ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗିତକାଲି ଅପରାହ୍ନରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏନଏସଏସ ଓ କ୍ରୀଡ଼ା ପରିଷଦ ମିଳିତ ଆନୁକୂଲ୍ୟରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପିଜି କାଉନସିଲର ଅଫିସ ସମ୍ମୁଖରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ତାଙ୍କର ବଳିଦାନ ଓ ତାଙ୍କର ନିଷ୍ଠା ଓ କର୍ତ୍ତବ୍ୟର ଅନୁସରଣ କରିବାକୁ ପରାମର୍ଶ ଦେବା ସହ ଜାତୀୟତାବୋଧକୁ ଜାଗୃତି କରିବା ଦେଶ ମାତୃତ୍ୱ ପାଇଁ ତ୍ୟାଗ କରି ସୁ ସମାଜ ଗଠନ କରିବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଳାବନ୍ଧ ଆର୍ମି ଏଡ଼ି କଲେଜର ବ୍ୟାଣ୍ଡ୍ ଯୋଗ ଦେଇ ରାଷ୍ଟ୍ରୀୟ ଗାନ ବଜାଇଥିଲେ । ପରେ ଆର୍ମି ବ୍ୟାଣ୍ଡ୍ ଦ୍ୱାରା ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇ କ୍ୟାମ୍ପସ ପରିକ୍ରମା କରିଥିଲେ । ଏହି ଅବସରରେ ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଆର୍ମି ଏଡି କଲେଜର କମାଡେଣ୍ଟ ଲେଫ୍ଟନାଣ୍ଟ ଜେନେରାଲ ୟୁ.ଭି. ତାଲୁର୍ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୁଳ ସଚିବ ରାଜେନ୍ଦ୍ର କୁମାର ରଞ୍ଜିତ ,ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଫେସର ଗଣେଶ ସେଠୀ ଅତିଥି  ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି କମାଡେଣ୍ଟ ଲେଫ୍ଟଡ଼ାଣ୍ଟ ଜେନେରାଲ ୟୁ, ଭି. ତାଲୁର୍ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉଚିତ ଶିକ୍ଷା ଦେଇ ସେମାନଙ୍କୁ ଦେଶ ସୁରକ୍ଷାରେ ସାମିଲ କରିବା ପାଇଁ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ସେ କହିଥିଲେ । ଏହି ଅବସରରେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଜାତୀୟ ସୁରକ୍ଷା, ଏକତା, ଅଖଣ୍ଡତା ବଜାଇ ରଖିବା, ଦେଶ ସୁରକ୍ଷାରେ ନିୟୋଜିତ ହେବା ଦେଶର ସଂମ୍ମାନ ଅକ୍ଷୁର୍ଣ୍ଣ ରଖିବା ନେଇ ଉପସ୍ଥିତ ଥିବା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ ।

ସଭା ଶେଷରେ ଜାତୀୟ ସେବା ଯୋଜନାର ବ୍ୟୁରୋ ସଂଯୋଜକ ଡଃ ଜୟନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଏକ ଦସ୍ତଖତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ପରିଶେଷରେ ପିଜି ଗ୍ରାଉଣ୍ଡରେ ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ଭାରତ ମାନଚିତ୍ର କରି ସମସ୍ତ ଛାତ୍ରଛାତ୍ରୀ ,ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଦେଶ ପାଇଁ ଏକାଠି ହୋଇ କରିବା ପାଇଁ ଏକ ମାନବ ଶୃଙ୍ଖଳା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ କୁଳପତି ପ୍ରଫେସର ଦାଶ ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଆୟୋଜନ କରିଥିବା ସମସ୍ତଙ୍କୁ ପ୍ରଶଂସା କରିଥିଲେ ।  ଏହା ତିନି ଦିନ ଧରି ହେବ ବୋଲି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପକୂଳ ସଚିବ ଡ଼ଃ ବାବୁଜି ସାମଲ,ସହକୂଳ ସଚିବ ଡଃ ସରୋଜ କୁମାର ଦାଶ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଭାଙ୍ଗଡ଼ାମାଝୀ ,ନିରାପତ୍ତା ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ, ଡଃ ମିହିର ତ୍ରିପାଠୀ, ୱାଡେନ ପ୍ରଫେସର ସୁଶାନ୍ତ କୁମାର ବରାଳ, ଏନଏସଏସର କାର୍ଯ୍ୟକ୍ରମ ଅଧିକାରୀ ଇକବାଲ ଅହମ୍ମଦ ଭଟ୍ଟ, ଡକ୍ଟର ଭରତ କୁମାର ଲାକ୍ରା, ଅଲିତା ମିଞ୍ଜ, ମିଡିଆ ପ୍ରଭାରୀ ଡଃ ବନ୍ଦିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.