ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଭାରତର ଐତିହ୍ୟ ତଥା ପର୍ଯ୍ୟଟନ ବିକାଶ ମାର୍ଗରେ ଶୀର୍ଷକ ଆଲୋଚନାଚକ୍ର

ଗୋପାଳପୁର: ବିଶ୍ୱ ଐତିହ୍ୟ ସପ୍ତାହ ୨୦୨୧ ପାଳନ ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭ୍ରମଣ ପର୍ଯ୍ୟଟନ ଏବଂ ଆତିଥ୍ୟ ପରିଚାଳନା ବିଭାଗ ଦ୍ବାରା ଆଭାସି ମାଧ୍ୟମରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଆଲୋଚନା ଚକ୍ରଟି କାଶ୍ମୀର ହଜରତବାଲ ଶ୍ରୀନଗର ବିଶ୍ୱବିଦ୍ୟାଳୟର ଆତିଥ୍ୟ ଏବଂ ଅବକାଶ ଅଧ୍ୟୟନ ବିଭାଗୀୟ ମୁଖ୍ୟ ଡ଼ଃ ରେୟାଜ ଅହମ୍ମଦ କୁରେଶୀଙ୍କ ଅଧ୍ୟକ୍ଷତାରେ “ଭାରତରେ ହେରିଟେଜ୍ ଟୁରିଜିମ୍ ଡେଭଲପମେଣ୍ଟ୍” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣି ଯୋଗ ଦେଇ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିବା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।

ଉଦଘାଟନୀ ଉତ୍ସବରେ ବିଭାଗର ସଂଯୋଜକ ଡକ୍ଟର ଇକବାଲ ଅହମ୍ମଦ ଭଟ୍ଟ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଭାଗର ଅଧ୍ୟାପିକା ଶ୍ରୀମତୀ କଳ୍ପନା ବେହେରା ଅତିଥିଙ୍କ ବକ୍ତବ୍ୟକୁ ସ୍ଥାନୀୟ ଓଡିଆ ଭାଷାରେ ଏବଂ ଡକ୍ଟର ଇକବାଲଙ୍କ ପରେ ପରେ ଇଂରାଜୀ ଭାଷାରେ ଅନୁବାଦ କରି ଜଣାଇଥିଲେ। ଡ଼ କୁରେଶୀ ଏହି ଅବସରରେ ଐତିହ୍ୟ, ପର୍ଯ୍ୟଟନର ଅର୍ଥ, ମହତ୍ୱ ଏବଂ ଭାରତ ତଥା ଓଡିଶାରେ ଐତିହ ଓ ପର୍ଯ୍ୟଟନର ବିକାଶ ପାଇଁ ଆବଶ୍ୟକ ମାନଦଣ୍ଡ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ କାଶ୍ମୀର ବିଶ୍ୱବିଦ୍ୟାଳୟ ମଧ୍ୟରେ ବିଶେଷ କରି ଛାତ୍ର ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ତଥା ଅଧ୍ୟାପକ ବିନିମୟ କାର୍ଯ୍ୟକ୍ରମ ପାଇଁ ଯଥାସାଧ୍ୟ ସହଯୋଗ କରିବେ ବୋଲି ଡ଼ କୁରେଶୀ ସୂଚନା ପ୍ରଦାନ କରିଥିଲେ। ଆଲୋଚନାଚକ୍ରର ଦ୍ବିତୀୟ ଅଧିବେଶନରେ ପ୍ରଶ୍ନ-ଉତ୍ତରର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁଥିରେ ଅତିଥି ବକ୍ତା, ଛାତ୍ର, ତଥା ଦର୍ଶକଙ୍କ ଠାରୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦିଆଯାଇଥିଲା। ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ରିତୁ ତିୱାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.