ପର୍ଯ୍ୟଟକଙ୍କୁ ଠକେଇ ଅଭିଯୋଗରେ ଲଜିଂ ମାଲିକ କୋର୍ଟ ଚାଲାଣ

ଗୋପାଳପୁର : ଗଞ୍ଜାମ ଜିଲା ଗୋପାଳପୁର ଲଜିଂ ମାଲିକ ପର୍ଯ୍ୟଟକଙ୍କ ଠରୁ ଅଗ୍ରୀମ ଟଙ୍କା ନେଇ ରୁମ ନଦେବା ସହ ଅଧିକ ଟଙ୍କା ମାଗିବା ଏବଂ ଧମକ ଚମକ ଦେବା ନେଇ ଥାନାରେ ମାମଲା ପରେ ଲଜିଂ ମାଲିକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଅଭିଯୋଗ ଅନୁଯାୟୀ, ଗୋପାଳପୁର ବତୀଘର ସମ୍ମୁଖରେ ଥିବା ହୋଟେଲ ସିଭିୟୁ ରିସୋର୍ଟର ୧୦ଟି ରୁମ ପାଇଁ ଗତ ସେପ୍ଟେମ୍ବର ୧୩ ତାରିଖରେ କଲକାତାର ଲକ୍ଷ୍ମଣ ତାଲୁକଦାର ଲଜିଂ ମ୍ୟାନେଜର ସହ ଯୋଗାଯୋଗ କରିବା ସହ ସମସ୍ତ ରୁମ ନିମନ୍ତେ ୩୦ହଜାର ଟଙ୍କା ଭଡ଼ା ନେଇ କଥାବାର୍ତ୍ତା ହୋଇଥିଲା। ଏହା ସହ ଲଜିଂ ମ୍ୟାନେଜରଙ୍କ କହିବା ମୁତାବକ ଆଡଭାନସ ବାବଦରେ ୨୫ ହଜାର ଟଙ୍କା ଲଜିଂର ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ। ଆଜି ସକାଳେ ୬୧ ଜଣ ପର୍ଯ୍ୟଟକଙ୍କୁ ନେଇ ଗୋପାଳପୁରରେ ପହଞ୍ଚି ହୋଟେଲ ସି ଭିୟ୍ୟୁ ରିସୋର୍ଟରେ ପହଞ୍ଚି ଥିଲେ। ହେଲେ ଲଜିଂରେ ଉପସ୍ଥିତ ଥିବା ମାଲିକ ସୁବାଶିଷ ଦତ୍ତ ସେମାନଙ୍କୁ ରୁମ ଦେବାକୁ ମନା କରିଦେଇଥିଲେ ଏବଂ ଆଡଭାନସ ଟଙ୍କା ଦେଇନଥିବା ନେଇ କହିବା ସହ ଟଙ୍କା ଦେଲେ ଲଜିଂରେ ରହିବେ ବୋଲି କହିବା ସହ ପର୍ଯ୍ୟଟକଙ୍କୁ ନିଜେ ଲଜିଂ ମାଲିକ ସୁବାଶିଷ ଦତ୍ତ ଧମକ ଚମକ ଦେଇଥିଲେ। ଏହାକୁ ନେଇ ଶ୍ରୀ ତାଲୁକଦାର ଗୋପାଳପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ଗୋପାଳପୁର ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ନିଜେ ହୋଟେଲ ସି ଭିୟ୍ୟୁ ରିସୋର୍ଟ ରେ ପହଞ୍ଚି ସମସ୍ତ ତଦନ୍ତ କରିବା ସହ ପର୍ଯ୍ୟଟକ ମାନଙ୍କୁ ରୁମ ଦେବାକୁ ଲଜିଂ ମାଲିକ ଦତ୍ତଙ୍କୁ କହିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା। ଶେଷରେ ପୁଲିସ ପକ୍ଷରୁ ଏନେଇ ଥାନାରେ ୦୧/୨୦ ରେ ଏକ ମାମଲା ରୁଜୁ କରିବା ସହ ଲଜିଂ ମାଲିକ ସୁଵାଶିଷ ଦତ୍ତଙ୍କୁ ଠକେଇ ଓ ଧମକ ଚମକ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି।

ଏହା ସହ ଆଇଆଇସି ବିବେକାନନ୍ଦ ମହନ୍ତ ମାନବିକତା ଦେଖାଇ କଲକାତାରୁ ସମସ୍ତ ୬୧ଜଣ ପର୍ଯ୍ୟଟକଙ୍କୁ ସ୍ଥାନୀୟ ୟୁଥ୍ ହଷ୍ଟେଲରେ ରହିବାର ବ୍ୟବସ୍ଥା କରିବା ସହ ସେମାନଙ୍କର ଖାଇବା ବ୍ୟବସ୍ଥା କରିଥିଲେ। ଏହି ଘଟଣା ନେଇ ଗୋପାଳପୁରରେ ଥାନା ଆଇଆଇସିଙ୍କ ଦ୍ଵାରା ଏପରି କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

Comments are closed.