ଆ-କା-ମା-ବୈ ର ସ୍ବର ଶୁଭିଲାନି ଗୋପାଳପୁର ବେଳାଭୂମିରେ, ଫିକା ପଡ଼ିଲା କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ

ବେଳାଭୂମିର ସମସ୍ତ ପ୍ରବେଶ ପଥରେ ପୁଲିସ ମୁତୟନ

ଗୋପାଳପୁର: ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ଗୋପାଳପୁର ବେଳାଭୂମି ଲୋକାରଣ୍ୟ ହେବା ସହ ଆ-କା-ମା-ବୈ ସ୍ବରରେ ବେଳାଭୂମି ପ୍ରକମ୍ପିତ ହେବା ସହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ସମୁଦ୍ର ରେ ବୁଡ ପକାଇବା ସହ କଦଳୀ ପୁଆ ସମେତ ଅନେକ ସୁସଜ୍ଜିତ ତଥା ରଙଗ ବେରଙ୍ଗର ବୋଇତ ଭସାଇ ପୂର୍ବ ପରମ୍ପରାକୁ ମନେ ପକାଇଥାନ୍ତି, କିନ୍ତୁ ଚଳିତ ବର୍ଷ ଏହା ପୁଣିଥରେ ଫିକା ପଡିଯାଇଥିବା ଦେଖିବାକୁ ମିଳିଛି। ପ୍ରଶାସନର କଟକଣା ଯୋଗୁଁ ଶ୍ରଦ୍ଧାଳୁ ମାନେ ଗୋପାଳପୁର ବେଳାଭୂମିକୁ ପୂର୍ଣ୍ଣିମା ପାଳନ କରି ପାରି ନଥିବାରୁ ବେଳାଭୂମି ଖାଁ ଖାଁ ଦେଖା ଯାଉଥିଲା। ପୂର୍ଣ୍ଣିମା ପାଳନ ଅବସରରେ ବେଳାଭୂମିରେ ହେବାକୁ ଥିବା ଭିଡ଼କୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଦିନ ୨ଟା ଠାରୁ ଶୁକ୍ରବାର ଅପରାହ୍ନ ୨ଟା ପର୍ୟ୍ୟନ୍ତ ବେଳାଭୂମିକୁ ପର୍ଯ୍ୟଟକ ସମେତ ଶ୍ରଦ୍ଧାଳୁଙ୍କୁ ବାରଣ କରାଯିବା ସହ ସ୍ଥାନୀୟ କଲେଜ ଛକ ଠାରେ ପୁଲିସ ପକ୍ଷରୁ ସିଲ କରାଯାଇଥଲା।

ବେଳାଭୂମିର ସମସ୍ତ ପ୍ରବେଶ ପଥରେ ପୁଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା। ଆଜି କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବାରୁ ଭୋର ସକାଳୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ହାତରେ ବୋଇତ ଧରି ନିଜ ପରିବାର ସହ ବେଳାଭୂମି ମୁହାଁ ହୋଇଥିଲେ। କିନ୍ତୁ କଲେଜ ଛକ ଠାରୁ ପୁଲିସ କାହାରିକୁ ଛାଡ଼ି ନଥିବାରୁ ନିରାଶ ହୋଇ ଫେରିଥିଲେ। ବେଳାଭୂମି ରେ ବୋଇତ ବନ୍ଦାଣ ଉତ୍ସବ ହୋଇନଥିବା ବେଳେ କିଛି ସ୍ଥାନୀୟ ଲୋକମାନେ ବେଳାଭୂମିରେ ବୋଇତ ଭସାଇ ଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ପୁଲିସ ବେଳାଭୂମିରେ କଡା ପହଁରା ଦେଉଥିବା ଦେଖିବାକୁ ମିଳିଥିଲା। ତେଣୁ ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକଙ୍କ ଗହଳିରେ ବେଳାଭୂମି ଲୋକାରଣ୍ୟ ହୋଇ ପଡ଼ୁଥିବା ବେଳେ ଆଜି ସକାଳୁ ଖାଁ ଖାଁ ଦେଖାଯାଉଥିଲା। ଅନ୍ୟ ପଟେ ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ୱର ବେଳାଭୂମି ରେ ଶ୍ରଦ୍ଧାଳୁ ମାନେ ପରିବାର ସହ ପହଞ୍ଚି କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଥିବା ସହ ଧବଳେଶ୍ଵର ପିଠରେ ଭୋଜି ଭାତ କରି ଖାଇଥିବା ଦେଖିବାକୁ ମିଳିଛି।
ଏହା ସହ ଗୋପାଳପୁର ସନ୍ନିକଟ ନୂଆବକ୍ସିପଲ୍ଲି ,ହରିପୁର ଆଦି ବେଳାଭୂମି ରେ ଶ୍ରଦ୍ଧାଳୁ ମାନେ ପୂର୍ଣ୍ଣିମା ପାଳନ କରିଥିଲେ। ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି କୁ ଅନେକ ଶ୍ରଦ୍ଧାଳୁ ନା ପସନ୍ଦ କରିଥିବା ବେଳେ ସବୁଆଡେ ମଲ,ସିନେମା ଘର,ପାର୍କ ସହ ବିଭିନ୍ନ ରାଜନୈତିକ ସମାବେଶ ହୋଇ ପାରୁଥିବା ବେଳେ ପ୍ରଶାସନ ପକ୍ଷରୁ ଶହଶହ ବର୍ଷ ଧରି ପାଳିତ ହେଉଥିବା ପରମ୍ପରା କୁ ବନ୍ଦ ନକରି ଶୃଙ୍ଖଳିତ ଭାବରେ କରିବା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ ମାଧ୍ୟମରେ କରାଯାଇ ପାରନ୍ତା ବୋଲି ଅନେକ ଶ୍ରଦ୍ଧାଳୁ ମତବ୍ୟକ୍ତ କରିଛନ୍ତି

Comments are closed.