ବର୍ଷାରେ‌ କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ଗସ୍ତ କଲେ ବିଜେପି ଜିଲ୍ଲା ସଭାପତି

ଗୋପାଳପୁର: ବାତ୍ୟା ଜଓ୍ବାଦ ପ୍ରଭାବରେ ଜିଲ୍ଲାରେ ହୋଇଥିବା ବର୍ଷା ପ୍ରଭାବରେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚାଷଜମିରେ ପାଣି ଜମି ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରବିବାର ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ଏକ ୧୦ ଜଣିଆ ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ଚାଷୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଏହି ପ୍ରତିନିଧି ଦଳ ଶାସନପଦର, ଚିକରଡା, ଗୋଳନ୍ଥରା, ରଣ୍ଢା, ମନ୍ତ୍ରୀଡି, କୋଳିଥିଗାଁ, ମେଣ୍ଢରାଜପୁର, ପାନ୍ନାପଲ୍ଲୀ ଆଦି ଅଞ୍ଚଳ ବୁଲି ଦେଖିବା ସହ ବର୍ଷା ଯୋଗୁଁ ଅଧିକାଂଶ ଚାଷ ଜମିରେ ପାଣି ମାଡ଼ି ଯାଇଥିବାରୁ ବ୍ୟାପକ ଧାନଫସଲ ନଷ୍ଟ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଥିଲେ।

ବିଶେଷ କରି ତଳିଆ ଅଞ୍ଚଳ ସମେତ ବାହାନା ଓ ସାପୁଆ ନାଳ ଅବବାହିକା ଅଞ୍ଚଳରେ ରହିଥିବା ଅନେକ ଚାଷ ଜମିରେ ବର୍ଷା ଜଳ ଭରି ରହିଥିବାରୁ ଧାନଫସଲ ନଷ୍ଟ ହେବା ଆଶଙ୍କା ବଢି ଯାଇଛି। ଏହାନେଇ ଜିଲ୍ଲା ସଭାପତି ରାଜ୍ୟ ସରକାରଙ୍କୁ ତୁରନ୍ତ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ପଠାଇ ଅଞ୍ଚଳରେ ହୋଇଥିବା ଫସଲ ହାନିର ଉପଯୁକ୍ତ ତଦନ୍ତ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଫସଲ ବିମା ପ୍ରଦାନ ବ୍ୟବସ୍ଥା କରିବାକୁ ଦାବି ଜଣାଇଛନ୍ତି। ଏହା ସହ ଶ୍ରୀ ଜେନା ଅଭିଯୋଗ କରିଛନ୍ତି ଯେ କୌଣସି କୃଷି ଅଧିକାରୀ କିମ୍ବା କର୍ମଚାରୀମାନେ କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କରିନଥିବା ପରିତାପର ବିଷୟ ବୋଲି କହିବା ସହ ତୁରନ୍ତ ଚାଷୀଙ୍କ ନିକଟରେ କୃଷି ଅଧିକାରୀ ମାନେ ପହଞ୍ଚି ତଦନ୍ତ କରିବାକୁ ଦାବି ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପି କୃଷକ ସୃଲ ସଭାପତି ମହନ୍ତ ଚିନ୍ମୟ ଦାସ ମହାରାଜା, ସମ୍ପାଦକ ରାଜେଶ ସାହୁ, ବାବୁଲା ସାହୁ, ଦେବରାଜ ମହାନ୍ତି,ଭୈରବ ରଣା,ରବି ନାୟକ,ଶରତ ବେହେରା,କେଦାର ମହାନ୍ତି ପ୍ରମୁଖ ସାମିଲ ରହିଥିଲେ।

Comments are closed.