ବାରାହା ଆକ୍ରମଣରେ ଜଣେ ଶିଶୁ ସମେତ ଚାରି ଆହତ

ଗୋପାଳପୁର:ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ବାରାହା ଉପଦ୍ରବ କ୍ରମଶଃ ବଢି ଚାଲିଥିବା ବେଳେ ଏହି ବ୍ଲକ ଅନ୍ତର୍ଗତ ଶାସନପଦର ଗ୍ରାମରେ ଆଜି ବାରାହା ଆକ୍ରମଣରେ ଜଣେ ଶିଶୁ ସମେତ ଚାରି ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ଆହତ ହୋଇଥିବା ଶିଶୁ ଜଣଙ୍କ ଅଜିତ ନାୟକ (୭) ସମେତ ମାଛ ବିକ୍ରୀ କରିବାକୁ ଯାଉଥିବା ଉମା ବେହେରା(୩୫), ପୁରିଆ ବେହେରା (୫୨) ଓ ସାହେବ ନାୟକ(୬୫) ବୋଲି ଜଣାପଡିଛି। ଆଜି ସକାଳ ୬ ଟା ବେଳେ ଦଣ୍ଡାସୀ ସାହିର ଶିଶୁ ଅଜିତ ନାୟକ ଘରୁ ବାହାରି ପରିଶ୍ରା କରିବାକୁ ବାହାରକୁ ଯାଇଥିବା ବେଳେ ପ୍ରଥମେ ବାରାହା ହାବୁଡ଼ରେ ପଡି ଯାଇଥିଲେ। ଏଥିରେ ଅଜିତ ସାମାନ୍ୟ ଆହାତ ହୋଇଥିଲେ।

ଏହା ପରେ ବାରାହାଟି ବସ୍ତିରେ‌ ପ୍ରବେଶ କରି ମାଛ ବିକ୍ରୀ କରିବାକୁ ଯାଉଥିବା ଉମା ବେହେରା, ପୁରିଆ ବେହେରା ଏବଂ ଶୌଚ ପାଇଁ ପୋଖରୀକୁ ଯାଇଥିବା ସହଦେବ ନାୟକଙ୍କୁ ଆକ୍ରମଣ କରିଥିଲା। ଚାରି ଆହତଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବା ବେଳେ ସହଦେବଙ୍କ ଚିକିତ୍ସା ଚାଲିଥିବା ବେଳେ ଅନ୍ୟ ତିନିଜଣ ଚିକିତ୍ସା ପରେ ଘରକୁ ଫେରି ଯାଇଛନ୍ତି। ଅନ୍ୟ ପଟେ ବାରାହା ଆକ୍ରମଣରେ ଶିକାର ହୋଇଥିବା ଆହତମାନେ ନିଜ ଖର୍ଚ୍ଚରେ ଚିକିତ୍ସିତ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ସାହାଯ୍ୟ ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି ହେଉଛି।

Comments are closed.