ମିଶୁ ମୋର ଦେହ…

ସେବା, ତ୍ୟାଗ ଓ ମାନବିକତାର ଏକ ସୁଦୃଶ୍ୟ ମଣି ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ଜୀବନ ତମାମ ଅନ୍ୟପାଇଁ ନିଜକୁ ନିୟୋଜିତ କରି ଓଡିଶାର ପୁରପଲ୍ଲୀରେ ସମସ୍ତଙ୍କ ଦୃଦୟର ମଣି ସାଜିଥିଲେ ଉତ୍କଳମଣି। ନିଜ ପରିବାରଠୁ ଅଧିକ ସ୍ନେହ ଶ୍ରଦ୍ଧା କରୁଥିଲେ ଲୋକମାନଙ୍କୁ। ସେଥିପାଇଁ ତ ଥରେ ନିଜ ରୋଗିଣା ପୁଅକୁ ଛାଡି ମଧ୍ୟ ବନ୍ୟା ଅଞ୍ଚଳକୁ ଚାଲିଯାଇଥିଲେ। ଆସିଲାବେଳକୁ ପୁଅ ଆଉ ସଂସାରେ ନଥିଲା। ପର ପାଇଁ ଏତେ ବିକଳ ହେଇ ଉଠୁଥିଲେ। ଏତେ ପାଠ ପଢି ମଧ୍ୟ ଚାକିରି କରିନଥିଲେ। ସେ ଚାହିଁଥିଲେ ଭଲ ଚାକିରି ଖଣ୍ଡେ କରି ବେଶ ଆରାମରେ ରହିପାରିଥାନ୍ତେ। ବିନା ଫିସ୍‌ରେ ଅନ୍ୟ ପାଇଁ ଓକିଲାତି କରୁଥିଲେ। ଦୁଇପକ୍ଷକୁ ବୁଝାମଣା କରି ଘରକୁ ଫେରାଇ ଦେଉଥିଲେ। ପାଠ ପଢିବା ପାଇଁ ଭଲ ସୁବିଧା ନାହିଁ। କିଛି ସହଯୋଗୀଙ୍କ ସହ ବଉଳ ଓ ଛୁରିଆନା ବଣ ଭିତରେ ସ୍ଥାପନ କଲେ ସତ୍ୟବାଦୀ ବନ ବିଦ୍ୟାଳୟ। ଏଠାର ପାଠ ପଢା ପ୍ରତି ଆକୃଷ୍ଟ ହୋଇ ଚାରିଆଡୁ ବିଦ୍ୟାର୍ଥୀଙ୍କ ସୁଅ ଛୁଟିଲା। ଗୁରୁକୁଳ ଆଶ୍ରମ ପରିବେଶ ମଧ୍ୟରେ ପିଲାମାନଙ୍କୁ ପାଠ ସହ ନୈତିକ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ କରାଯାଉଥିଲା। ଗୋପବନ୍ଧୁଙ୍କ ଏହିଭଳି ମହତ୍‌ କାମକୁ ଲୋକେ ପ୍ରଶଂସାରେ ଶତମୁଖର ହୋଇଉଠିଲେ। ଗୋପବନ୍ଧୁ ଦେଶ କାମ ପାଇଁ ଆଗେ ବାହାରି ପଡୁଥିଲେ। ସେ ଓଡିଶା ଓ ବିହାର ବ୍ୟବସ୍ଥା ସଭାର ସଭ୍ୟ ହେଲେ। ସେହି ସମୟରେ ପୁରୀ ଜିଲାରେ ଦୁର୍ଭିକ୍ଷ ପଡିଥିଲା। ଲୋକେ ଖାଇବାକୁ ନପାଇ ଘାସ, ପତ୍ର ଖାଇଲେ । ଗୋପବନ୍ଧୁ ଲୋକଙ୍କ ଏଭଲି ଦୁର୍ଦଶା ଦେଖି ବ୍ୟଥିତ ହୋଇପଡିଲେ। ବ୍ୟବସ୍ଥା ସଭାରେ ପହଞ୍ଚି ଲାଟ ସାହେବଙ୍କୁ ଏକଥା ଜଣାଇଲେ। ଲାଟ୍‌ ସାହେବ ଦୁର୍ଭିକ୍ଷ ଅଞ୍ଚଳ ବୁଲି ଦେଖିଲେ ସା​‌େ​‌ଙ୍ଗସାଙ୍ଗେ ଚାଉଳ, ଚୁଡା ଆଦି ଖାଇବା ସାମଗ୍ରୀ ପ୍ରେରଣ କଲେ। ଭାରତ ମୁକ୍ତି ପାଇଁ ସଂଗ୍ରାମ ଜାରି ରହିଥିଲା। ମହାତ୍ମାଗାନ୍ଧୀଙ୍କ କଥାରେ ପ୍ରେରିତ ହୋଇ ଓଡ଼ିଶାର ଗାଁ ଗାଁ ବୁଲି ଲୋକମାନଙ୍କୁ ବୁଝାଉ ଥିଲେ। ସେ ଅସହଯୋଗ ଆନ୍ଦୋଳନରେ ଯୋଗଦେଲେ। ପୁଲିସ ଗୋପବନ୍ଧୁଙ୍କ ପିଛା ଛାଡୁନଥିଲେ। ଶେଷରେ ଜେଲ୍‌ଦଣ୍ଡ ହେଲା ଗୋପବନ୍ଧୁ ଦାସଙ୍କୁ। ସେ ହସି ହସି ଜେଲ୍‌ରେ ରହି ମଧ୍ୟ ଦେଶର କଥା ଭାବିଲେ। ଜେଲରେ ଥିବା ସମୟରେ କାରାକବିତା, ଧର୍ମପଦ, ନଚିକେତା ଉପାଖ୍ୟାନ ପ୍ରଭୃତି ପୁସ୍ତକ ଲେଖିଲେ। ସତ୍ୟବାଦୀଠାରେ ରହି ସତ୍ୟବାଦୀ ନାମକ ଏକ ପତ୍ରିକା ଛାପିଲେ। ସେହି ପତ୍ରିକାରେ ସରକାରଙ୍କ ଅତ୍ୟାଚାର ଓ ଦେଶର ବିଭିନ୍ନ ଖବର ପ୍ରକାଶ କଲେ। ଏଥିପାଇଁ ଗୋରା ସରକାରଙ୍କ କେତେ ନିର୍ଯାତନା ସହିବାକୁ ମଧ୍ୟ ପଛେଇ ନଥିଲେ। ପରବର୍ତ୍ତୀ ସମୟରେ ଏହି ପତ୍ରିକା ‘ସମାଜ’ର ରୂପ ନେଇଥିଲା। ଯେଉଁ ‘ସମାଜ’ ଓ ଗୋପବନ୍ଧୁ ପ୍ରଚାର ସମିତି ମାଧ୍ୟମର ଏବେମଧ୍ୟ ନିରନ୍ତର ସେବା ଯୋଗାଇ ଆସୁଛି। ଏହିପରି ଏକ ମହାମାନବ ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ଠାରେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମ ମଧ୍ୟ ଏକ ରୋଚକ ଘଟଣା ଆଧାରିତ। ତାଙ୍କ ବାପା ଦୈତାରୀ ଦାସ ଏକ କୁଳୀନ ବ୍ରାହ୍ମଣ। ମାତା ସ୍ବର୍ଣ୍ଣମୟୀ ଦେବୀ ଗର୍ଭ କଷ୍ଟ ପାଇଲେ। ବଇଦ ଆସିଲେ, ଔଷଧ ଦେଲେ, କିଛି ସୁଫଳ ମିଳିଲାନାହିଁ। ଶେଷରେ କିଏ ଜଣେ କହିଲେ ଜଣେ ଗରିବ ଘରକୁ ନେଇଯାଅ। ସେମିତି ହେଲା ଏକ ଗରିବ ଘରକୁ ସ୍ବର୍ଣ୍ଣମୟୀ ଦେବୀଙ୍କୁ ନିଆଗଲା, କିଛି ସମୟପରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ସତରେ ଏକ ଗରିବ ଘରେ ଜନ୍ମହେଇ ଗରିବମାନଙ୍କର ବନ୍ଧୁ ହେଇଯାଇଥିଲେ ଗୋପବନ୍ଧୁ। ପିଲାଟି ଦିନରୁ ମା’ଙ୍କୁ ହରାଇ ମାଉସୀଙ୍କ ଦ୍ୱାରା ପାଳିତ ହୋଇଥିଲେ ଗୋପବନ୍ଧୁ। ନିଜ ପିତାଙ୍କୁ ମଧ୍ୟ ହାରଇଥିଲେ ନିଃସ୍ବ ହେଇ ମଧ୍ୟ ନିଃସ୍ବାର୍ଥ ଭାବରେ ନିଃସ୍ବମାନଙ୍କ ସେବାରେ ନିୟୋଜିତ ହେଇଥିଲେ। ଏମିତି କି ସେ ଶେଷରେ ନିଜ ଏକମାତ୍ର ପୁଅ ଓ ସ୍ତ୍ରୀଙ୍କୁ ମଧ୍ୟ ହରାଇ ଥିଲେ। ନିଜ ପାଖରେ ଯାହାଥିଲା ଏବଂ ସାଂଗ ସାଥୀମାନଙ୍କଠାରୁ ସହଯୋଗ ମାଗି ଲୋକମାନଙ୍କ ସେବାକରିବା ପାଇଁ ପହଞ୍ଚି ଯାଉଥିଲେ। ସତ୍ୟବାଦୀ ପ୍ରେସ ଓ ‘ସମାଜ’କୁ ଲୋକସେବକ ମଣ୍ଡଳକୁ ଟେକି ଦେଇଥିଲେ। ନିଜର ବୋଲି କିଛି ରଖିନଥିଲେ। ଶେଷରେ ୧୯୨୮ ଜୁନ ମାସ ୧୬ ତାରିଖରେ ସେବା ତ୍ୟାଗର ମହକ ଛାଡିଦେଇ ଆରପାରିକୁ ଯାଇଥିଲେ। ଏହିପରି ମହାପୁରୁଷଙ୍କ ଆବିର୍ଭାବ ଓଡ଼ିଶାର ମାଟିପାଇଁ ଗୌରବର କଥା, ଯିଏ କହିଥିଲେ ଓ ବାସ୍ତବିକ କରି ଦେଖେଇଥିଲେ “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ, ଦେଶର ସ୍ବରାଜ୍ୟ ପଥେ ଯେତେ ଗାଡ,ପୂରୁ ତହିଁ ପଡି ମୋର ମାଂସ ହାଡ଼”।

Comments are closed.