ଅନଲାଇନରେ ବନ୍ଦହେବ ଔଷଧ ବିକ୍ରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନଲାଇନରେ ଔଷଧ ବିକ୍ରି ଉପରେ ଖୁବଶିଘ୍ର ରୋକ୍ ଲଗାଇପାରନ୍ତି। କେନ୍ଦ୍ରୀୟ ଔଷଧ ମାନୟ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଏନେଇ ସମସ୍ତ ରାଜ୍ୟ ସରକାରଙ୍କୁ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦେଶ ଦେଇଛନ୍ତି। ସଙ୍ଗଠନର ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି ଯେ ସମସ୍ତରାଜ୍ୟ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶକୁ କଡାକଡି ଭାବେ ପାଳନ କରିବାକୁ କହିଛନ୍ତି।
କେନ୍ଦ୍ରୀୟ ଔଷଧ ମାନୟ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର ବରିଷ୍ଠ ଅଧିକାରୀ କେ.ବଙ୍ଗାରୁରାଜନ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ଏହି ବର୍ଷ ଆରମ୍ଭରେ ରାଜ୍ୟମାନଙ୍କୁ କୋର୍ଟଙ୍କ ଆଦେଶଅନୁସାରେ ଅନଲାଇନ ଔଷଧ ବିକ୍ରି ଉପରେ ରୋକ୍ ଲଗାଇବାକୁ କହିଛନ୍ତି। ଏହାପୁର୍ବରୁ ବହୁଥର କୁହାଯାଇଥିଲା। ନଭେମ୍ୱର ୨୮ ତାରିଖରେ ପୁଣି ଥରେ କଠୋର ଭାବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଜାରି କରାଯାଇଥିଲା । କେନ୍ଦ୍ରସରକାର ବର୍ତ୍ତମାନ ସୁଦ୍ଧା ଦେଶରେ ଔଷଧକୁ ଅନଲାଇନ ବିକ୍ରି କରିବାକୁ ନେଇ କୌଣସି ନିୟମ ପ୍ରଣୟନ କରିନାହାନ୍ତି । ଏହାସତ୍ୱେ ଦେଶରେ ବହୁ ଇ-ଫାର୍ମାସୀ କମ୍ପାନୀ ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି । କେନ୍ଦ୍ରୀୟ ଔଷଧ ମାନୟ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ଙ୍କ ଏହି ନିର୍ଦ୍ଦେଶକୁ ଯଦି ପାଳନ କରାଗଲେ ଏହିସବୁ ଇ-ଫାର୍ମାସୀ କମ୍ପାନୀ ବନ୍ଦ ହୋଇଯିବ। ଦେଶର କ୍ଷୁଦ୍ର ଔଷଧ ବ୍ୟବସାୟୀମାନେ ପୂର୍ବରୁ ଏହି ଅନଲାଇନ ଔଷଧ ବ୍ୟବସାୟ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ଦାବି କରୁଛନ୍ତି, କାରଣ ଇ-କମର୍ସ ଦ୍ୱାରା ଔଷଧ ବିକ୍ରିରେ ୪ ପ୍ରତିଶତ ହ୍ରାସ ହୋଇଥିଲା । ଅନଲାଇନରେ ଔଷଧ ବିକ୍ରି ପାଇଁ ଇ-କମର୍ସ କମ୍ପାନୀ ଗୁଡିକ ସରକାରଙ୍କୁ ନିୟମ ପ୍ରଣୟନ କରିବା ପାଇଁ ଦାବି କରୁଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଇନାହାନ୍ତି।

Comments are closed.