କରୋନା ସଙ୍କଟ ମଧ୍ୟରେ ଭଲ ଖବର: ୪୦ ହଜାର ଫ୍ରେସର୍ସଙ୍କୁ ନିଯୁକ୍ତି ଦେବ ଟିସିଏସ୍

କରୋନା ସଙ୍କଟ ମଧ୍ୟରେ ଅନେକ କମ୍ପାନୀ କର୍ମଚାରୀଙ୍କ ଦରମା ହ୍ରାସ କରୁଥିବାବେଳେ  ଟାଟା କନ୍ସଲଟାନ୍ସ ସର୍ଭିସେସ୍ (ଟିସିଏସ୍) ଦେଇଛି ଆଶ୍ଵସ୍ତିର ଖବର । କମ୍ପାନୀ ଦେଶର ବିଭିନ୍ନ କ୍ୟାମ୍ପସରୁ ଚଳିତ ବର୍ଷ ୪୦ ହଜାର ଫ୍ରେସର୍ସଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି ।

ଗତ ବର୍ଷ ମଧ୍ୟ କମ୍ପାନୀ ପ୍ରାୟ ସମାନ ସଂଖ୍ୟକ ଫ୍ରେସର୍ସଙ୍କୁ ନିଯୁକ୍ତି ଦେଇଥିଲା ।  କରୋନା ସଙ୍କଟ ମଧ୍ୟରେ କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସତ୍ବେ ନୂତନ ନିୟୁକ୍ତି  ଅବ୍ୟାହତ ରହିବ ବୋଲ କମ୍ପାନୀ ପକ୍ଷରୁ କୁହାଯାଇଛି । କେବଳ ଏତିକି ନୁହେଁ, ଚଳିତ ବର୍ଷ ଆମେରିକାରେ କ୍ୟାମ୍ପସ ପ୍ଲେସମେଣ୍ଟ ଦୁଇଗୁଣ କରିବାକୁ ଟିସିଏସ୍ ନିଷ୍ପତ୍ତି ନେଇଛି। ଟିସିଏସ୍ ସିଇଓ ରାଜେଶ ଗୋପୀନାଥନ୍  କହିଛନ୍ତି, ସକରାତ୍ମକ ଚାହିଦା ପରିବେଶକୁ ଦୃଷ୍ଟିରେ ରଖି କମ୍ପାନୀ ଧୀରେ ଧୀରେ ନିଯୁକ୍ତି ଆରମ୍ଭ କରୁଛି। ଏପ୍ରିଲ-ଜୁନ୍ ତ୍ରୟମାସିକରେ ଟିସିଏସ ଲାଭ ୧୩ ପ୍ରତିଶତ ହ୍ରାସ ପାଇ  ୭୦୪୯ କୋଟିରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଫାଷ୍ଟ ନୌକରୀ (ଡ଼ଟ୍) କମ୍ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟ ଅନୁସାରେ କରୋନା ଯୋଗୁଁ ଦେଶରେ କ୍ୟାମ୍ପସ ନିଯୁକ୍ତି ୮୨% ହ୍ରାସ ପାଇଛି ଓ ଇଣ୍ଟର୍ଣ୍ଣସିପ୍ ୭୪% କମିଛି  । ୪୪% ନିଯୁକ୍ତି ପ୍ରସ୍ତାବକୁ କମ୍ପାନୀଗୁଡ଼ିକ ସ୍ଥଗିତ ରଖିଛନ୍ତି ଓ ୯% ନିଯୁକ୍ତି ପ୍ରସ୍ତାବ ପ୍ରତ୍ୟାହାର କରାଯାଇଛି । ଏହି ସ୍ଥିତିରେ ଟିସିଏସର ୪୦ ହଜାର ନୂଆ ନିଯୁକ୍ତି ଘୋଷଣା ଆଶ୍ଵସ୍ତି ପରିବେଶ ସୃଷ୍ଟି କରିଛି ।

Comments are closed.