ସୂଚନା ସହ ଜ୍ଞାନ ବାଣ୍ଟୁଛି ‘ସମାଜ’: ଜଷ୍ଟିସ ଦୀପକ ମିଶ୍ର

ଗୋପବନ୍ଧୁ ଜ୍ୟୋତି ଯାତ୍ରା ଉଦ୍‌ଘାଟିତ

କଟକ :ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା ଓ ତ୍ୟାଗପୂତ ମନୋଭାବକୁ ପ୍ରତ୍ୟେକ ବ୍ୟକ୍ତି ଅନୁସରଣ କରିବା ଉଚିତ। ସାମ୍ବିଧାନିକ ଭ୍ରାତୃଭାବ ବଜାୟ ରଖିବା ନିମନ୍ତେ ସମସ୍ତେ ସାମ୍ବିଧାନିକ ବ୍ୟକ୍ତି ଭାବେ କାର୍ଯ୍ୟ କରିବା ଦରକାର। ଯୁବଶକ୍ତି ଗାଣତନ୍ତ୍ରିକ ବିଚାରଧାରା ସମ୍ପନ୍ନ ଜାତୀୟ ଗୌରବାବହ ସମାଜ ଗଠନ ଦିଗରେ ବ୍ରତୀ ହେବା ଆବଶ୍ୟକ। ଯୁବବର୍ଗ ମନେ ରଖିବା ଉଚିତ, ଅଭ୍ୟାସ ହେଉଛି ଏକ ଦୀର୍ଘସ୍ଥାୟୀ ସାମର୍ଥ୍ୟ। ନିର୍ଭୀକ ଭାବ ପ୍ରକାଶ କରିବା ନିମନ୍ତେ ଏହା ଶକ୍ତି ଯୋଗାଇଥାଏ ଏବଂ ଜଣକୁ ସାମ୍ବିଧାନିକ ମୂଲ୍ୟବୋଧର ଶୀର୍ଷବିନ୍ଦୁରେ ଅବସ୍ଥାପିତ କରିଥାଏ ବୋଲି ମତବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର।
ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଆୟୋଜିତ ‘ଗୋପବନ୍ଧୁ ଜ୍ୟୋତି’ ଯାତ୍ରାର ଶୁଭାରମ୍ଭ ଏବଂ ‘ସମାଜ’ର ଶତବାର୍ଷିକୀ ଅବସରରେ ବାରବାଟୀ ଷ୍ଟାଡିୟମ ପରିସରସ୍ଥ ସଚିନ ତେନ୍ଦୁଲକର ଇନ୍‍ଡୋର ହଲ୍‍ଠାରେ ଅନୁଷ୍ଠିତ ଜାତୀୟ ଯୁବ ଶିବିରର ବୁଧବାର ଉଦ୍‍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଲେ, ଆଜିର ଯୁବପିଢ଼ି ଭବିଷ୍ୟତର ନିୟନ୍ତା। ବର୍ତ୍ତମାନର ଘଟଣାବଳୀ ଉପରେ ନିୟନ୍ତ୍ରଣ ରହିଲେ ଜଣେ ଭବିଷ୍ୟତକୁ ନିୟନ୍ତ୍ରଣ କରିପାରିବ। ଆଜି ହେଉଛି ଜୀବନର ତତ୍ତ୍ୱ, ବର୍ତ୍ତମାନର ମୂଲ୍ୟବାନ ମୁହୂର୍ତ୍ତ ଓ ଚିରନ୍ତନର ପ୍ରକୃତ କ୍ଷଣ। ଗତକାଲିରେ ମୋହାଚ୍ଛନ୍ନ ନ ହୋଇ ଆଜି ନିଜର ବିକାଶ ପାଇଁ ଉଦ୍ୟମ କରିବା ଆବଶ୍ୟକ। ପ୍ରତ୍ୟେକ
ଦିନ ଜୀବନରେ ଥରେ ମାତ୍ର ଆସେ ଏବଂ ତାହାକୁ ଆମେ କେବଳ ଆନନ୍ଦ, ଉଲ୍ଲାସ ମଧ୍ୟରେ ଅଥବା ଦୁଃଖ କିମ୍ବା ଭୟରେ ଅତିବାହିତ କରିବାକୁ ଦେଇପାରିବା ନାହିଁ। ତାହାକୁ ବ୍ୟକ୍ତିଗତ ଅଭିବୃଦ୍ଧି ଓ ସାମଗ୍ରିକ ବିକାଶ ତଥା ସଂହତି ନିମନ୍ତେ ଉପଯୋଗ କରିବା ଉଚିତ ବୋଲି ଜଷ୍ଟିସ ମିଶ୍ର କହିଥିଲେ। ‘ସମାଜ’ ସମ୍ପର୍କରେ ନିଜସ୍ୱ ଉପଲବ୍ଧିକୁ ଦର୍ଶାଇ ସେ କହିଲେ, ଓଡ଼ିଶା ଏବଂ ବାହାରେ ‘ସମାଜ’ର ଉଲ୍ଲେଖନୀୟ ଆଦୃତି ରହିଛି। ପାଠକମାନେ ଆଗ୍ରହର ସହ ‘ସମାଜ’ ପଢ଼ିବାକୁ ଅପେକ୍ଷା କରି ରହିଥାନ୍ତି। ସାଧାରଣ ଲୋକଙ୍କ ମଧ୍ୟରେ ସୂଚନା ଓ ଜ୍ଞାନ ବାଣ୍ଟିବା ଉଦ୍ଦେଶ୍ୟ ନେଇ ପଣ୍ଡିତ ଗୋପବନ୍ଧୁ ଦାସ ‘ସମାଜ’କୁ ଏକ ସମୟୋପଯୋଗୀ ସେତୁ ଭାବେ ପରିକଳ୍ପନା କରିଥିଲେ। ଏହା ଆଜିର ଡିଜିଟାଲ ଯୁଗରେ ବି ଉକ୍ତ ଉଦ୍ଦେଶ୍ୟ ପୂରଣ କରିପାରୁଛି। ପ୍ରତିଟି ବ୍ୟକ୍ତିକୁ ମାନସିକ ସ୍ତରରେ ସଶକ୍ତ କରିବା ପାଇଁ ତାଙ୍କର ଦୃଷ୍ଟିଭଙ୍ଗୀକୁ ଅଧିକ ଶାଣିତ କରୁଛି ‘ସମାଜ’। ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ଯୁବବର୍ଗ ନିଜ ଅନ୍ତରାତ୍ମାକୁ ଦେଶସେବା ନିମନ୍ତେ ଜାଗ୍ରତ କରିବା ପାଇଁ ଜଷ୍ଟିସ ମିଶ୍ର ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ସିୱାଇଏସ୍‍ଡିର ସହ ପ୍ରତିଷ୍ଠାତା ଜଗଦାନନ୍ଦ କହିଲେ, ‘ସମାଜ’ ଆଜି ଶହେ ବର୍ଷ ଅତିକ୍ରାନ୍ତ କରିଛି। କୌଣସି ଅନୁଷ୍ଠାନ ପାଇଁ ଶହେ ବର୍ଷ କିଛି କମ୍‍ କଥା ନୁହେଁ। ଶତବାର୍ଷିକୀ ପାଳନ ଅବସରରେ ଶିବିର ମାଧ୍ୟମରେ ଯୁବବର୍ଗଙ୍କୁ ଗୋପବନ୍ଧୁଙ୍କ ଆଦର୍ଶ ସହ ଯୋଡ଼ିବାର ଏହି ନିଆରା ପ୍ରୟାସ ସ୍ୱାଗତଯୋଗ୍ୟ। ଦେଶ ଗଠନରେ ଯୁବବର୍ଗଙ୍କୁ ଆଗକୁ ବଢ଼ିବାରେ ଏହା ନିଶ୍ଚିତ ଭାବେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଲୋକସେବକ ମଣ୍ଡଳର ସଭାପତି ଦୀପକ ମାଲବ୍ୟ ଅଧ୍ୟକ୍ଷତା କରି ଯୁବବର୍ଗଙ୍କୁ ରାଷ୍ଟ୍ର ଗଠନରେ ସାମିଲ ହେବା ନିମନ୍ତେ ଆହ୍ୱାନ ଜଣାଇଥିଲେ। ଲୋକସେବକ ମଣ୍ଡଳର ଟ୍ରଷ୍ଟି ତଥା ଶିବିର ନିର୍ଦେଶକ ଡ. ଏସ୍‍. ଏନ୍‍. ସୁବାରାଓ ଶିବିର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ‘ସମାଜ’ର କାର୍ଯ୍ୟକାରୀ ସାଧାରଣ ପରିଚାଳକ ପ୍ରିୟବ୍ରତ ମହାନ୍ତି ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କହିଲେ ‘ସମାଜ ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ଉଦ୍ୟମ କ୍ରମେ ଆରମ୍ଭ ହୋଇଥିବା ‘ଗୋପବନ୍ଧୁ କର୍ତ୍ତବ୍ୟବୋଧିନୀ’ ସମ୍ମାନ ପ୍ରତି ବ୍ଲକସ୍ତରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ଏକଦା ଗୋପବନ୍ଧୁଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ‘କର୍ତ୍ତବ୍ୟବୋଧିନୀ ସମିତି’ର କାର୍ଯ୍ୟଶୈଳୀ ଆଧାରରରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସହ ଅନ୍ୟମାନଙ୍କୁ ସମାଜ ପ୍ରତି ନିଜର ଉତ୍ତରଦାୟିତ୍ବ ଓ କର୍ତ୍ତବ୍ୟବୋଧ ସମ୍ପର୍କରେ ସଚେତନ କରାଇ ସୁନାଗରିକ ଗଠନରେ ସହାୟକ ହେବ ବୋଲି ସେ ସୂଚନା ଦେଇଥିଲେ।
‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ ମଞ୍ଚାସୀନ ଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ଜୀବନବ୍ୟାପୀ ସାଧନା ନିମନ୍ତେ ଶିକ୍ଷା ପାଇଁ ଯାଜପୁର ଜିଲାର ଆଶୁତୋଷ ବଳ, ସମାଜସେବା ପାଇଁ କେନ୍ଦୁଝରର ସେବତୀ ସିଂ, ବାନ୍ଧକଳା ପାଇଁ ବରଗଡର ଡଃ ସୁରେନ୍ଦ୍ର ମେହେର ଓ ସାହିତ୍ୟରେ ନୟାଗଡର ବସିରନ୍ ବିବିଙ୍କୁ ‘ସମାଜ ସମ୍ମାନ’ ସହିତ ଏକଲକ୍ଷ ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇଥିଲା। ସେହିପରି ଶିକ୍ଷା କ୍ଷେତ୍ରରେ ଖୋର୍ଦ୍ଧାର ଦେବୀଦତ୍ତ ଦେବାଶିଷ, ସମାଜସେବା କ୍ଷେତ୍ରରେ ଭଦ୍ରକର ରତ୍ନାକର ସାହୁ, ସଂସ୍କୃତି କ୍ଷେତ୍ରରେ କଳାହାଣ୍ଡିର ଧ୍ୟାନାନନ୍ଦ ପଣ୍ଡା ଓ କ୍ରୀଡ଼ା କ୍ଷେତ୍ରରେ ଢେଙ୍କାନାଳର ବିଭାରାଣୀ ପାତ୍ରଙ୍କୁ ‘ସମାଜ ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କା ସହିତ ଉତ୍ତରୀୟ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।
ବ୍ୟଙ୍ଗ ଚିତ୍ରଶିଳ୍ପୀ ଜ୍ଞାନ ରଥ ଡ. ସୁବାରାଓଙ୍କୁ ତାଙ୍କର ଏକ ପ୍ରତିକୃତି ପ୍ରଦାନ କରିଥିଲେ। ଏହି ଅବସରରେ ଶତବାର୍ଷିକୀ ଜାତୀୟ ଯୁବ ଶିବିର ସ୍ମରଣିକା ଉନ୍ମୋଚିତ ହୋଇଥିଲା। ବିଭିନ୍ନ ସମ୍ମାନ ପାଇଁ ଗଠିତ ‘ସମାଜ’ ବିଚାରକ କମିଟିର ଆବାହକ ସାଂସଦ ତଥା କିଟ୍‌ ଓ କିସର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ, ସଦସ୍ୟ ଶ୍ରୀ ଜଗଦାନନ୍ଦ, ଡଃ ପ୍ରତିଭା ରାୟ, ପ୍ରଫେସର ଡ. ବିମଳେନ୍ଦୁ ମହାନ୍ତି, ପ୍ରାକ୍ତନ ରାଷ୍ଟ୍ରଦୂତ ଅବସର ବେଉରିଆ, ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଶ୍ରେଷ୍ଠ ସାମ୍ବାଦିକ, ବିକ୍ରେତା, ବିଜ୍ଞାପନଦାତା ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା। ସାର୍କରାଷ୍ଟ୍ର ସମେତ ଭାରତର ବିଭିନ୍ନ ରାଜ୍ୟରୁ ଯୋଗଦେଇଥିବା ଶିବିରାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ‘ସମାଜ’ ରିଲିଫ୍‍ କମିଟି ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଗୋପବନ୍ଧୁ ଜ୍ୟୋତି ଯାତ୍ରାକୁ ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ମିଶ୍ର ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଏକମାସ ବ୍ୟାପୀ ଏହି ଜ୍ୟୋତି ରାଜ୍ୟର ୩୦ଟି ଜିଲା ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ଜ୍ୟୋତି ଯାତ୍ରା ଅବସରରେ ସମାଜସେବା ଓ ଦାୟିତ୍ୱବୋଧ ପାଇଁ ପ୍ରତି ଜିଲାରୁ ମନୋନୀତ ହୋଇଥିବା ୨ଜଣ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ଗୋପବନ୍ଧୁ କର୍ତ୍ତବ୍ୟବୋଧିନୀ ସମ୍ମାନ ଏବଂ ଆଦର୍ଶ କୃଷକଙ୍କୁ ସମ୍ମାନିତ କରାଯିବ।

Comments are closed.