ଓଡିଶା ମୋ ପରିବାର ସହାୟତାରେ ଗାଁକୁ ଆସିଲା କେରଳରେ ମୃତ ମତ୍ସ୍ୟଜୀବୀଙ୍କ ଶବ

ଗୋପାଳପୁର: ଦାଦନ ଖଟିବାକୁ କେରଳ ଯାଇଥିବା ଜଣେ ମତ୍ସ୍ୟଜୀବୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଓଡିଶା ମୋ ପରିବାର ସହାୟତାରେ ଭୂବନେଶ୍ବର ବିମାନବନ୍ଦରରୁ ନିଜ ଗାଁ ବକ୍ସିପଲ୍ଲୀକୁ ଅଣାଯାଇ ଶବ ସତ୍କାର କରାଯାଇଛି। ମୃତ ମତ୍ସ୍ୟଜୀବି ଜଣଙ୍କ ବକ୍ସିପଲ୍ଲୀ ଗ୍ରାମର ବି ରାମେୟା(୨୭) ବୋଲି ଜଣାପଡିଛି। ବି ରାମେୟା ଗତ ୧୦ ଦିନ ଅନ୍ୟ ମତ୍ସ୍ୟଜୀବୀ ଯୁବକଙ୍କ ସହ ମିଶି କେରଳ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ମାଛଧରା ବୋଟରେ ମାଛଧରା କାମରେ ନିୟୋଜିତ ରହିଥିଲେ।ଗତ ରବିବାର ଦିନ ଗଭୀର ସମୁଦ୍ରରେ ପଡିଥିବା ଜାଲକୁ ବୋଟ ଉପରକୁ ଉଠାଇବା ସମୟରେ ବୋଟର ଏକ ଉଚ୍ଚ ସ୍ଥାନରେ ଥିବା ଏକ ଲୁହା ଏଙ୍ଗୁଲାର ରାମେୟାଙ୍କ ମୁଣ୍ଡ ଉପରେ ଖସି ପଡ଼ିଥିଲା। ଯାହାଫଳରେ ରାମେୟାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏହାପରେ ସାଥୀ ମତ୍ସ୍ୟଜୀବୀ ମାନେ ରାମେୟାଙ୍କୁ କୂଳକୁ ଆଣି ଚିକିତ୍ସା କେନ୍ଦ୍ରକୁ ନେଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବୋଟ ମାଲିକ ପକ୍ଷରୁ ଆଜି ରାମେୟାଙ୍କ ମୃତ ଦେହକୁ ବିମାନ ଯୋଗେ ଭୂବନେଶ୍ବର ପଠାଇଥିଲେ। କିନ୍ତୁ ରାମେୟାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ବର୍ଗ ବିଜେଡି ନେତା ଏସ ଧର୍ମରାଜ ରେଡ୍ଡୀଙ୍କ ସହ ଯୋଗାଯୋଗ କରିଥିଲେ। ଶ୍ରୀ ରେଡ୍ଡୀଙ୍କ ପକ୍ଷରୁ ଏହା ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀ ଦାୟିତ୍ଵରେ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ଼ ଗୋପବନ୍ଧୁ ଦାସଙ୍କ ସହ ସହ ଆଲୋଚନା କରିଥିଲେ। ଡ଼ ଦାସ ଘଟଣା ନେଇ ଓଡିଶା ମୋ ପରିବାର ସହ ଯୋଗାଯୋଗ କରି ମୃତ ରାମେୟାଙ୍କ ମରଶରୀରକୁ ବକ୍ସି ପଲ୍ଲୀକୁ ପଠାଇବା ନିମନ୍ତେ ସହାୟତା କରିବାକୁ କହିଥିଲେ। ଏହି କ୍ରମରେ ଭୂବନେଶ୍ବର ବିମାନ ବନ୍ଦରରେ ଡ଼ ଦାସଙ୍କ ସମେତ ଓଡିଶା ମୋ ପରିବାରର ସ୍ବାସ୍ଥ୍ୟ ସଂଯୋଜକ ଡ଼ ସତ୍ୟଜିତ ଦାସ, ବରିଷ୍ଠ ନେତା ଏସ ଧର୍ମରାଜ୍ ରେଡ୍ଡୀ, ଏମ ଶଙ୍କର ରାଓ, ୟୁ ଡିଲେଶୁ, ଶିଶିର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଆମ୍ବୁଲାନ୍ସ ଯୋଗେ ବକ୍ସିପଲ୍ଲୀକୁ ପଠାଇଥିଲେ। ସନ୍ଧ୍ୟାରେ ରାମେୟାଙ୍କ ମରଶରୀର ଗାଁ ରେ ପହଞ୍ଚିବା ପରେ ସେଠାରେ ଓଡିଶା ମୋ ପରିବାର ଗଞ୍ଜାମ ଜିଲ୍ଲାର ସଦସ୍ୟମାନେ ଉପସ୍ଥିତ ରହି ଶେଷକୃତ୍ୟ ସମ୍ପନ୍ନ କରିବାରେ ସହଯୋଗ କରିଥିଲେ।

Comments are closed.