ଜେଲ ଗଲେ ଗୋବିନ୍ଦ

-ପରୀକ୍ଷାଗାର ପ୍ରମାଣ ଭରସାରେ ପୁଲିସ
-ସୁରକ୍ଷା ଦୃଷ୍ଟିରୁ ଗୋବିନ୍ଦକୁ ରାତିରେ ଚାଲାଣ
-‘ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ତଦନ୍ତ ଆରମ୍ଭ ହୋଇନି’
-ରାଧେ ଘରୁ ମିଳିଥିବା ବ୍ୟାଗ୍‌ ଚିହ୍ନଟ ହୋଇନି
-ଆବଶ୍ୟକ ହେଲେ ପୁଣି ଜିମାରେ ଅଣାଯିବ

ବଲାଙ୍ଗିର : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ସାରିଛି। ଗୋବିନ୍ଦ ସାହୁକୁ ରାଧେଶ୍ୟାମ ଚଣ୍ଡୀ ସହଯୋଗ କରିଥିଲା। ସୋମବାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ୫ ଦିନିଆ ଜିମା ଶେଷ ପରେ ତାକୁ ବଙ୍ଗୋମୁଣ୍ଡା ଜେଏମଏଫସି ଅଦାଲତ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ କଣ୍ଟାବାଞ୍ଜି କାରାଗାର ପଠେଇ ଦିଆଯାଇଛି। ପୂର୍ବରୁ ଗିରଫ ରାଧେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଥିବା ବଲାଙ୍ଗିର ଜିଲା ପୁଲିସ୍‌ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଆରକ୍ଷୀ ଉପମହାନିରୀକ୍ଷକ ଡା. ଦୀପକ କୁମାର ସୂଚନା ଦେଇଛନ୍ତି।
ଆବଶ୍ୟକ ହେଲେ ତଦନ୍ତ ପାଇଁ ଦୁଇ ଅଭିଯୁକ୍ତଙ୍କୁ ପୁଣି ଥରେ ଜିମାରେ ଅଣାଯିବ ବୋଲି ଡା. ଦୀପକ କୁମାର ସୂଚନା ଦେଇଛନ୍ତି। ପୁଲିସ୍‌ ସାମ୍ନାରେ ଅନେକ କିଛି ତଥ୍ୟ ରଖିଛି ଗୋବିନ୍ଦ। ରାଧେ ମଧ୍ୟ ଗୋବିନ୍ଦକୁ ହତ୍ୟା ସମୟରେ କିଭଳି ସହଯୋଗ କରିଥିଲା ପୁଲିସ୍‌ ଆଗରେ ସ୍ୱୀକାର କରିଛି। ଏହା ସହ ଘଟଣାସ୍ଥଳରୁ
ଯେଉଁ ସବୁ ସାମଗ୍ରୀ ଜବତ ହୋଇଛି ତାହା ପୁଲିସ୍‌ ପାଇଁ ପ୍ରମାଣ। ବ୍ୟବସ୍ଥା ଅନୁସାରେ ପୁଲିସ କାହାର ବ୍ୟକ୍ତିଗତ ଫୋନ କଲ ରେକର୍ଡ ଯାଞ୍ଚ କରି ପାରିବ ନାହିଁ। ତାହା ସମ୍ପୂର୍ଣ୍ଣ ଭାବେ ଘଟଣାର ତଦନ୍ତ କରୁଥିବା ଅଧିକାରୀଙ୍କ ଇଚ୍ଛାଧୀନ ବ୍ୟାପାର। ସିଆରପିସି ଅନୁଯାୟୀ ଆମେ ତଦନ୍ତ କରୁଛୁ ବୋଲି ଡା. ଦୀପକ କୁମାର କହିଥିଲେ। ମହାଲିଙ୍ଗ କ୍ରୀଡାଙ୍ଗନର ଗାତରୁ ମିଳିଥିବା ଦରପୋଡା ମୋବାଇଲ, ବ୍ୟାଗ୍‌, ଚେନ୍‌ ଓ ବ୍ରେସଲେଟ୍‌ ମମିତାଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି। କିନ୍ତୁ ରାଧେ ଘରୁ ଜବତ ହୋଇଥିବା ବ୍ୟାଗ ଓ ମୋବାଇଲକୁ ମମିତାଙ୍କ ପରିବାର ଚିହ୍ନଟ କରି ନାହାନ୍ତି। ଅଦାଲତରେ ବିଚାର ସମୟରେ ଉପଯୁକ୍ତ ପ୍ରମାଣ ତଦନ୍ତକାରୀ ଅଧିକାରୀ ରଖିବେ। ମହାଲିଙ୍ଗ କ୍ରୀଡାଙ୍ଗନରୁ ମିଳିଥିବା ମମିତାଙ୍କ ଦରପୋଡା ସାମଗ୍ରୀ ପ୍ରାଥମିକ ପ୍ରମାଣ।
ଏ ସମସ୍ତ ସାମଗ୍ରୀ ଓ ଡିଏନଏ ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ପରୀକ୍ଷାଗାରକୁ ପଠାଯାଇଥିବା କହିଥିଲେ ା ପୁଲିସ୍‌ ପାଖରେ ବର୍ତ୍ତମାନ ଆହୁରି ପ୍ରମାଣ ଯୋଗାଡ କରିବାର ବାକି ରହି ଯାଇଛି। ବଲାଙ୍ଗିର ପୁଲିସ୍‌ ବର୍ତ୍ତମାନ ପରୀକ୍ଷାଗାର ଭରସାରେ ରହିଛି ା ମମିତା ହତ୍ୟାକାଣ୍ଡରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସଂପୃକ୍ତି ଓ ବୁଝାମଣା ପାଇଁ ରାୟପୁର ସ୍ଥିତ ମନ୍ତ୍ରୀଙ୍କ ବାସଭବନରେ ବୈଠକ ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ ଏ ଦିଗରେ ବର୍ତ୍ତମାନ ସୁଦ୍ଧା ତଦନ୍ତ କରିନାହିଁ। ଗୋବିନ୍ଦ ନାଁରେ ପୂର୍ବରୁ ହତ୍ୟାକାଣ୍ଡ ଓ ଅପହରଣ ଘଟଣା ନଥିଲା ବୋଲି ଡା. ଦୀପକ କୁମାର ସ୍ପଷ୍ଟ କରିଥିବା ବେଳେ ସେଥିରେ ଗୋବିନ୍ଦର ସଂପୃକ୍ତି ନାହିଁ ବୋଲି ସେ କହିଛନ୍ତି। ପୁଲିସ୍‌ ଗୋବିନ୍ଦକୁ ଅହେତୁକ ଅନୁକମ୍ପା ଓ ଜଣେ ରାଜା ଭଳି ସୁବିଧା ଦେଉଥିବା ଅଭିଯୋଗକୁ ଡିଆଇଜି ଖଣ୍ଡନ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ରାତିରୁ ଅଦାଲତ ଚାଲାଣ କରାଯାଇଥିଲା। ଏହାସହ ପୁଲିସ୍‌ ପ୍ରତିଦିନର ତଦନ୍ତ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରିପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଥିବାରୁ ଆମେ ପ୍ରକାଶ କରିପାରୁନାହୁଁ ବୋଲି ଡା. ଦୀପକ କୁମାର କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର ଉପସ୍ଥିତ ଥିଲେ।
                             ମତ ରଖିଲେ ମହାଲିଙ୍ଗ ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଗଣ : ଶିକ୍ଷାନୁଷ୍ଠାନକୁ ବଦନାମ କରା ନ ଯାଉ


ଧର୍ମଗଡ଼ : ମହାଲିଙ୍ଗ ମହାବିଦ୍ୟାଳୟ ଏକ ସର୍ବସାଧାରଣ ଶିକ୍ଷାନୁଷ୍ଠାନ। ଏହା କାହାର ବ୍ୟକ୍ତିଗତ ମାଲିକାନାରେ ନାହିଁ। ଗଣମାଧ୍ୟମରେ ଗୋବିନ୍ଦ ସାହୁ ଏହାର ମାଲିକ ବୋଲି ଯାହା ପ୍ରଚାର ହେଉଛି ତାହା ସଂପୂର୍ଣ୍ଣ ଭୁଲ। ଗୋବିନ୍ଦ କେବଳ ପରିଚାଳନା କମିଟିର ସଭାପତି ଥିଲେ। ତାଙ୍କ କୁକର୍ମ ପାଇଁ ମହାବିଦ୍ୟାଳୟକୁ ବଦନାମ କରା ନ ଯାଉ। ପ୍ରାୟ ୫ହଜାର ଛାତ୍ରଛାତ୍ରୀ ଏହି ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଲେଣି। କୌଣସି ଛାତ୍ର ମହାବିଦ୍ୟାଳୟର ଅବ୍ୟବସ୍ଥା ନେଇ ଅଭିଯୋଗ କରିନାହାନ୍ତି। ମୃତ ମମିତା ସହ ମହାବିଦ୍ୟାଳୟର କୌଣସି ସଂପର୍କ ନାହିଁ। ସେ ଗୋବିନ୍ଦଙ୍କ ମାଲିକାନାରେ ପରିଚାଳିତ ସନ୍‌ସାଇନ ସ୍କୁଲର ଅଧ୍ୟକ୍ଷା ଥିଲେ। ତାଙ୍କ ମୃତ୍ୟୁକୁ ମହାବିଦ୍ୟାଳୟ ସହ ଯୋଡି ଏଠାରେ ପଢ଼ୁଥିବା ଛାତ୍ରୀ ଓ ତାଙ୍କ ଅଭିଭାବକ ମାନଙ୍କୁ ମାନସିକ ଚାପ ଦିଆ ନ ଯାଉ ବୋଲି ମହାଲିଙ୍ଗ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟି ସଦସ୍ୟମାନେ ପ୍ରକାଶ କରିଛନ୍ତି।
କିଛି ଗଣମାଧ୍ୟମରେ ରଙ୍ଗଶାଳା, ଗେଷ୍ଟହାଉସ, ଯୌନ କାରବାର, ୨୦ ନମ୍ବର କୋଠରୀ, ଗୁପ୍ତ କୋଠରୀ ଆଦି ଅନେକ କଥା କହି ଘଟଣାକୁ ଅତିରଞ୍ଜିତ କରାଯାଉଛି ବୋଲି କମିଟି ସଭ୍ୟମାନେ କହିଥିଲେ। ତେବେ କଲେଜକୁ ମିଳିଥିବା ଅନୁଦାନର ସବୁତକ ଠିକାକାମ ଗୋବିନ୍ଦ କରୁଥିଲେ ା ଆନ୍ତରିକତା ଯୋଗୁଁ ମନ୍ତ୍ରୀ କଲେଜକୁ ଅନୁଦାନ ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ ା କିନ୍ତୁ ମନ୍ତ୍ରୀଙ୍କୁ ନେଇ ଯାହା ଚର୍ଚ୍ଚା ହେଉଛି ତାହା ଭୁଲ ବୋଲି କମିଟି ପ୍ରକାଶ କରିଥିଲା। କିନ୍ତୁ ଏତେ ପରିମାଣର ପାଣ୍ଠି ଗୋଟିଏ କଲେଜକୁ ମିଳିବା ପଛର ରହସ୍ୟ, ମମିତା ଛାତ୍ରୀନିବାସରେ ରହିବା ପ୍ରଶ୍ନକୁ ପରିଚାଳନା କମିଟି ସଭ୍ୟମାନେ ଏଡାଇ ଦେଇଥିଲେ। ସରକାରୀ ଅନୁଦାନରେ ନିର୍ମିତ କଲେଜରେ ଗୋବିନ୍ଦ କିପରି ତା’ ମାଲିକାନାରେ ଥିବା ସନ୍‌ସାଇନ ପବ୍ଲିକସ୍କୁଲ ଚଲାଉଥିଲା, ଏନେଇ କିଛି ଲିଜ୍‌ ଚୁକ୍ତିନାମା ଥିଲା କି ବୋଲି ପଚାରିବାରୁ ସେମାନେ ମନା କରିଥିଲେ। କଲେଜ ପରିଚାଳନାରେ ଗୋବିନ୍ଦଙ୍କ ଆଧିପତ୍ୟ ରହୁଥିଲା ବେଳେ ଗତକାଲି ତାଙ୍କୁ ପରିଚାଳନା କମିଟିରୁ ବାହାର କରିଦେବା ସହ ଆଗାମୀଦିନରେ ତାଙ୍କୁ କଲେଜକୁ ପାଦ ମାଡିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି କମିଟଇ ସଭ୍ୟମାନେ କହିଥିଲେ।
ଏଥିରେ ପରିଚାଳନା କମିଟି ସଂପାଦକ କିରଣ ସିଂ, ଉପସଭାପତି ନିଦିମୋହନ ସିଂ, ଯୁଗ୍ମସଂପାଦକ ଲବଜି ପଟେଲ, ସଦସ୍ୟ କୃତ୍ତିବାସ ଚନ୍ଦନ, ପବନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ପୂର୍ବ ପରିଚାଳନା କମିଟିକୁ ଭାଙ୍ଗି ନୂତନ କମିଟି ଗଠନ ପାଇଁ ଜିଲାପାଳଙ୍କୁ ଅନୁରୋଧ କରାଯିବ ବୋଲି କହିଥିଲେ।

Comments are closed.