ଅନିୟମିତତା ନେଇ ଏନଏସି କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା ସଂଘ

ଗୋପାଳପୁର: ଗୋପାଳପୁର ଏନଏସି ପକ୍ଷରୁ ବେଳାଭୂମିରେ ଗାଡ଼ି ପାର୍କିଂ ଟେଣ୍ଡର ଅନିୟମିତତାକୁ ନେଇ ମହିଳା ସଂଘ ପକ୍ଷରୁ ଏନଏସି କାର୍ଯ୍ୟାଳୟ ଫାଟକକୁ ଦୁଇ ଘଣ୍ଟା ବନ୍ଦ କରିବା ସହ ବିକ୍ଷୋଭ କରିଥିଲେ। ଏନଏସି ପକ୍ଷରୁ ବେଳାଭୂମି ଗାଡ଼ି ପାର୍କିଂ ଟେଣ୍ଡର ନିମନ୍ତେ ଗତ ୧/୧୧/୨୧ ରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହା ସହ ମଙ୍ଗଳବାର ଦିନ ୧୨ .୩୦ ପର୍ଯ୍ୟନ୍ତ ଟେଣ୍ଡର ପକାଇବା ନିମନ୍ତେ ଧାର୍ଯ୍ୟ କରାଯାଇଥିଲା। ଅପରାହ୍ନ ୩ଟାରେ ଏନଏସି କର୍ମଚାରୀଙ୍କ ପକ୍ଷରୁ ଟେଣ୍ଡର ବକ୍ସ ଖୋଲା ଯାଇଥିଲା। ସେଥିରେ ୨ଟି ମହିଳା ଏଏଲଏଫ୍ ସଂଘ ଟେଣ୍ଡର ପକାଇଥିଲେ। ସେମାନଙ୍କ ମଧ୍ୟରୁ ୨ଟି ସଂଘର ନଥିପତ୍ର ଠିକ୍ ଭାବେ ଦାଖଲ ହୋଇ ନ ଥିବାରୁ ରିଟେଣ୍ଡର କରିବା ପାଇଁ ଅଫିସ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ଏହାକୁ ନେଇ ଟେଣ୍ଡର ପକାଇ ଥିବା ୨ ମହିଳା ସଙ୍ଘ ମିଳିତ ବୁଝାମଣା ପରେ ଗୋଟିଏ ସଂଘକୁ ଦେବାକୁ ମହିଳା ସଂଘ ଜଣାଇଥିଲେ।

କିନ୍ତୁ ଅଫିସ ଏହାକୁ ଗ୍ରହଣ ନ କରି ପୁନର୍ବାର ଟେଣ୍ଡର ଆହ୍ବାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ବିରୋଧ କରି ଦୁଇ ମହିଳା ସଂଘର ସଦସ୍ୟମାନେ ଅପରାହ୍ନ ପ୍ରାୟ ୫ଟା ଠାରୁ ଏନଏସି କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ। ଯାହା ଫଳରେ କାର୍ଯ୍ୟାଳୟ ପରିସରରେ ଥିବା ନିର୍ବାହୀ ଅଧିକାରୀ ମନୋଜ କୁଜୁରୁ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟାଳୟ ପରିସରରେ ଅଟକ ରହିଯାଇଥିଲେ। ଘଟଣା ନେଇ ଉପଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କୁ ଅବଗତ କରାଯିବା ପରେ ଉପଜିଲ୍ଲପାଳଙ୍କ ନିର୍ଦେଶ କ୍ରମେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୋନାଜ ପ୍ରଭାକର କୁଯୁର ବିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳାମାନଙ୍କୁ ଆସନ୍ତା କାଲି ୧୨ଟା ବେଳେ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ବିକ୍ଷୋଭରୁ ଓହରି ଥିଲେ।

Comments are closed.