ଗୋପବନ୍ଧୁଙ୍କ ଦୃଷ୍ଟିରେ ଜାତୀୟ ଚେତନା

ଓଡ଼ିଶା ଇତିହାସରେ ଅ​କ୍ଟୋବର ମାସ ୯ ତାରିଖ ହେଉଚି ଏକ ଅବିସ୍ମରଣୀୟ ଦିବସ। ସେହି ଦିନ ଉତ୍କଳର ଦୀନ ଦରିଦ୍ରର ବନ୍ଧୁ ଉତ୍କଳମଣି ଗୋପବନ୍ଧୁ ୧୮୭୭ ମସିହାରେ ଜନ୍ମଗ୍ରହଣ କରିଥିଲେ। ଗୋପବନ୍ଧୁ ଥିଲେ ଉତ୍କଳର ମହାନିଶାର ଧ୍ରୁବଜ୍ୟୋତି। ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ସ୍ବରୂପ। ପୁଣି ଓଡ଼ିଆ ଭାଷା, ସାହିତ୍ୟ ତଥା ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ। ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ସେ ଭରିଦେଇଥିଲେ ଦେଶପ୍ରେମ, ଜାତିପ୍ରେମ ଓ ଭାଷାପ୍ରେମ। ଓଡ଼ିଆ ଜାତିର ସର୍ବାଙ୍ଗୀଣ ଉନ୍ନତିପାଇଁ ସେ ନିଜର ସମ୍ପୂର୍ଣ୍ଣ ଜୀବନକୁ ସମର୍ପିତ କରିଥିଲେ। ଗୋପବନ୍ଧୁଙ୍କ ପରି ଯୋଗଜନ୍ମା ଦେଶସେବୀ ସନ୍ତାନକୁ ପାଇ ସେଦିନ ଉତ୍କଳଜନନୀ ଧନ୍ୟ ହୋଇପଡ଼ିଥିବ ନିଶ୍ଚିତ। ଉତ୍କଳର ଦରିଦ୍ର, ନି​‌େ​‌ଷ୍ପଷିତ, ଅନ୍ନକ୍ଳିଷ୍ଟ, ବନ୍ୟା ଓ ଦୁର୍ଭିକ୍ଷ ପ୍ରପୀଡ଼ିତ ଜନଗଣଙ୍କ ସେବାରେ ସେ ଜୀବନ ଉତ୍ସର୍ଗ କରିଦେଇଥିଲେ। ଉତ୍କଳମଣି ଗୋପବନ୍ଧୁଙ୍କ ପରି ଦେଶପ୍ରେମୀ ତଥା ଜାତୀୟବାଦୀ ନେତା ଏ ଧରାପୃଷ୍ଠରେ ଆଉଥରେ ଜନ୍ମ ଦେବେ କି ନାହିଁ ସନ୍ଦେହ।
ସମଗ୍ର ଭାରତ ବର୍ଷରେ ଇଂରେଜମାନଙ୍କ ବିରୋଧରେ ଜାତୀୟ ଜାଗରଣ ସୃଷ୍ଟିହେବା ବେଳକୁ ଗୋପବନ୍ଧୁ ଥିଲେ କଲେଜ ଛାତ୍ର। ଗୋପବନ୍ଧୁଙ୍କ ଦେଶସେବା ଓ ସାହିତ୍ୟସୃଷ୍ଟି ପୃଷ୍ଠଭୂମିରେ ଏକ ସୁଦୀର୍ଘ ପରମ୍ପରା ରହିଛି। ଇଂରେଜମାନଙ୍କ ବିରୋଧରେ ୧୮୧୭ ମସିହାରେ ସଂଗଠିତ ପାଇକ ବିଦ୍ରୋହ। ପୁରୀ ଠାକୁରରାଜାଙ୍କୁ ଇଂରେଜମାନେ ବନ୍ଦୀ କରିବା ଯୋଗୁଁ ଓଡ଼ିଶାରେ ଜନଅସ​‌େ​‌ନ୍ତାଷ ଲାଗିରହିଥିଲା। ଏଥି ସହିତ ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଓ ୧୮୬୯ ମସିହାର ଓଡ଼ିଆ ଭାଷାବିଲୋପ ଆନ୍ଦୋଳନ ପ୍ରଭୃତି ଘଟଣା ଓଡ଼ିଆବାସୀଙ୍କ ହୃଦୟରେ ଜାତୀୟତା ଭାବର ଉଦ୍ରେକ କରିବାପାଇଁ ବେଶ୍ ଖୋରାକ୍‌ ଯୋଗାଇଥିଲା। ପୁଣି ଇଂରେଜ ସରକାର ଶାସନର ଦ୍ବାହିଦେଇ ଓଡ଼ିଶାକୁ ବଙ୍ଗବିହାର ସହିତ ଯୋଡ଼ିଦେଇ ଓଡ଼ିଶାର ସ୍ବରକୁ ଚାପି ଦେବାପାଇଁ ଉଦ୍ୟମ କରୁଥିଲେ। ଓଡ଼ିଆ ସାହିତ୍ୟ ଏକ ସଂକଟଦେଇ ଗତି କରୁଥିଲା। ଓଡ଼ିଆ ଜାତିର ଏହି ସନ୍ଧିକ୍ଷଣରେ କବିବର ରାଧାନାଥ, ମଧୁସୂଦନ, ଫକୀରମୋହନ ଓ ଗଙ୍ଗାଧର ପ୍ରମୁଖ କବିଗଣ ନିଜର ସାରସ୍ବତ ସାଧନାଦ୍ବାରା ଓଡ଼ିଶାକୁ ବଞ୍ଚାଇବାର ପ୍ରୟାସ ଚଳାଇଥିଲେ। ପ୍ରତ୍ୟେକ କ୍ଷେତ୍ରରେ ସ୍ବତନ୍ତ୍ର ଭାବେ ଓଡ଼ିଶାକୁ ଆଗେଇନେବାରେ ଓଡ଼ିଶାର ବହୁ ବରପୁତ୍ର ସାମିଲ ହୋଇଥିଲେ। ସ୍ବତନ୍ତ୍ର ଭାଷା, ସ୍ବତନ୍ତ୍ର ସଂସ୍କୃତି, ସ୍ବତନ୍ତ୍ର ସାହିତ୍ୟ ତଥା ସ୍ବତନ୍ତ୍ର ରାଜ୍ୟର ପରିକଳ୍ପନାରୁ ହିଁ ଓଡ଼ିଶାରେ ଜାତୀୟ ଚେତନାର ବିକାଶ ସଂଗଠିତ ହୋଇଥିଲା। ଓଡ଼ିଶାର ଜାତୀୟତାର ଇତିହାସରେ ପ୍ରଥମେ ସ୍ମରଣକୁ ଆସନ୍ତି ଉତ୍କଳଗୌରବ ମଧୁସୂଦନ ଦାସ। ଓଡ଼ିଆ ଜାତୀୟତାର ପରିପ୍ରକାଶ ଘଟିଲା ‘ଉତ୍କଳ ସମ୍ମିଳନୀ’ ମାଧ୍ୟମରେ।
୧୯୦୫ରେ ବଙ୍ଗଭଙ୍ଗ ଆନ୍ଦୋଳନ ପରେ ବାଲଗଙ୍ଗାଧର ତିଳକଙ୍କ ଦ୍ବାରା ହୋମରୁଲ ଲିଗ ଗଠନ ସହିତ ମହାତ୍ମା ଗାନ୍ଧୀଙ୍କ ଯୋଗଦାନ ଭାରତୀୟ ଜାତୀୟ ଆନ୍ଦୋଳନକୁ ନୂତନ ରୂପ ପ୍ରଦାନ କରିଥିଲା। ଏହି ସମୟରେ ଗୋପବନ୍ଧୁ ଓଡ଼ିଆ ଜନଗଣଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ବାସ, ଇଂରେଜମାନଙ୍କ ପ୍ରତି ଥିବା ଭୟକୁ ଦୂରୀଭୂତ କରିବାପାଇଁ ଗଭୀର ଆତ୍ମବିଶ୍ବାସର ସହିତ କାର୍ଯ୍ୟକରିବାରେ ଲାଗି ପଡ଼ିଲେ। ମୁଖ୍ୟତଃ ନିଜର ବନ୍ଧୁ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଓ କୃପାସିନ୍ଧୁ ମିଶ୍ରଙ୍କୁ ସାଥିରେ ନେଇ ସବୁକ୍ଷେତ୍ରରେ ଉତ୍କଳକୁ ତଥା ଉତ୍କଳବାସୀଙ୍କୁ ସ୍ବତନ୍ତ୍ର ଭାବେ ଠିଆ କରାଇବାପାଇଁ ସଂକଳ୍ପ ନେଲେ। ଗାନ୍ଧିଜୀଙ୍କ ଆହ୍ବାନରେ ଗୋପବନ୍ଧୁ ରାଜନୀତିରେ ଯୋଗଦେଇ ଥିଲେ ଜାତୀୟତାବାଦର ପ୍ରଚାର କରିବାପାଇଁ। ଗୋପବନ୍ଧୁ ଦେଶସେବାର ମହାମନ୍ତ୍ରରେ ନିଜର ସାଥୀମାନଙ୍କୁ ମଧ୍ୟ ଅଭିମନ୍ତ୍ରିତ କରିଥିଲେ। ନୀଳକଣ୍ଠ, ଗୋଦାବରୀଶ, ହରିହର, କୃପାସିନ୍ଧୁ, ଲିଙ୍ଗରାଜ, ଅନନ୍ତ ମିଶ୍ର ଆଦି ସାଧକଗଣ ଗୋପବନ୍ଧୁଙ୍କ ସହିତ ଏକାତ୍ମ ହୋଇ ଦେଶସେବା ସହିତ ଜାତୀୟତାବାଦର ପ୍ରଚାରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ।
୧୯୦୯ ମସିହାରେ ସତ୍ୟବାଦୀର ଛୁରିଆନା କୁଞ୍ଜ ତଳେ ବନବିଦ୍ୟାଳୟ ସ୍ଥାପନ କରି ଗୋପବନ୍ଧୁ ଉତ୍କଳୀୟ ସଂସ୍କୃତିକୁ ଚେତନାଶୀଳ କରାଇବାର ପ୍ରଚେଷ୍ଟା କରିଥିଲେ। ଏହି ସାଧକମାନଙ୍କ ସାଧନା ଓ ସାହିତ୍ୟକୁ ସତ୍ୟବାଦୀ ସାହିତ୍ୟ କୁହାଯାଇଥାଏ। ଏହି ବନ୍ଧୁମାନେ ଓଡ଼ିଆ ଜାତିର ଧାର୍ମିକ ସଂସ୍କାର ସହିତ ସାମାଜିକ କୁସଂସ୍କାର ଦୂରୀଭୂତ କରିବାପାଇଁ କାର୍ଯ୍ୟକ୍ରମମାନ ଗ୍ରହଣ କରିଥିଲେ। ଅତୀତ ଐତିହ୍ୟ ଓ ପରମ୍ପରାରୁ ଏହି ସାଧକମାନେ ନୂତନ ଆତ୍ମପରିଚୟ ଆସ୍ବାଦନକରି ଓଡ଼ିଆ ଜାତିକୁ ଜାଗ୍ରତ କରିବାପାଇଁ ଜାତୀୟବାଦୀ ସାହିତ୍ୟ ସୃଷ୍ଟିକଲେ। ଓଡ଼ିଶାର ଧଉଳି, ଖଣ୍ଡଗିରି, କୋଣାର୍କ, ନୀଳାଚଳ ଧାମ ସହିତ ପର୍ବପର୍ବାଣି ଭିତରେ ଏହି ସାଧକଗଣ ଅତୀତର ଉନ୍ନତ ପରମ୍ପରା ଓ ଗୌରବର ଗାଥା ବଖାଣି ଜନଗଣଙ୍କ ଭିତରେ ଏକ ଉଗ୍ର ଜାତୀୟଚେତନା ସୃଷ୍ଟି କରିବାପାଇଁ ପ୍ରୟାସ କରିଥିଲେ। ଫଳରେ ଉତ୍କଳୀୟ ସମାଜ ନିର୍ମାଣର ଚେତନା, ସଂସ୍କୃତିବନ୍ତ ଜୀବନ-ଯାପନ ପ୍ରଣାଳୀ ଓ ମୈତ୍ରୀ ଭାବନା ବିଶ୍ବଚେତନା ସହିତ ମିଳିତ ହୋଇଥିଲା। ଜାତୀୟତାର ଏକ ନୂତନ ଧାରା ସତ୍ୟବାଦୀର ସାଧକଗୋଷ୍ଠୀ ସାହିତ୍ୟ ମାଧ୍ୟମରେ ପ୍ରକାଶକରି ଯେଉଁ ମହନୀୟ ତ୍ୟାଗ ଓ ଆଦର୍ଶର ବାର୍ତ୍ତା ପ୍ରଚାର କରି ଯାଇଛନ୍ତି, ତାହା ସେମାନଙ୍କୁ ଚିରଦିନଲାଗି ବଞ୍ଚାଇ ରଖିବ ନିଶ୍ଚୟ।
୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ଗଠନ କରାଯାଇ ସମଗ୍ର ଉତ୍କଳକୁ ଏକ ଶାସନାଧୀନ କରିବାର ପ୍ରଚେଷ୍ଟା ଆରମ୍ଭ ହେଲା। ଗୋପବନ୍ଧୁ ଉକ୍ତ ସମ୍ମିଳନୀ ସହିତ ସଂପୃକ୍ତ ହୋଇ ନିଜର ଜାତୀୟତାକୁ ଉତ୍କଳୀୟତା ଭିତରେ ସୀମିତ ରଖିବାକୁ ଚାହୁଁନଥିଲେ। ମହାଭାରତୀୟ ଜାତୀୟ ସ୍ରୋତରେ ଉତ୍କଳୀୟମାନେ ନିଜର ସ୍ବତନ୍ତ୍ର ସତ୍ତା ବଜାୟ ରଖିବା ଆବଶ୍ୟକ। ଗୋପବନ୍ଧୁ ଥରେ କହିଥିଲେ- ‘ଆମ୍ଭେମାନେ ପ୍ରଥମେ ମନୁଷ୍ୟ, ପରେ ଭାରତୀୟ ଓ ସର୍ବଶେଷରେ ଓଡ଼ିଆ।’ ଗୋପବନ୍ଧୁ ଭାବୁଥିଲେ ମମତା ଓ ଭାତୃଭାବ ହିଁ ହେଉଛି ଜାତୀୟତାର ମୂଳମନ୍ତ୍ର। ବ୍ୟକ୍ତିସ୍ବାର୍ଥ ଅପେକ୍ଷା ଗଣସ୍ବାର୍ଥରେ ହୁଏ ଜାତୀୟତାର ପୂର୍ଣ୍ଣ ବିକାଶ। ‘ବନ୍ଦୀର ଆତ୍ମକଥା’ରେ ସେ ଲେଖିଛନ୍ତି-
‘ଜାତୀୟ ମମତା ବିଶ୍ବଜନ ପ୍ରୀତି/ ଉତ୍କଳବାସୀର ହେଉ ଏହା ନୀତି
ନୀରବେ ନିଶ୍ଚଳେ ବସି ବନ୍ଦୀଘରେ/ ମାଗେ ଏହି ଭିକ୍ଷା ପ୍ରଭୁ ଶ୍ରୀପୟରେ।’
ଗୋପବନ୍ଧୁ ଥିଲେ ତ୍ୟାଗୀ, ଯୋଗୀ, କର୍ମୀ, ସାହିତ୍ୟିକ, ସଂସ୍କାରକ। ତାଙ୍କର ଜାତୀୟ ଚେତନାରେ ତିନିଟି ଧାରାର ସମନ୍ବୟ ଆମେ ଦେଖିବାକୁ ପାଇଥାଉ। ତାହାହେଲା- ସ୍ବଦେଶ ପ୍ରୀତି, ବିଶ୍ବପ୍ରୀତି ଓ ଈଶ୍ବର ଭକ୍ତି। ତାଙ୍କର ସାରସ୍ବତ ସୃଷ୍ଟିଗୁଡ଼ିକରେ ଜାତୀୟ ଚେତାର ଉନ୍ମନା ଭାବ ସହିତ ଐଶ୍ବରୀୟ ମାନବିକତାର ମନ୍ତ୍ରଧ୍ବନି ନିନାଦିତ ହୋଇଅଛି।
ଗୋପବନ୍ଧୁଙ୍କ ଜାତୀୟତାବୋଧ ଥିଲା ଅନ୍ତର୍ମୁଖୀ। ଏଥିରେ ସଂକୀର୍ଣ୍ଣତାର କୌଣସି ଚିହ୍ନ ବି ନଥିଲା। ତାଙ୍କ ଜାତୀୟ ଚେତନା ଥିଲା ଆକାଶ ପରି ଉଦାର ଓ ମହୋଦଧି ପରି ପରିବ୍ୟାପ୍ତ। ଗୋପବନ୍ଧୁ ଭଲ ଭାବରେ ଜାଣିଥିଲେ ନିଜସ୍ବ ପରମ୍ପରା ଓ ସଂସ୍କୃତିକୁ ଛାଡ଼ି ଜାତୀୟ ଜୀବନର ପରିକଳ୍ପନା କରାଯାଇ ନପାରେ। ଜାତୀୟ ଚରିତ୍ରର ଉନ୍ନତି ନହେଲେ, ଜାତୀୟ ଆତ୍ମାର ଉତ୍‌ଥାନ ନଘଟିଲେ କୌଣସି ଜାତିର ଜାତୀୟ ଜୀବନ ଗଠିତ ହୋଇପାରେ ନାହିଁ। ସେଥିପାଇଁ ଉତ୍କଳର ନଦ,ନଦୀ,ବନପାହାଡ଼ ତାଙ୍କ ପାଇଁ ଥିଲା ପ୍ରେରଣାର ଉତ୍ସ। ତତ୍କାଳୀନ ଉତ୍କଳୀୟଙ୍କ ଅବସ୍ଥାକୁ ଲକ୍ଷ୍ୟକରି ଲେଖିଥିଲେ-
‘ଅଛି ସେହି ଗିରି ଅଛି ସେ ବିପିନ/ ଅଛି ତୋର ଶିଳା ସୁଦୃଢ଼ ପୁଳିନ
କିନ୍ତୁ କାହିଁ ଆହା ଏବେ ସେ ବୀରତା/ ଓଡ଼ିଆ ଜାତିର ପୂର୍ବ ଜାତୀୟତା।’
ବ୍ୟକ୍ତିର ତ୍ୟାଗ, ତପସ୍ୟା, ସାଧନା ଓ ଅଭୀପ୍‌ସାରେ ସମଗ୍ର ଜାତିର ଜାତୀୟ ଜୀବନ ସମୃଦ୍ଧ ଓ ଉନ୍ନତ ହୋଇଥାଏ। ଗୋପବନ୍ଧୁଙ୍କର ବିଶ୍ବାସ ଥିଲା ତାଙ୍କର ଆତ୍ମଦାନରେ ଜାତୀୟ ଜୀବନ ପରିପୁଷ୍ଠ ହୋଇପାରିବ। ଏହି ଚିନ୍ତାଧାରା ତାଙ୍କ ରଚନାରେ ପ୍ରତିଫଳିତ ହୋଇଛି। ଯଥା-
‘ମିଶୁ ମୋର ଦେହ ଏ ଦେଶ ମାଟିରେ/ ଦେଶବାସୀ ଚାଲିଯାଆନ୍ତୁ ପିଠିରେ।’
ଦେଶ ଓ ଜାତି ପାଇଁ ଏପରି ଆତ୍ମବଳିଦାନର ପରମ୍ପରା କେବଳ ଗୋପବନ୍ଧୁ ସୃଷ୍ଟି କରିଯାଇଛନ୍ତି। ସମଗ୍ର ବିଶ୍ବ ସାହିତ୍ୟରେ ଏପରି ଚିନ୍ତାଧାରା ଦେଖିବାକୁ ମିଳେନାହିଁ। ନିଜେ ଦିବ୍ୟ ପ୍ରେରଣାରେ ଅନୁପ୍ରାଣିତ ହୋଇ ମଧ୍ୟ ତାଙ୍କ ରଚନାରେ ଧୀରତ୍ବ ସହିତ ବୀରତ୍ବର ସମିଶ୍ରଣ ମଧ୍ୟ ଦେଖିବାକୁ ମିଳିଥାଏ। ଜନତାର ହୃଦୟରେ ସ୍ବାଧୀନତାର ବିଭୂତି ବୋଳିଦେବା ପାଇଁ ସେ ଲେଖିଥିଲେ-
‘ସ୍ବାଧୀନତା ମାନବର ଜନ୍ମ ଅଧିକାର/ ସ୍ବାଧୀନ ଭାଷଣ ଆଉ ସ୍ବାଧୀନ ବିହାର।’
ଗୋପବନ୍ଧୁ ଥିଲେ ଜାତୀୟତାର ଜୀବନ୍ତ ପ୍ରତୀକ। ଦେଶ ଓ ଜାତିର ସେବାପାଇଁ କାୟ-ମନ-ବାକ୍ୟରେ ବକୁଳବନରେ କୁଟୀର ରଚି ସାଧନାରତ ଥିଲେ। ତାଙ୍କର ଜାତୀୟ ଚେତନା ଗଭୀର ଦେଶାନୁରାଗ ଉପରେ ପ୍ରତିଷ୍ଠ। ପର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାର ଆଦର୍ଶ ସେ ଏହି ଜାତି ଆଗରେ ରଖିଦେଇ ଯାଇଛନ୍ତି। ତାଙ୍କର ଜାତୀୟ ଚିନ୍ତା ଓ ଚେତନା ଉଦାର ସାର୍ବଜନୀନ ମାନବିକତାରେ ପରିପ୍ଳୁତ। ପ୍ରକୃତରେ ଗୋପବନ୍ଧୁ ଥିଲେ ଦରଦୀ ତଥା ମମତାସିକ୍ତ ହୃଦୟବାନ ମଣିଷ ପରି ମଣିଷଟିଏ। ସେଥିପାଇଁ ଯୁଗଯୁଗ ଧରି ଓଡ଼ିଆଜାତି ତାଙ୍କୁ ଝୁରି ହେଉଥିବ।

Comments are closed.