙ୍କ ବିହାରୀ ପଣ୍ଡା, ସହ କୋଷାଧ୍ୟକ୍ଷ ନରେଶ ସୁନା, ଲଟେରୀ ଅଧ୍ୟକ୍ଷ ରମାକାନ୍ତ ବେରିହା, କୋଷାଧ୍ୟକ୍ଷ ମନୋଜ ନାୟକ ଓ ଗଣମାଧ୍ୟମ ସଂଯୋଜକ ଜୟନାରାୟଣ ଶତପଥି ରହିଛନ୍ତି।

୨ ବର୍ଷର ଅନ୍ତରାଳରେ ଆୟୋଜିତ ହେଉଥିବା ଦୁର୍ଗା ପୂଜା ଉତ୍ସବକୁ ଚଳିତ ବର୍ଷ ଭବ୍ୟ ରୂପେ ଆୟୋଜିତ କରିବାକୁ କମିଟି ତରଫରୁ ଉଦ୍ୟମ ଚାଲିଥିବା ବେଳେ ଭକ୍ତ ମାନେ ମାଁ ଙ୍କୁ ପୂଜା ମଣ୍ଡପରେ ଦର୍ଶନ ନିମନ୍ତେ ଆତୁର ରହିଛନ୍ତି। ପୂଜା ଉତ୍ସବରେ ପ୍ରବଳ ଜନସମାଗମକୁ ଧ୍ୟାନରେ ରଖି ଶାନ୍ତି ଶୃଙ୍ଖଳାର ସହିତ ଉତ୍ସବକୁ ଶେଷ କରିବା ପାଇଁ କମିଟି ବିଭିନ୍ନ ପଦକ୍ଷେପ ନେଇଛି। ପୁଲିସ ପ୍ରଶାସନ ସହିତ ସର୍ମ୍ପକ ରକ୍ଷା କରି ଉତ୍ସବକୁ ସୁରୁଖୁରୁରେ ଆୟୋଜିତ କରିବା ପାଇଁ ସ୍ୱେଚ୍ଛାସେବୀ ମାନଙ୍କୁ ମଧ୍ୟ ନିୟୋଜିତ କରାଯିବ।

Comments are closed.