ଗୋପାଳପୁରବାସୀଙ୍କୁ ସୁନାମି ମୁକାବିଲା ନେଇ ସଚେତନତା

ଗୋପାଳପୁର: ଗୋପାଳପୁର ଏନଏସି ପରିସରରେ ଗୁରୁବାର ଅପରାହ୍ନରେ ପ୍ରବେଶନାରୀ ଆଇଏଏସ ମଧୁମିତାଙ୍କ ଅଧ୍ୟକ୍ଷତାରେ ସୁନାମିକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ପ୍ରକଳ୍ପ ଅଧିକାରୀ ଓସଡାମା ସୁତାନୁ ଠାକୁର, ମେଘନାଥ ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା, ଇଣ୍ଡିଆନ କୋଷ୍ଟ ଗାର୍ଡର ଡେପୁଡ଼ି କୋମାଣ୍ଡେଟ ଏମ୍. କେ ଶର୍ମା, ଏନ୍ ଏ ସି କାଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍, ଜିଲ୍ଲା ମତ୍ସ୍ୟ ବିଭାଗୀୟ ଅଧିକାରୀ ନିମାଇଁ ବସ୍ତିଆ, ଜିଲ୍ଲା ସାମୁଦ୍ରିକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସୁନାମି ସମୟରେ ଅଞ୍ଚଳବାସୀ ଏହାର କିପରି ମୁକାବିଲା କରିବେ ତାହା ନେଇ ସଚେତନତା କରାଯାଇଥିଲା।

ସୁନାମି ସତର୍କ ସୂଚନା ପାଇବା ପରେ ନିଜ ନିଜର ଜୀବନ ସୁରକ୍ଷା ପାଇଁ ଉଚ୍ଚ ସ୍ଥାନକୁ ଯିବା ସହ ସରକାରଙ୍କ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା। ସୁନାମି ନେଇ ଉପସ୍ଥିତ ଜନସାଧାରଣଙ୍କୁ ପ୍ରୋଜେକ୍ଟର ମାଧ୍ୟରେ ସଚେତନତା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଗ୍ନିଶମ ବିଭାଗ, ସ୍ଥାନୀୟ ପୁଲିସ କର୍ମଚାରୀ, ମତ୍ସଜୀବୀ ସଙ୍ଘ, ଗୋପାଳପୁର ବରିଷ୍ଠ ନାଗରିକ ମଞ୍ଚ, ବିଭିନ୍ନ ସ୍କୁଲ ଓ କଲେଜର ଅଧ୍ୟାପକ ଅଧ୍ୟାପିକା, ମହିଳା ସଙ୍ଘ, ପୂର୍ବତନ କାଉନସିଲର, ପୂର୍ବତନ ଅଧ୍ୟକ୍ଷ, ହୋଟେଲ ମାଲିକ ସଙ୍ଘ, ଟୁର ଏଣ୍ଡ ଟ୍ରାଭଲର୍ସର ସଦସ୍ୟମାନେ ଉପସ୍ଥିତ ଥିଲେ।

Comments are closed.