ଭଲ ଖବର: ଟାଙ୍ଗରା ଭୂଇଁ ଏବେ ଘଞ୍ଚ ଜଙ୍ଗଲ; ବନ ସଂରକ୍ଷଣ ସମିତିର ଜଙ୍ଗଲ ସୁରକ୍ଷା

କର୍ଲାମୁଣ୍ଡା: ନବେ ଦଶକ ବେଳକୁ ଅଲାତରା ସ୍ଥିତ ସୁନାମୁଖି ପର୍ବତମାଳାର ପାଦ ଦେଶରେ ଏକଦା ଥିବା ଘଞ୍ଚ ଜଙ୍ଗଲ ଟାଙ୍ଗରାଭୂଇଁରେ ପରିଣତ ହୋଇସାରିଥିଲା। ହାତଗଣତି କିଛି ଗଛ ହିଁ ଅତୀତର ମୂକସାକ୍ଷୀ ଠିଆ ହୋଇଥିଲା। ଯେଉଁଠି ଏକଦା ହ୍ରିଂସ୍ର ବାଘ, ଭାଲୁ, ହାତୀ ପରି ଜୀବଜନ୍ତୁଙ୍କ ଆଡ୍ଡାସ୍ଥଳୀ ଥିଲା, ତାହା ସେତେବେଳକୁ କେବଳ ବିଲୁଆ, ଠେକୁଆ ପରି ଜୀବଜନ୍ତୁଙ୍କ ଗହଳଚହଳରେ ସୀମିତ ରହିଥିଲା।
ସୁନାମୁଖିର ପୂର୍ବ ସ୍ଥିତି ଫେରାଇ ଆଣିବା ପାଇଁ ୧୯୯୮ ମସିହାରେ ଜଙ୍ଗଲ ବିଭାଗ ଆଗେଇ ଆସିଲା। ସୁନାମୁଖି ସଂରକ୍ଷିତ ଜଙ୍ଗଲ ଘୋଷଣା କରି ଅଲାତରାରେ ଜଙ୍ଗଲ ସୁରକ୍ଷା ପାଇଁ ଗଢା ହେଲା ବନସଂରକ୍ଷଣ ସମିତି। ଗ୍ରାମର ସୁବାସଚନ୍ଦ୍ର ସାହୁଙ୍କୁ ସଭାପତି କରାଯିବା ସହ ଫରେଷ୍ଟରଙ୍କୁ ସଂପାଦକ ଦାୟିତ୍ୱ ଦେଇ ଗ୍ରାମଲୋକଙ୍କୁ ନେଇ ଏହି ସମିତି ଆଗେଇ ଚାଲିଲା। ତେବେ ଜଙ୍ଗଲ ସୁରକ୍ଷା ପାଇଁ ଆଗେଇ ଆସିଲେ ଗ୍ରାମର ଜଣେ ସଚେତନ ନାଗରିକ ସହଦେବ ସାହୁ। ସହଦେବ ସାହୁ ଜଙ୍ଗଲରେ ଛେଳି ଚରାଇ ଜଙ୍ଗଲ ଜଗିଲେ। ତାଙ୍କ ସାହାଯ୍ୟ କଲେ ବେଦବ୍ୟାସ ପୋଢ ଓ ଲଲିତା ବଗର୍ତ୍ତୀ। ପରବର୍ତ୍ତୀ ସମୟରେ ସୁବଳ ସାହୁ ମଧ୍ୟ ଏମାନଙ୍କ ସହ ମିଶି ଜଙ୍ଗଲ ଜଗିଲେ। ଜଙ୍ଗଲ ସୁରକ୍ଷାର କର୍ଣ୍ଣଧାର ସହଦେବ ସାହୁ କହନ୍ତି ଯେ, ଅନେକ ସମୟରେ କାଠମାଫିଆ ମାନେ ଆସି ଗଣ୍ଡଗୋଳ କରନ୍ତି। ମିଥ୍ୟାକେଶରେ ଫସେଇବାକୁ ଧମକ ଦିଅନ୍ତି। କିନ୍ତୁ ସେଥିପ୍ରତି ଭୃକ୍ଷେପ ନ କରି ସେ ନିଜ କର୍ତ୍ତବ୍ୟ ସଂପାଦନ କରିଚାଲିଥିଲେ। ଯେତେବେଳେ ଏପରି କାଠଚୋରଙ୍କ ଉତ୍ପାତ ବଢେ ସେ ସଙ୍ଗେସଙ୍ଗେ ଗାଁ ଲୋକଙ୍କୁ ଖବର ଦିଅନ୍ତି ଓ ଗ୍ରାମବାସୀ ତତ୍କାଳ ପହଞ୍ଚିଯାଆନ୍ତି ଜଙ୍ଗଲରେ। ସେହିପରି ଯେତେବେଳେ ଜଙ୍ଗଲରେ ନିଆଁ ଲାଗେ ଗ୍ରାମବାସୀ ନିଆଁ ଲିଭାଇଥାନ୍ତି। ୨୦୧୪ ମସିହାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ଭିନ୍ନ ଭିନ୍ନ ସମୟରେ ଆସି ଜଙ୍ଗଲ ପରିଦର୍ଶନ କରି ଖୁସିବ୍ୟକ୍ତ କରିଥିଲେ। ଜଙ୍ଗଲ ଓ ପରିବେଶ ସୁରକ୍ଷା ସ୍ୱାସ୍ଥ୍ୟ ଶିକ୍ଷା ଓ ସାମଗ୍ରୀକ ବିକାଶକୁ ଦେଖି ୨୦୧୫ ମସିହାରେ ଅଲାତରା ପଞ୍ଚାୟତକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ପୁରସ୍କାର ପଞ୍ଚାୟତ ସଶକ୍ତିକରଣ ସମ୍ମାନରେ ସମ୍ମାନୀତ କରିଥିଲେ। ତତ୍କାଳୀନ ସରପଞ୍ଚ ଜଗବନ୍ଧୁ ଭୋଇ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ରାଜ୍ୟ ସରକାର ମଧ୍ୟ ପୁରସ୍କୃତ କରିଥିଲେ। ଯାହାକି ଏହି ଗାଁ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିଲା। ସେହି ଗ୍ରାମବାସୀଙ୍କ ସମ୍ମିଳିତ ଉଦ୍ୟମ କ୍ରମେ ୨୫୦ ହେକ୍ଟର ଅଞ୍ଚଳରେ ସୃଷ୍ଟି ହୋଇଥିବା ଜଙ୍ଗଲ ଏବେ ଘଞ୍ଚ ଜଙ୍ଗଲରେ ପୂରି ଉଠିଛି। ମୂଲ୍ୟବାନ ଶାଳ, ପିଆଶାଳ, ଶିଶୁ, ଧଅଁରା ପରି ଗଛ ସମେତ ବିଭିନ୍ନ ଔଷଧିୟ ବୃକ୍ଷରେ ସୁନାମୁଖୀ ଏବେ ସୁନାଖଣିରେ ପରିଣତ ହୋଇଛି ବୋଲି ଗ୍ରାମର ସହଦେବ ସାହୁ, ପୂର୍ବତନ ସରପଞ୍ଚ ଜଗବନ୍ଧୁ ଭୋଇ, ଚୈତନ୍ୟ ଚରଣ ଦାଶ, ବନସଂରକ୍ଷଣ ସମିତି ସଭାପତି ସୁବାସ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ସ୍ଥାନୀୟ କିଛି ପରିବାର ପାଇଁ ଏହି ଜଙ୍ଗଲ ଜୀବନ ଜୀବିକାର ମାଧ୍ୟମ ପାଲଟିଛି। ଏହି ଜଙ୍ଗଲରୁ ମହୁଲ, ଟୋଲ, ଚାହାଁର, କେନ୍ଦୁ, ହରିଡା, ବାହାଡା ଆଦି ଫୁଲ, ଫଳ ସଂଗ୍ରହ କରି ଅନେକ ବ୍ୟକ୍ତି ପରିବାର ପ୍ରତିପୋଷଣ କରିପାରୁଛନ୍ତି। ତେବେ ଜଙ୍ଗଲ ଓ ପରିବେଶ ପ୍ରତି ଗୁରୁତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥରେ ଏହି ଅଞ୍ଚଳକୁ ପରିଦର୍ଶନରେ ଆସନ୍ତୁ ବୋଲି ଗ୍ରାମବାସୀଙ୍କ ଗୋଟିଏ ବଡଇଚ୍ଛା ରହିଛି। ଏ ଇଚ୍ଛା କେତେଦୂର ସାକାର ହେବ ତାହାତ ସମୟ କହିବ। କିନ୍ତୁ ଯେଭଳି ଭାବେ ବିନା ସରକାରୀ ସାହାଯ୍ୟ ଓ ବିନା ପାରିଶ୍ରମିକରେ ଜଙ୍ଗଲ ବଢାଯାଇଛି ତାହା ସ୍ୱତନ୍ତ୍ର ଓ ଉଦାହରଣୀୟ।

Comments are closed.