ଭାଲିଆଗଡ କ୍ୟାବିନରୁ ଗଞ୍ଜେଇ, ଅଫିମ ସହ ବ୍ରାଉନ ସୁଗାର ଜବତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡରେ ଏକ କ୍ୟାବିନରେ ଚା, ବିସ୍କୁଟ ସାମଗ୍ରୀ ସହ ଗଞେଇ, ଅଫିମ ସହ ବ୍ରାଉନ ସୁଗାର ବିକ୍ରି କରୁଥିବା ମାମଲାରେ ଆଜି ଅବକାରୀ ବିଭାଗ ପକ୍ଷରୁ ଜଣେ ଯୁବକକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣଙ୍କ ଭାଲିଆଗଡ ଗାଁର ଭାସ୍କର ଦୋରା ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
ଆଜି ଅବକାରୀ ବିଭାଗ ଦକ୍ଷିଣାଞ୍ଚଳ ଡେପୁଟି କମିଶନର ଶ୍ରୀ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଇଆଇଆଣ୍ଡଇବି ଇନିସିପେକ୍ଟର ଏଚ.ସି.ସାମନ୍ତ ଓ ତାଙ୍କ ଟିମ ଭାଲିଆଗଡରେ ଏକ କ୍ୟାବିନ ଉପରେ ଚଢ଼ାଉ କରି ୧୦୧ ଗ୍ରାମ ବ୍ରାଉନ ସୁଗାର, ୧୦୦ ଗ୍ରାମ ଅଫିମ ଓ ୨୦.୫୦୦ କେଜି ଗଞ୍ଜେଇ ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ସାଢେ ୧୩ ଲକ୍ଷ ହେବ ବୋଲି ସୂଚନା ଦିଆଯାଇଛି।

ଅଭିଯୋଗ ଅନୁଯାୟୀ ଗତ କିଛି ବର୍ଷ ହେଲା ଭାସ୍କର ଜାତୀୟ ରାଜପଥ କଡ଼ରେ ଭାଲିଆଗଡ ଠାରେ ଏକ କ୍ୟାବିନ କରି ସେଠାରେ ଚା ବିକ୍ରି କରିବା ଆଳରେ ଗଞ୍ଜେଇ ସମେତ ଅଫିମ ଓ ବ୍ରାଉନ ସୁଗାର ବିକ୍ରି କରି ଆସୁଥିଲେ। ଭାସ୍କରଙ୍କ ଗ୍ରାହକ ଭାବେ ଟ୍ରକ ଡ୍ରାଇଭର ସମେତ ନିକଟରେ ରହିଥିବା ଶିକ୍ଷାନୁଷ୍ଠାନର କେତେକ ଛାତ୍ର ରହିଛନ୍ତି। ଗତ କିଛି ମାସ ତଳେ ଗୋଳନ୍ଥରା ପୁଲିସ ପକ୍ଷରୁ ଭାସ୍କର ଠାରୁ ଗଞ୍ଜେଇ ଜବତ କରି କୋର୍ଟ ଚାଲାଣ କରିଥିଲା। ଏହା ମଧ୍ୟରେ ଭାସ୍କର ଜାମିନରେ ଫେରି ପୁଣିଥରେ ନିଜର ବ୍ୟବସାୟ ଜାରି ରଖିଥିଲା। ଅବକାରୀ ବିଭାଗ ପକ୍ଷରୁ ଗତ କିଛି ଦିନ ଧରି ଭାସ୍କରର କାର୍ଯ୍ୟକଳାପ ଉପରେ ନଜର ରଖିବା ପରେ ଆଜି ଚଢ଼ାଉ କରି ଗିରଫ କରାଯାଇଥିଲା। ଅନ୍ୟ ପଟେ ଭାସ୍କର କୁ କିଏ ଗଞ୍ଜେଇ ସମେତ ଅଫିମ ଓ ବ୍ରାଉନ ସୁଗାର ସପ୍ଲାଇ କରୁଥିଲା ଏବଂ କିଏ କିଏ ଗ୍ରାହକ ଅଛନ୍ତି।ତାହା ନେଇ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ କରାଯିବ ବୋଲି ଜଣାପଡିଛି। ଅନ୍ୟ ପଟେ ଶିକ୍ଷାନୁଷ୍ଠାନ ନିକଟରେ ଏହିପରି ନିଶାଦ୍ରବ୍ୟ ବିକ୍ରୀ ଫଳରେ ଯୁବ ବର୍ଗ ବିପଥ ଗାମି ହେଉଥିବା ଯୋଗୁଁ ପୁଲିସ ଓ ଅବକାରୀ ବିଭାଗ ଏଥି ପ୍ରତି ନଜର ଦେବା ସହ ଚୋରା ବେପାରୀ ମାନଙ୍କୁ ଗିରଫ କରିବାକୁ ଦାବି ହେଉଛି।

Comments are closed.