ରଙ୍ଗେଇଲୁଣ୍ଡା ବ୍ଲକର ୯ଟି ବିଦ୍ୟାଳୟର ରୂପାନ୍ତରୀକରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୯ ଟି ବିଦ୍ୟାଳୟ ଗୋଳନ୍ଥରା, କନିସି, ଶାସନପଦର, କେଲୁଆପଲ୍ଲୀ ପଞ୍ଚମା, ଡ଼ୁରା, ଗୋପାଳପୁର, କରାପଲ୍ଲୀ, ବଡ଼ କୁଶସ୍ଥଳି ହାଇସ୍କୁଲରେ ନୂତନ ଭାବେ ରୂପାନ୍ତରିତ କରାଯାଇଥିବା ସ୍ମାର୍ଟ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଉଦଘାଟନ କରିଥିଲେ। ଉଦଘାଟିତ ହୋଇଥିବା ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଲେବ୍ରୋଟରୀ, ଉତ୍ତମ ଟଏଲେଟ୍‌, ପାନୀୟ ଜଳର ବ୍ୟବସ୍ଥା ସାଙ୍ଗକୁ ଖେଳପଡ଼ିଆ ରହିଛି। ବିଦ୍ୟାଳୟର ଏଭଳି ରୂପାନ୍ତରୀକରଣକୁ ନେଇ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟତ୍ରୀଙ୍କ ମହଲରେ ମଧ୍ୟ ଆନନ୍ଦର ଲହରୀ ଦେଖିବାକୁ ମିଳିଛି।

ଘରୋଇ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଅଧିକ ଦୁର୍ବଳତା ରହିଥିବା ବେଳେ ଘରୋଇ ବିଦ୍ୟାଳୟରେ ଯେଉଁ ସବୁ ସୁବିଧା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଛି ଠିକ୍‌ ସେହିପରି ସୁବିଧାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ବିଦ୍ୟାଳୟର ରୂପାନ୍ତରୀକରଣ ହୋଇଛି। ବିଦ୍ୟାଳୟର ରୂପାନ୍ତରୀକରଣ ହେବା ଦ୍ବାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସରକାରୀ ବିଦ୍ୟାଳୟରେ ପାଠପଢ଼ିବା ନିମନ୍ତେ ଉତ୍ସାହ ବଢ଼ିବ। ଯାହା ଫଳରେ ପୂର୍ବରୁ ପାଠପଢ଼ରେ ଯେଉଁ ସମସ୍ୟା ରହିଥିଲା ଆଉ ତାହା ରହିବ ନାହିଁ। ଘରୋଇ ବିଦ୍ୟାଳୟ ଭଳି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଭଲ ପାଠପଢ଼ି ପରୀକ୍ଷାରେ ଭଲ ନମ୍ବର ରଖିପାରିବେ ବୋଲି କେଲୁଆପଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ରହିଥିବା ସରପଞ୍ଚ ବିଷ୍ଣୁ ପ୍ରିୟା ନାୟକ କହିଛନ୍ତି। ସେହିପରି ଅନ୍ୟ ବିଦ୍ୟାଳୟରେ ମଧ୍ୟ ସ୍ଥାନୀୟ ସରପଞ୍ଚ ସମେତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ ପ୍ରଭାତି କୁମାରୀ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ସମେତ ରାଜନୈତିକ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ।

Comments are closed.