ଫ୍ୟାନରେ ଝୁଲି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗ୍ରାମରେ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଶନିବାର ସେ କଲେଜରୁ ଫେରିବା ପରେ ନିଜ ଘରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଅଭିଯୋଗ ଅନୁଯାୟୀ, ସାନକୁଶସ୍ଥଳୀ ଗ୍ରାମର ଜୟରାମ ସାହୁଙ୍କ ଝିଅ ନୂପୂର ନରେନ୍ଦ୍ରପୁରସ୍ଥିତ କ୍ଷେତ୍ର ମୋହନ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ଦ୍ବିତୀୟ ବର୍ଷରେ ପଢୁଥିଲେ। ଶନିବାର ନୂପୂର କଲେଜରୁ ଫେରିବା ପରେ ବେଶ କିଛି ସମୟ ଠିକ୍ ଠାକ୍ ରହିଥିବା ପରିବାର ବର୍ଗ କହିଛନ୍ତି। ସନ୍ଧ୍ୟା ସାଢେ ୭ଟା ସମୟରେ ନୂପୂର ସାମ୍ନା ଘରେ ବସିଥିବା ବେଳେ ତାଙ୍କ ମାଆ ଓ ଭଉଣୀ ରୋଷେଇ ଘରେ ରୋଷେଇ କରୁଥିଲେ। ପ୍ରାୟ ରାତି ୮ଟା ବେଳେ ମାଆ ଓ ଭଉଣୀ ଉଭୟେ ସାମ୍ନା ଘରକୁ ଆସିବା ସମୟରେ କବାଟ ବନ୍ଦ ଥିବା ଦେଖି ନୂପୂରକୁ କବାଟ ଖୋଲିବା ପାଇଁ କହିଥିଲେ। କିନ୍ତୁ ସେପଟୁ ନୂପୂର କୌଣସି ଉତ୍ତର ଦେଇ ନ ଥିଲେ। ଫଳରେ ସେମାନେ କବାଟକୁ ଜୋରରେ ଧକ୍କା ଦେବାରୁ କବାଟ ଖୋଲିଯିବା ସହିତ ନୂପୂର ଫ୍ୟାନରେ ଏକ ରଶିରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ତାଙ୍କ ମାଆ  ରଶି କାଟି ଝିଅକୁ ଉଦ୍ଧାର କରିବା ସହ ବାପା ଜୟରାମଙ୍କୁ ଖବର ଦେଇଥିଲେ। ପରେ ନୂପୂରଙ୍କୁ ମେଡ଼ିକାଲକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ଗୋପାଳପୁର ଥାନାରେ ଜୟରାମ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଥାନାରେ ୦୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Comments are closed.