ପ୍ରହସନ ପାଲଟିଛି ବେଳାଭୂମି ପ୍ରବେଶ କଟକଣା

ଗୋପାଳପୁର: ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଗଞ୍ଜାମ ଜିଲାରେ ଥିବା ଗୋପାଳପୁର, ଆର୍ଜିପଲ୍ଲି ଓ ସୁନାପୁର ବେଳାଭୂମି ସମେତ ଅନ୍ୟ ବେଳାଭୂମିକୁ ଗୁରୁବାର ଅପରାହ୍ଣ ୨ ଟାରୁ ଶୁକ୍ରବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗା ଯାଇଥିବା ନେଇ ଘୋଷଣା ହୋଇଛି। ତଥାପି ଗୋପାଳପୁର ବେଳାଭୂମିରେ ଆଜି ଅପରାହ୍ଣ ‌‌୨ଟା ପରଠାରୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ରହିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଜିଲାପାଳଙ୍କ ଘୋଷଣା ପ୍ରହସନ ପାଲଟିଥିବା ଜଣାପଡିଛି। ବୁଧବାର ଜିଲାପାଳ ବିଜୟ ଅମୃତା କୁଳାଙ୍ଗେଙ୍କ ପକ୍ଷରୁ ଟୁଇଟି ଯୋଗେ ବେଳାଭୂମିରେ‌ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ନେଇ ସୂଚନା ଦିଆଯାଇଥିଲା। କାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ବୋଇତ ବନ୍ଦାଣ ସହ ବେଳାଭୂମିରେ‌ କାର୍ତ୍ତିକ ବ୍ରତ ପାଳନ ଉପରେ ରୋକ ଲଗା ଯାଇଥିଲ।

 

ଅପରାହ୍ଣ ୨ ଟା ବେଳେ ପୁଲିସ ପକ୍ଷରୁ କୌଣସି ରୋକ ଲଗାଯାଇନଥିଲା। ଫଳରେ ପର୍ଯ୍ୟଟକମାନେ ପରିବାର ସହ ଗୋପାଳପୁର ବେଳାଭୂମିରେ ପହଞ୍ଚି ଭିଡ ଜମାଇଥିଲେ। ପୁଲିସ ପକ୍ଷରୁ ଗୋପାଳପୁର ମହାବିଦ୍ୟାଳୟ ନିକଟରେ ଅପରାହ୍ଣ ୪ ଟାରୁ ଚେକିଂ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଗୋପାଳପୁରକୁ ଯିବା ପାଇଁ ଛଡା ଯାଇଥିଲା।
ଜିଲାପାଳଙ୍କ ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ୩ ସେକସନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଆଇଆଇସି ମାଧବାନନ୍ଦ ନାୟକ ପ୍ରକାଶ କରିଛନ୍ତି। ଏହା ସହ ଗୋପାଳପୁର ଏନଏସି ପକ୍ଷରୁ ମାଇକ ଯୋଗେ ଗୋପାଳପୁର ଜନସାଧାରଣ ସମେତ ହୋଟେଲର ରହୁଥିବା ପର୍ୟ୍ୟଟକମାନଙ୍କୁ ବୋଇତ ବନ୍ଦାଣ ସହ ସମୁଦ୍ରରେ ବୁଡ ପକାଇବାକୁ ବାରଣ କରାଯାଇଥିବା ଦେଖିବାକୁ ମିଳିଛି।

Comments are closed.