ଜେଲରୁ ମୁକୁଳିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ଜାମିନ ପାଇବା ପରେ ଜେଲରୁ ମୁକୁଳିଲେ। ଗତକାଲି ଷଷ୍ଠ ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିଲେ ପ୍ରଦୀପ ପାଣିଗ୍ରାହୀ। ଠକେଇ ଅଭିଯୋଗରେ ଗିରଫ ହୋଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଝାରପଡ଼ା ଜେଲରେ ଥିଲେ। ଜେଲରୁ ବାହାରିବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟା ଦେଇନଥିଲେ। ନିଜ ପତ୍ନୀ ସହ ଗାଡ଼ିରେ ବସି ଚାଲିଯାଇଥିଲେ। ତେବେ ସର୍ତ୍ତମୂଳକ ଭାବରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲରୁ ମୁକୁଳିଥିବା ସୂଚନା ମିଳିଛି।

 

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମୋଟ ୬ଟି ମାମଲା ରୁଜୁ ହୋଇଥିଲା। ପୂର୍ବରୁ ୫ଟି ମାମଲାରେ ତାଙ୍କୁ ଜାମିନ ମିଳି ସାରିଥିଲା। ଗତକାଲି ଷଷ୍ଠ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ତାଙ୍କର ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଜରିଆରେ ଟାଟା କମ୍ପାନୀରେ ଚାକିରି କରାଇ ଦେବା ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଗଞ୍ଜାମ ଜିଲାର ବିଭିନ୍ନ ଥାନାରେ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଏକାଧିକ ମାମଲା ରୁଜୁ ହୋଇଥିଲା। ନିଜକୁ ଟାଟା ମୋଟର୍ସର ଏମ୍‌ଡି ରୂପେ ପରିଚୟ ଦେଇ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗଞ୍ଜାମ ଜିଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ସମ୍ପର୍କରେ କ୍ରାଇମବ୍ରାଞ୍ଚ ‌ଏହି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଯୋଗ୍ୟ ଯେ ଦୁଇ ଦିନ ପୂର୍ବରୁ ଆକାଶ ପାଠକ ଓ ତାଙ୍କ ବାପା ତଥା ପୂର୍ବତନ ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କୁ ଜାମିନ ମିଳିଥିଲା। ଟାଟା କମ୍ପାନୀରେ ଚାକିରି କରାଇ ଦେବା ପାଇଁ ଗୋଳନ୍ଥରା ଥାନାରେ ହୋଇଥିବା ମାମଲାରେ ସେମାନଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ତେବେ ଉଭୟଙ୍କ ନାମରେ ଅନ୍ୟାନ୍ୟ ମାମଲା ରହିଥିବାରୁ ଉଭୟ ବାପାପୁଅ ଜେଲ୍‌ରୁ ମୁକୁଳି ପାରି ନାହାନ୍ତି।

Comments are closed.