କିଏ ଧରିବ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ମଙ୍ଗ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କୃତ ପରେ ଗୋପାଳପୁର ବିଜେଡି ଦୁଇ ଫାଳ

ଗୋପାଳପୁର : ଗୋପାଳପୁର ବିଧାୟକ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଜନବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡି ଦଳ ପକ୍ଷରୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିଲା। ଏଥି ସହିତ ବିଧାୟକ ଟାଟାରେ ମିଥ୍ୟା ନିଯୁକ୍ତି ପ୍ରଦାନରେ ନିଜର ଭାବୀଜ୍ବାଇଁ ଆକାଶ ପାଠକଙ୍କୁ ସହାୟତା କରିବା ମାମଲାରେ ଜେଲ ମଧ୍ୟ ଯାଇଛନ୍ତି। ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଜେଲ୍‌ ଜିବା ପରେ ବର୍ତ୍ତମାନ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ନେତା ବିହୀନ ହୋଇଥିବା ସହ ଏଠାରେ ଥିବା ବିଜେଡି ଦଳ ଦୁଇ ଭାଗ ହୋଇଯାଇଥିବା ଆଲୋଚନା ଜୋର ଧରିଛି। ୨୦୦୯ ପରଠାରୁ ବିଜେଡିରୁ ବିଧାୟକ ଭାବେ ଡ଼ ପାଣିଗ୍ରାହୀ ବିଜୟୀ ହେବା ସହ ୨୦୧୯ ରେ ତୃତୀୟ ଥର ନିମନ୍ତେ ବିଧାୟକ ଭାବେ ନିର୍ବାଚିତ ହୋଇ ହାଟ୍ରିକ ହାସଲ କରିଥିଲେ। କିନ୍ତୁ କମ ଭୋଟ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ଠାରୁ ବିଜୟ ହେବା ନେଇ ବିଧାୟକ ଦଳର କର୍ମୀ ମାନଙ୍କୁ ଏ‌ହା ନେଇ ଦାୟୀ କରିବା ସହ ଅସନ୍ତୋଷ ବ୍ୟକ୍ତ କରି ଆସୁଥିଲେ।

ଯାହାଦ୍ୱାରା ଅନେକ କର୍ମୀ ବିଧାୟକ ସମେତ ଦଳୀୟ କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରଖିବା ଦେଖାଯାଇଥିଲା। ଏହା ମଧ୍ୟରେ ବିଧାୟକ ଡ଼ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କୃତ କରାଯିବା ସହ ଜେଲ ଯିବା ଘଟଣା ପର ଠାରୁ ନିଜକୁ ପ୍ରଦୀପଙ୍କ ଠାରୁ ଦୂରେଇ ରହୁଥିବା ଏକ ଗୋଷ୍ଠୀ ଚଳଚଞ୍ଚଳ ହେବା ସହ ଗତ ୧୯ ତାରିଖରେ ଖଜୁରିଆ ଠାରେ ଏକ ବୈଠକ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଅନ୍ୟ ପଟେ ଏହି କାର୍ଯ୍ୟକ୍ରମକୁ ବିଧାୟକଙ୍କ ସମର୍ଥକ ଭାବରେ ପରିଚିତ ରହିଥିବା କେତେକ କର୍ମୀ ମାନଙ୍କୁ ଏହି ବୈଠକକୁ ଡକା ନଯିବା ଫଳରେ ଆଉ ଏକ ଗୋଷ୍ଠୀ ସୃଷ୍ଟି ହେବା ସହ ଆଗାମୀ ଦିନରେ ଏହି ଗୋଷ୍ଠୀ ଆଉ ଏକ ବୈଠକ କରିବା ନେଇ ଆଲୋଚନା ଜୋର ଧରିଛି।

ସୂଚନାଯୋଗ୍ୟ ଯେ ୨୦୧୯ ନିର୍ବାଚନ ପରଠାରୁ ଅଧିକାଂଶ କର୍ମୀ ପ୍ରଦୀପଙ୍କ ପାଖରେ ରହିବା ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ମାନ କରିଆସୁଥିଲେ। ବିଧାୟକ ଦଳରୁ ବହିଷ୍କୃତ ହେବା ଏବଂ ଜେଲ ଯିବା ଘଟଣା କୁ ନେଇ ବିଧାୟକଙ୍କ ସମର୍ଥକ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ ପୂର୍ବକ ପ୍ରଦୀପଙ୍କୁ ଦଳରୁ ବହିଷ୍କୃତକୁ ନେଇ ପୁନଃ ନିଷ୍ପତ୍ତି ନେବାକୁ ଦାବି କରିବା ସହ ଗିରଫ ଘଟଣା ନେଇ ଉପଯୁକ୍ତ ତଦନ୍ତ କରିବାକୁ ବ୍ରହ୍ମପୁର ପୁଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଘଟଣା ପରେ ବିଜେଡି ର ଗୋଟିଏ ଗୋଷ୍ଠୀ ଏହି କର୍ମୀମାନଙ୍କୁ ପ୍ରଦୀପଙ୍କ ସମର୍ଥକ ଆଖ୍ୟାଦେବା ସହ ସେମାନଙ୍କୁ ତାଙ୍କ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

ଯଦି ଏପରି ସ୍ଥିତି ଆଗକୁ ଜାରି ରହେ ତାହାହେଲେ ବିଜେଡିର ଏହି କର୍ମୀ ମାନେ ବାଧ୍ୟ ହୋଇ ଅନ୍ୟ ଦଳକୁ ସମର୍ଥନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏହା ସହ ବର୍ତ୍ତମାନ ବିଧାୟକ ବିରୋଧୀ ଗୋଷ୍ଠୀ ମଧ୍ୟରେ ମୁଁ ନେତା ବୋଲି ନିଜର ସ୍ଥିତି ଜାହାରି କରିବା ଆରମ୍ଭ କରିଦେଇଥିବାରୁ ଗତ ୧୯ ତାରିଖ ବୈଠକରେ ସାମିଲ ହୋଇଥିବା ଅନେକ ଜନପ୍ରତିନିଧି ଓ କର୍ମୀ ‌ଆଗାମୀ ଦିନରେ ବିଧାୟକ ବିରୋଧୀ ଗୋଷ୍ଠୀ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିବେ ବୋଲି ମଧ୍ୟ ଆଲୋଚନା ଜୋର ଧରିଛି। ସୂଚନାଯୋଗ୍ୟ ଯେ ଗୋପାଳପୁର ରାଜନୀତିରେ ଶାସକ ବିଜେଡି ଦଳ ଏକ ପ୍ରକାର ନେତୃତ୍ବ ବିହୀନ ହୋଇଯାଇଥିବା ବେଳେ କିଏ ମଙ୍ଗ ଧରି ଏଠାରେ ଦଳର ନେତୃତ୍ବ ନେବ ତାହା ଜଣା ପଡିନଥିବା ବେଳେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ବିଧାୟକ ଟିକେଟ ପାଇବାକୁ ଆଶାୟୀ ପ୍ରାର୍ଥୀ ଭାବେ ନିଜ ନିଜ ସମର୍ଥକଙ୍କ ମଧ୍ୟରେ ନିଜକୁ ଚିତ୍ରଣ କରାଇ ସହ ସେମାନେ ହିଁ ଆଗାମୀ ଦିନରେ ଦଳୀୟ ଟିକେଟ ପାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

‌ଏହା ସହ ବ୍ରହ୍ମପୁର ନିର୍ବାଚନୀ ମଣ୍ଡଳୀ ରେ କେତେକ ନେତା ମଧ୍ୟ ନିଜକୁ ନିଜେ ଗୋପାଳପୁର ବିଜେଡି ପ୍ରତିନିଧି ଭାବେ ଚିତ୍ରଣ କରି କର୍ମୀଙ୍କ ସହ ଯୋଗସୁତ୍ର ରଖି ଦଳୀୟ କାର୍ଯ୍ୟକୁ ଆଗକୁ ନେବାକୁ ଉଦ୍ୟମ ଜାରି ରଖିଥିବା ଆଲୋଚନା ମଧ୍ୟ ଜୋର ଧରିଛି। କିନ୍ତୁ ଅଦ୍ୟାବଧି ବିଜେଡି ପକ୍ଷରୁ ଗୋପାଳପୁର ରେ ଦଳକୁ କିଏ ନେତୃତ୍ବ ନେବ ତାହା ଘୋଷଣା ହୋଇପାରିନାହିଁ। ବିଶେଷ କରି ଗତ ବର୍ଷ ରାଜ୍ୟର ସମସ୍ତ ବ୍ଲକ୍ ବିଜେଡି ସଭାପତି ଙ୍କ ନାମ ଘୋଷଣା ସରିଥିଲେ ସୁଦ୍ଧା ଆଜି ଯାଏଁ ସହ ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ସଭାପତି ଙ୍କ ନାମ ଘୋଷଣା ହୋଇପାରିନାହିଁ। ଯଦ୍ୱାରା ଏଠାରେ ଗତ ଦୁଇବର୍ଷ ହେବ ଦଳ ଏକ ପ୍ରକାର ସ୍ଥାଣୁ ଅବସ୍ଥାକୁ ଚାଲି ଆସିଥିବା ଆଲୋଚନା ଜୋର ଧରିଛି।

Comments are closed.