ସବୁ ଟେଲିକମ୍‌ ଅପରେଟରଙ୍କୁ ପରୀକ୍ଷଣ ଭିତ୍ତିରେ ମିଳିବ ୫ଜି ସ୍ପେକ୍‌ଟ୍ରମ୍‌: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ପରୀକ୍ଷଣ ଭିତ୍ତିରେ ଦେଶର ସବୁ ଟେଲିକମ୍‌ ଅପରେଟରଙ୍କୁ କେନ୍ଦ୍ର ସରକାର ୫ଜି ସ୍ପେକ୍‌ଟ୍ରମ୍‌ ଯୋଗାଇଦେବେ। ଏ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆହୁରିମଧ୍ୟ ଅନ୍ୟ ଟେଲିକମ୍‌ ଅପରେଟରଙ୍କ ସହ ହ୍ବେଇକୁ ମଧ୍ୟ ପରୀକ୍ଷଣ ଭିତ୍ତିରେ ୫ଜି ସ୍ପେକ୍‌ଟ୍ରମ୍‌ ଦିଆଯିବ ବୋଲି କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ୫ଜି ହେଉଛି ଭବିଷ୍ୟତ, ଏହାର ଡାଟାର ବେଗ ବେଶ ଦ୍ରୁତ ରହିଛି। ୫ଜିରେ ହେଉଥିବା ନୂତନ ପ୍ରବର୍ତ୍ତନକୁ ଆମେ ପ୍ରୋତ୍ସାହିତ କରୁଛୁ। ଏହି ନୂଆ ୫ଜି ବ୍ୟାଣ୍ଡ୍‌ ୨୪.୭୫-୨୭.୨୫ ଗିଗାହର୍ଜରେ ଆସିବ ବୋଲି ଶ୍ରୀ ପ୍ରସାଦ କହିଛନ୍ତି। ଡିଜିଟାଲ ଯୋଗାଯୋଗ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୫.୨୨ ଲକ୍ଷ ​କୋଟି ଟଙ୍କାର ପୃଥକ୍‌ ସ୍ପେକ୍‌ଟ୍ରମ୍‌ ବିକ୍ରି ଯୋଜନା କରାଯାଇଛି। ଏହା ଅଧୀନରେ ୨୨ଟି ଯାକ ସର୍କଲରେ ୮୩୦୦ ମେଗାହର୍ଜର ଏୟାରୱେଭ୍‌ ୨୦୨୦ ମାର୍ଚ୍ଚ-ଏପ୍ରିଲରେ ଛଡାଯିବାର ଅଛି। ଆଗାମୀ ନିଲାମରେ ୫ଜି ସ୍ପେକ୍‌ଟ୍ରମ୍‌ର ମୂଲ୍ୟରେ କୌଣସି ପ୍ରକାର ହ୍ରାସ କରାଯିବ ନାହିଁ ବୋଲି ପୂର୍ବରୁ ସରକାର ସ୍ପଷ୍ଟ ଭାବେ କହିଥିଲେ। ଅନ୍ୟପକ୍ଷରେ ସ୍ପେକ୍‌ଟ୍ରମ୍‌ ମୂଲ୍ୟ ଅତ୍ୟଧିକ ରଖାଯାଇଥିବାନେଇ ଶିଳ୍ପ ସଂଘ ସହ ଟେଲିକମ୍‌ ଅପରେଟରମାନେ ଏହାର ମୂଲ୍ୟରେ ସଂଶୋଧନ ଦାବି କରିଛନ୍ତି।

Comments are closed.