ହୁମ୍ମା ଝାଡେଶ୍ବର ମନ୍ଦିର ଅଞ୍ଚଳରୁ ବିରଳ ପ୍ରଜାତିର ଝିଟିପିଟି ଉଦ୍ଧାର

ଗୋପାଳପୁର: ଗଞ୍ଜାମ ଜିଲ୍ଲା ହୁମ୍ମା ସନ୍ନିକଟ ବୋରିଗାଁ ଠାରେ ଥିବା ଝାଡେଶ୍ୱର ସ୍ଥିତ ଶିବ ମନ୍ଦିର ନିକଟସ୍ଥ ଆମ୍ବ ତୋଟା ରୁ ଏକ ନୂତନ ତଥା ବିରଳ ପ୍ରଜାତିର ଝିଟିପିଟିକୁ ଜଗଦଲପୁର ଜେଡ୍‌ଏସଆଇର ବୈଜ୍ଞାନିକ ପ୍ରତ୍ୟୁଷ ମହାପାତ୍ର ଚିହ୍ନଟ କରିଥିବା କହିଛନ୍ତି। ଗତ ୨୦୧୪ ମସିହାରେ ତାଙ୍କ ଟିମ୍ ପକ୍ଷରୁ ଏହି ବିରଳ ପ୍ରଜାତିର ଝିଟିପିଟି ଚିହ୍ନଟ କରାଯିବା ପରେ ଏମାନଙ୍କ ଉପରେ ଗବେଷଣା କରାଯିବା ସହ ଏମାନଙ୍କ ନାମ କରଣ ଗଞ୍ଜାମର ପତଳା ଝିଟିପିଟି ରଖାଯାଇଛି। ଏହି ପ୍ରଜାତିର ଝିଟିପିଟି ପୃଥିବୀର କୌଣସି ସ୍ଥାନରେ ପ୍ରାୟତଃ ଦେଖା ଯାଇନଥିବା ବେଳେ ବିଶେଷ କରି ଗଞ୍ଜାମ ଜିଲ୍ଲାର ବୋରିଗାଁ ଝଡେଶ୍ୱର ମନ୍ଦିର ସଂଲଗ୍ନ ଆମ୍ବ ତୋଟାରେ ଏହି ପ୍ରଜାତିର ୧୦୦ରୁ କମ ସଂଖ୍ୟକ ଝିଟିପିଟି ଦେଖାଯାଇଥାନ୍ତି। ଏହି ଝିଟିପିଟି ବିଷାକ୍ତ ହୋଇନଥିବା ବେଳେ ଏମାନେ ଅନ୍ୟ ଝିଟିପିଟି ଭଳିଆ ଦେଖାଯାନ୍ତି। ଏମାନଙ୍କ ଲମ୍ବ ୩ରୁ ସାଢେ଼ ତିନି ସେଣ୍ଟି ମିଟର ରହିଥିବା ବେଳେ ଏମାନେ ବିଭିନ୍ନ ରଙ୍ଗ ବଦଳାଇ ଥାନ୍ତି। ବିଶେଷ କରି ଅନ୍ୟ ଝିଟିପିଟି ଭଳି ପିମ୍ପୁଡ଼ି, ଉଇ, ଛୋଟ ଛୋଟ ପୋକ ଯୋକ ଏମାନଙ୍କ ଆହାର ହୋଇଥିବା ବେଳେ ଜୁନ୍ ମାସ ଠାରୁ ଅକ୍ଟୋବର ମଧ୍ୟରେ କେବଳ ୨ଟି ଅଣ୍ଡା ଦେଇଥାନ୍ତି। ଏହିମାନେ ଦିନସାରା ଗଛରେ ରହୁଥିବା ବେଳେ ରାତିରେ ତଳକୁ ଆସି ଆହାର ଖୋଜିଥାନ୍ତି। ଏମାନଙ୍କୁ ନେଇ ଅଧିକ ଗବେଷଣା ବେଳେ ସେହି ସ୍ଥାନରେ ପ୍ରାୟ ୧୦୦ରୁ କମ୍ ସଂଖ୍ୟକ ଝିଟିପିଟି ରହୁଥିବା ଜଣାପଡ଼ିଥିବା ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।


ଏହା ନେଇ ଆଜି ଜୁ ଟାସ୍କ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହୋଇଥିବା ସହ ଏମାନଙ୍କ ଉପରେ ଅଧିକ ଗବେଷଣା କରାଯାଉଥିବା ଜଣାପଡିଛି। ଏହି ପ୍ରଜାତିର ଝିଟିପିଟି ଉଦ୍ଧାର ପରେ ଶ୍ରୀ ମହାପାତ୍ର ଏହାକୁ ନେଇ ବାଙ୍ଗାଲୋର ସ୍ଥିତ ଟାଟା ଇନସିଚ୍ୟୁଟ ଅଫ ଫାଣ୍ଡାମେଣ୍ଟାଲ ରିସର୍ଚ୍ଚ ଅକ୍ଷୟ ଖଣ୍ଡେକର, ବାରିପଦା ସ୍ଥିତ ନର୍ଥ ଓଡ଼ିଶା ୟୁନିଭରସିଟି ର ଅବସର ପ୍ରାପ୍ତ ପ୍ରାଧ୍ୟାପକ ସୁଶିଲ କୁମାର ଦତ୍ତ , କୁକୋ ମହାପାତ୍ର ଏବଂ ଇସାନ୍ ଅଗ୍ରୱାଲଙ୍କ ପକ୍ଷରୁ ଅଧିକ ଗବେଷଣା ଆରମ୍ଭ କରାଯାଇଥିଲା।
ଏହା ନେଇ ପ୍ରଧ୍ୟାପକ ଦତ୍ତ ଙ୍କ ସୂଚନା ମୁତାବକ ପୃଥିବୀର ଏକ ମାତ୍ର ସ୍ଥାନ ଯେଉଁ ଠାରେ ସମୁଦ୍ର ପତନର ଖୁବ କମ ଉଚ୍ଚତାରେ ଏହି ପ୍ରଜାତିର ଝିଟିପିଟି ଦେଖାଦେଇଛି। ବିଶେଷ କରି ଓଡିଶାର ଦେଉମାଳି ଓ ମହେନ୍ଦ୍ରଗିରି ଅଞ୍ଚଳର ସମୁଦ୍ର ପତନଠାରୁ ୮୦୦ରୁ ୧୦୦୦ ମିଟର ଉଚ୍ଚରେ ମଧ୍ୟ ବିରଳ ପ୍ରଜାତିର ଝିଟିପିଟି ଦେଖାଦେଇଥିବା ବେଳେ ବୋରିଗାଁ ରେ ଉଦ୍ଧାର ହୋଇଥିବା ଝିଟିପିଟି ସମ୍ପୂର୍ଣ୍ଣ ଭାବେ ତାହାଠାରୁ ଭିନ୍ନ ଓ ବିରଳ ଅଟେ। ଉକ୍ତ ଅଞ୍ଚଳରେ ଗବେଷଣା ସମୟରେ ସେଠାକାର ଜଂଗଲର ୪୦ ରୁ ଉର୍ଦ୍ଧ୍ବ ପ୍ରଜାତିର ବିଭିନ୍ନ ସରୀସୃପ ,୧୫ ପ୍ରଜାତିର ବେଂଗ ସହ ୮ ପ୍ରଜାତିର କଙ୍କଡା ବିଛା ଦେଖିବାକୁ ମିଳିଥିଲା।ଏହି ଅଞ୍ଚଳ ଗଞ୍ଜମ
ଜିଲ୍ଲାରେ ଥିବା ଅନ୍ୟ ଶୈବ ପୀଠ ପରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଅଧିକାଂଶ ସମୟରେ ଏଠାରେ ଗହଳି ଚହଳି ଲାଗିଥାଏ। ବର୍ତ୍ତମାନ କିଛି ବର୍ଷ ହେଲା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ଅଞ୍ଚଳର ଉନ୍ନତିକରଣ ସହ ସୈନ୍ଦର୍ୟ୍ୟ କରଣ କାର୍ୟ କରାଯାଇଥିବାରୁ ପରିବେଶ ଉପରେ ଏହାର ପ୍ରଭାବ ପଡିବାରେ ଲାଗିଛି ବୋଲି ପ୍ରଫେସର ଦତ୍ତ ପ୍ରକାଶ କରିଛନ୍ତି। ଏଣୁ ଏହା ନେଇ ଜଙ୍ଗଲ ବିଭାଗ ସମେତ ପ୍ରଶାସନ ସହ ଯୋଗ ସୁତ୍ର ରଖାଯାଇ ଏଠାରେ ଥିବା ଏହି ବିରଳ ପ୍ରଜାତିର ଝିଟିପିଟି ସାଂଗକୁ ଏହି ପରିବେଶରେ ଦେଖାଯାଉଥିବା ଅନ୍ୟାନ୍ୟ ପ୍ରଜାତିର ଜୀବଜନ୍ତୁ ଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।

Comments are closed.