ଜମି ପଞ୍ଜିକରଣରେ ଅନିୟମିତତା ନେଇ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ହୋହାଲ୍ଲା

ଗୋପାଳପୁର: କନିଷି ଠାରେ ଥିବା ଉପନିବନ୍ଧଙ୍କ କାର୍ଯ୍ୟାଳୟ ପରିସରରେ ଜମିଜିମା ପଞ୍ଜିକରଣରେ ଅନିୟମିତତା ନେଇ କିଛି ସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲ। ଶେଷରେ ସବ ରେଜିଷ୍ଟ୍ରାର ପୁରୁଷୋତ୍ତମ ବେନିଆ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପ୍ରତିଦିନ ୨୫ଟି ଲେଖାଏଁ ଜମି ରେଜିଷ୍ଟ୍ରେସନ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ସହ ସେହି କ୍ରମରେ ଜମି ରେଜିଷ୍ଟ୍ରେସନ କରାଯିବା ସହ ଆବେଦନକାରୀଙ୍କୁ ନମ୍ବର ପ୍ରଦାନ କରାଯାଇଥାଏ। କିନ୍ତୁ ଅନେକ ସମୟରେ କାର୍ଯ୍ୟାଳୟର କର୍ମଚାରୀମାନେ ହାତଗୁଞ୍ଜା ନେଇ ୨୫ ବଦଳରେ ପ୍ରାୟ ୪୦ ରୁ ୫୦ ଜମି ରେଜିଷ୍ଟ୍ରେସନ କରିଥାନ୍ତି।

ଆଜି ଜଣେ ବ୍ୟକ୍ତି ଜମି ରେଜିଷ୍ଟ୍ରେସନ ନିମନ୍ତେ ଆସି କାର୍ଯ୍ୟାଳୟରେ ଆବେଦନ କରିବା ସମୟରେ ତାହାଙ୍କୁ ୨୯ ନମ୍ବର ପ୍ରଦାନ କରାଯାଇଥିଲା। କିନ୍ତୁ ତାହାଙ୍କ ନମ୍ବର ବହୁ ସମୟ ଧରି ନଆସିବା ଯୋଗୁଁ କାର୍ଯ୍ୟାଳୟରେ ଏହା ନେଇ ପଚାରିବାରୁ କୁଆଡେ କାର୍ଯ୍ୟରତ କର୍ମଚାରୀମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାକୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବା ସହ ବ୍ୟକ୍ତି ଜଣଙ୍କ ହୋହାଲ୍ଲା କରିବା ସହ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଯାହାଫଳରେ କାର୍ଯ୍ୟାଳୟ ପରିସରରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲ। ଘଟଣା ନେଇ କିଛି ଲୋକ କନିଷି ତହସିଲଦାର ସୋନାଲି ଚାନ୍ଦଙ୍କୁ ଅବଗତ କରିଥିଲେ।

ତହସିଲଦାର ସୋନାଲି ଚାନ୍ଦ, ଅତିରିକ୍ତ ତହସିଲଦାର ତଥା ସବ ରେଜିଷ୍ଟ୍ରାର ପୁରୁଷୋତ୍ତମ ବେନିଆଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ବୁଝିବାକୁ ଆଦେଶ ଦେଇଥିଲେ। ସବ ରେଜିଷ୍ଟ୍ରାର ଶ୍ରୀ ବେନିଆ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିବା ସହ ଅଫିସ କାର୍ଯ୍ୟ ଚାଲିଥିବା ଜଣାପଡିଛି। ଘଟଣା ନେଇ ସବ ରେଜିଷ୍ଟ୍ରାର ଶ୍ରୀ ବେନିଆଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ମଙ୍ଗଳବାର ଦିନ ଲିଙ୍କ ନ ଥିବା ଯୋଗୁଁ ପ୍ରାୟ ୧୩ ଜଣଙ୍କ ଜମି ରେଜିଷ୍ଟ୍ରେସନ କାର୍ଯ୍ୟ ହୋଇ ପାରିନଥିଲ‌। ଆଜି ପୁଣିଥରେ ୨୬ ଜଣ ଜମି ରେଜିଷ୍ଟ୍ରେସନ ନିମନ୍ତେ ଆବେଦନ କରିଥିଲେ। ମଙ୍ଗଳବାରର ବଳକା ରହିଥିବା ୧୩ ଜଣଙ୍କ ପ୍ରଥମେ ରେଜିଷ୍ଟ୍ରେସନ କାର୍ଯ୍ୟ କରିବା ଯୋଗୁଁ ଆଜିର କାର୍ଯ୍ୟରେ ବିଳମ୍ବ ଘଟିଥିଲା। ଯଦ୍ବାରା ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକଙ୍କୁ ବୁଝାସୁଝା ପରେ ଅଫିସରେ କାର୍ଯ୍ୟ ସୁରୁଖୁରୁରେ ହୋଇଥିବା ସୂଚନା ଦେଇଥିଲେ।

Comments are closed.