ଶୁଭ ଶୁକ୍ରବାର : ପିତୃ ସତ୍ୟ

ପିତୃସତ୍ୟ ପାଳନର ତିନିଟି ବିଶ୍ବବିଦିତ କାହାଣୀ

ଆଦେଶ ହେଉ ବା ପ୍ରତିଜ୍ଞା ହେଉ, ତାହା ପାଳନ ପୂର୍ବକ ନିଜ ପିତାଙ୍କୁ ସମ୍ମାନିତ କରିବାର ତିନିଗୋଟି ବିରଳ ଦୃଷ୍ଟାନ୍ତ ଯାହା ସାରା ପୃଥିବୀକୁ ଆଲୋଡ଼ିତ କରିବା ସହିତ ପ୍ରଭାବିତ କରିପାରିଛି; ତନ୍ମଧ୍ୟରୁ ଗୋଟିଏ ହେଲା ‘କାସାବିଏଙ୍କା’ ନାମକ ଏକ ୧୨ ବର୍ଷ ବାଳକର କାହାଣୀ; ଦ୍ବିତୀୟଟି ହେଲା ଶ୍ରୀରାମଚନ୍ଦ୍ରଙ୍କର ୧୪ ବର୍ଷ ବନବାସକୁ ନେଇ ଯାହା ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ଆମ ଭାରତର ଏକ ପୌରାଣିକ ଆଖ୍ୟାନ ଓ ତୃତୀୟଟି ତ୍ରାଣକର୍ତ୍ତା ଯିଶୁ ଖ୍ରୀଷ୍ଟଙ୍କର କ୍ରୁଶବିଦ୍ଧ ହୋଇ ମୃତ୍ୟୁବରଣ ଘଟନା।
କାସାବିଏଙ୍କା ଚରିତ୍ରର ଉପସ୍ଥାପନା ଇଂରାଜୀ କବୟିତ୍ରୀ ଫେଲିସିଆ ଡୋରେଥା ହେମାନ୍‌ସଙ୍କ ହୃଦୟସ୍ପର୍ଶୀ କବିତା (୧୯୨୬)ରୁ ଉଦ୍ଧୃତ। ଏକ ସତ୍ୟ ଘଟଣାକୁ ନେଇ ଏହା ଲିଖିତ। ୧୭୯୮ ଅଗଷ୍ଟ ମାସରେ ଫରାସୀ ଓ ବ୍ରିଟିଶ ସୈନ୍ୟଙ୍କ ମଧ୍ୟରେ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଡ଼ମିରାଲ ହୋରାସିଓ ନେଲସନ୍‌ଙ୍କ ନେତୃତ୍ବରେ ବ୍ରିଟିଶ୍‌ ବାହିନୀ ଫ୍ରାନ୍ସ ଉପରେ ବିଜୟ ଲାଭ କରିଥିଲା ଓ ଏ ଯୁଦ୍ଧଟି ‘ନୀଳ ନଦୀ ଯୁଦ୍ଧ’ (ଆବୁକିର ସମୁଦ୍ର ଯୁଦ୍ଧ) ନାମରେ ପ୍ରସିଦ୍ଧ। ଏହି ଯୁଦ୍ଧ ସମୟରେ ଏକ ଦୁଃଖଦ ଘଟଣା ଘଟିଥିଲା। ଏକ ଯୁଦ୍ଧ ଜାହାଜରେ (ଯାହାର କମାଣ୍ଡର ଥିଲେ ଲୁସ୍‌ ଜୁଲିଏନ୍‌ ଜୋସେଫ୍‌) ଘଟଣାକ୍ରମେ ଜୋସେଫଙ୍କ ୧୨ ବର୍ଷର ପୁଅ ଥିବା ଅବସ୍ଥାରେ ଅଚାନକ ଯୁଦ୍ଧ ଲାଗିଯାଇଥିଲା ଓ ପିତା ଜୋସେଫ୍‌ ତାକୁ ‘ଆଜ୍ଞା’ କରିଥିଲେ ଯେ, ସେ ନ କହିବା ପର୍ଯ୍ୟନ୍ତ କୁଆଡ଼େ ଘୁଞ୍ଚିବ ନାହିଁ। ଏହି ସମୟରେ ଜାହାଜଟିରେ ନିଆଁ ଲାଗିଯାଇଥିଲା। ଗୁଳିଗୋଳା ଶବ୍ଦରେ ଗଗନପବନ ମୁଖରିତ। ପିଲାଟି ବ୍ୟସ୍ତ; କିନ୍ତୁ ପିତାଙ୍କ ଆଜ୍ଞା ଯେ ସେ କୁଆଡ଼େ ଯିବ ନାହିଁ, କାଳେ କିଛି ଅଘଟନ ଘଟିଯାଇପାରେ। ତା’ର ନିରୀହ ସରଳ ମନରେ ପିତୃତ୍ବର ସ୍ଥାନ ଖୁବ୍‌ ଉଚ୍ଚରେ। ପିତାଙ୍କର ଗୌରବ ରକ୍ଷା କରିବାର ପ୍ରୟୋଜନୀୟତା ସମ୍ବନ୍ଧରେ ସମ୍ୟକ୍‌ ଜ୍ଞାନ ତା’ର ଥିଲା କି ନାହିଁ ଆମେ ସମୀକ୍ଷା କରିବା ପୂର୍ବରୁ ସେ ଯେ ତା’ର ପିତାଙ୍କୁ ମାନ୍ୟ ଓ ଭକ୍ତି କରୁଥିଲା ଏଥିରେ ସନ୍ଦେହ ନାହିଁ। ସେ ସମୟରେ ଜାହାଜର ଅବସ୍ଥା ଓ ପାରିପାର୍ଶ୍ବିକ ସ୍ଥିତି ଯେ କେତେ ଭୟାବହ ହୋଇଥିବ ଏହା ଚିନ୍ତା କରିବାର କଥା। ଏ ଭୟଙ୍କର ଘଡ଼ିସନ୍ଧି ମୁହୂର୍ତ୍ତରେ ପିଲାଟି ଯେ ତା’ର ପିତାଙ୍କର ପରବର୍ତ୍ତୀ ନିର୍ଦେଶକୁ ଅପେକ୍ଷା କରୁଥିବ, ଏହା ମଧ୍ୟ ଅନୁମେୟ ; କିନ୍ତୁ ବିଧିର ବିଧାନ ଭିନ୍ନ। କାସାବିଏଙ୍କାର ପିତା ଯେ ମୂର୍ଚ୍ଛାଗତ, ନିର୍ବାକ୍‌। ସେପଟେ ପିଲାଟି ଅବିଚଳିତ; ତା’ର କୁନିମନରେ ବସା ବାନ୍ଧିଛି ପିତାଙ୍କ ଆଜ୍ଞା ପାଳନର ନିଷ୍ଠା। ଜାହାଜର ନିଆଁ ପିଲାଟିର କୁନିକୁନି ପାଦରେ ଲାଗିଯାଇଥିଲା। ମୁହୂର୍ତ୍ତକ ମଧ୍ୟରେ ଜାହାଜଟି ମଧ୍ୟ ସମ୍ପୂର୍ଣ୍ଣଭାବେ ଧ୍ବଂସପ୍ରାପ୍ତ ହୋଇଗଲା; କିନ୍ତୁ କାସାବିଏଙ୍କାର କାର୍ଯ୍ୟ ଚିରସ୍ମରଣୀୟ ହୋଇ ରହିଗଲା। ଲେଖିକା ତାଙ୍କ କବିତାରେ ଲେଖନ୍ତି ବୃଦ୍ଧବୃଦ୍ଧାମାନେ, ପିତାମାତାମାନେ ତାଙ୍କ ପିଲାଙ୍କୁ ରାସ୍ତାରେ ନେଲାବେଳେ ହେଉ ବା ଗୃହ ମଧ୍ୟରେ ହେଉ କାସାବିଏଙ୍କାର ଅମର ଦୃଷ୍ଟାନ୍ତ ଦେଇ ପିଲାମାନଙ୍କୁ ଆଜ୍ଞାବହତା ଶିକ୍ଷା ଦିଅନ୍ତି।
ଶ୍ରୀରାମଚନ୍ଦ୍ର ରଘୁକୁଳ ସୁତ। ସେ ଥିଲେ ସୌମ୍ୟ, ସୁଦର୍ଶନ, ବୀର ପୁଣି ବିଚାରବନ୍ତ। ସୀତାଙ୍କୁ ବିବାହ କରିସାରିଥିଲେ ସେ। ସମଗ୍ର ଅଯୋଧ୍ୟା ଅନାଇ ବସିଛି ରାମଚନ୍ଦ୍ରଙ୍କର ରାଜାଭିଷେକକୁ, କାରଣ ରାଜା ଦଶରଥ ବୃଦ୍ଧ। ସେ ଚାହୁଁଥିଲେ ଏକ ଯୋଗ୍ୟ ଶାସକ ହାତରେ ରାଜ୍ୟଭାର ଅର୍ପଣ। ରାମ ଥିଲେ, ଭାଇ ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କର ପୂଜ୍ୟ ଅଗ୍ରଜ। ସାରା ପରିବାର ଓ ରାଜ୍ୟ ଚାହିଁ ବସିଥିଲା ତାଙ୍କ ରାଜପଦ ପ୍ରାପ୍ତିକୁ; କିନ୍ତୁ ବିଧିର ବିଧାନ ଭିନ୍ନ। ଦୁଇଜଣଙ୍କର ସେ ହେଲେ ଚକ୍ଷୁର କଣ୍ଟା। ଦାସୀ ମନ୍ଥରା ରାଣୀ କୈକେୟୀଙ୍କୁ ଦେଇଥିବା କୁମନ୍ତ୍ରଣା ଏକ କଳଙ୍କିତ ଅଧ୍ୟାୟ। ଏକଦା ଅ​‌େ​‌ଯାଧ୍ୟା ନରେଶ ଦଶରଥ ରାଣୀ କୈକେୟୀଙ୍କ ସେବାରେ ପ୍ରୀତ ହୋଇ ଏକ ବର ଯାଚନା କରିଥିଲେ ଯାହା ରାଣୀ ସମୟ ଦେଖି ମାଗିବେ ବୋଲି ନିଜ ନିକଟରେ ଗଚ୍ଛିତ ରଖିଥିଲେ। ମନ ମଧ୍ୟରେ ଥିବା ଈର୍ଷା, ସ୍ବାର୍ଥପରତା ରୂପ ନେଲା; ଠିକ୍‌ ଓର ଉଣ୍ଡି ମାଗି ବସିଲେ ବରଟିକୁ, ଯଥା- ‘ଭରତ ରାଜା ହେବେ ଓ ରାମଚନ୍ଦ୍ର ଚଉଦ ବର୍ଷ ବନବାସ କାଟିବେ।’ ଏହାର ଅର୍ଥ ତାଙ୍କ ନିଜ ପୁତ୍ର ଭରତ ସବୁଦିନ ପାଇଁ ରାଜପଦ ଭୋଗ କରିବେ। ରାଜା ଦଶରଥ ପ୍ରତିଜ୍ଞା ରକ୍ଷା କରିବାକୁ ଅଙ୍ଗୀକାରବଦ୍ଧ। ପୁରାଣରେ ଅଛି, ‘ରଘୁକୁଲ ରୀତ୍‌ ସଦା ଚଲି ଯାୟୀ, ପ୍ରାଣ ଯାୟୀ ପର୍‌ ବଚନ ନ ଯାୟୀ’। ରାଜା କିଂ କର୍ତ୍ତବ୍ୟ ବିମୂଢ଼। ଇଚ୍ଛା ନଥି​‌େ​‌ଲ ମଧ୍ୟ ତଥାସ୍ତୁ କରିବାକୁ ବାଧ୍ୟ। ରାମଚନ୍ଦ୍ର ତ ସତ୍ୟନିଷ୍ଠ ପୁୁରୁଷ। ତାଙ୍କୁ ଯେ ପିତୃସତ୍ୟ ରକ୍ଷା କରିବାକୁ ପଡ଼ିବ। ରାଜପଦକୁ ପାଦରେ ଠେଲିଦେଲେ। ପିତୃସତ୍ୟ ପାଳନକୁ ପ୍ରାଧାନ୍ୟ ଦେଲେ। ବନବାସକୁ ବରଣ କରିନେଲେ। ରାଜା ହୋଇଗଲେ ବନବାସୀ; ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ନେଇ ବାହାରିଗଲେ ଜଗତର ସମସ୍ତ ସୁଖସ୍ବାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ବନ ମଧ୍ୟକୁ; ପିତା ଯେଉଁ ବାକ୍ୟଦାନ କରିଛନ୍ତି, ସନ୍ତାନର କର୍ତ୍ତବ୍ୟ ତାହା ରକ୍ଷା କରିବା। ଆମେ ସମସ୍ତେ ଜାଣୁ ବନବାସ ମଧ୍ୟରେ ଶ୍ରୀରାମଚନ୍ଦ୍ର କି ପ୍ରକାର କଷ୍ଟ ସହ୍ୟ କରିଥିଲେ। ପିତୃସତ୍ୟ, ମାତାଙ୍କ ଇଚ୍ଛାକୁ ରକ୍ଷା କରି ଶ୍ରୀରାମଚନ୍ଦ୍ର ସଭିଙ୍କର ନମସ୍ୟ ଓ ଆଦର୍ଶ। ଆଜିକାଲି ସନ୍ତାନମାନେ ପିତାମାତାଙ୍କ ସମ୍ମାନ ରକ୍ଷା କରିବା ପରିବ​‌େ​‌ର୍ତ୍ତ ନିଜର ସ୍ବାର୍ଥ ନିମନ୍ତେ ଅତିଶୟ ଲୋଭାସକ୍ତ।
ପିତାଙ୍କ ଆଜ୍ଞାପାଳନ କରି, ଯିଶୁଖ୍ରୀଷ୍ଟଙ୍କର କ୍ରୁଶରେ ମୃତ୍ୟୁବରଣ କରିବା ବିଷୟରେ ବାଇବଲରେ ବର୍ଣ୍ଣନା କରି ଲେଖାଯାଇଛି ଯେ, ପିତା ଈଶ୍ବର ମନୁଷ୍ୟ ସନ୍ତାନମାନଙ୍କର ଉଦ୍ଧାର ନିମନ୍ତେ ନିଜର ଏକମାତ୍ର ପୁତ୍ର ଯିଶୁଙ୍କୁ ବଳି ହେବା ନିମନ୍ତେ ଜଗତକୁ ପ୍ରେରଣ କରିଥିଲେ। ଏଦନ ଉଦ୍ୟାନରେ ଈଶ୍ବରଙ୍କ ଆଜ୍ଞା ଲଙ୍ଘନ କରି ମନୁଷ୍ୟ ପାପୀ ହେବା ସହିତ ପାପର ବେତନ ମୃତ୍ୟୁକୁ ମଧ୍ୟ ବରଣ କରିନେଇଥିଲା; କିନ୍ତୁ ଈଶ୍ବର ନିଜେ ଅମର, ଆଉ ସେ ଚାହାନ୍ତି ତାଙ୍କ ସନ୍ତାନମାନେ ମଧ୍ୟ ଅମର ହୁଅନ୍ତୁ। କେଉଁ ପିତା ବା ସନ୍ତାନର ମୃତ୍ୟୁ ଚାହିଁିବ; କିନ୍ତୁୁ ପାପ ହେତୁ ମୃତ୍ୟୁ ଯେ ଅବଶ୍ୟମ୍ଭାବୀ। ପାପୀର ମରଣରେ ବା ପାପହେତୁ ସନ୍ତାନମାନେ ମରନ୍ତୁୁ ଏହା ଈଶ୍ବରଙ୍କର ଇଚ୍ଛା ନୁହେଁ। (ଯିହିଜିକଲ ୧୮:୨୩) ସେ ଯେ ପ୍ରେମୀ ପିତା। ସନ୍ତାନ ବତ୍ସଳ। ପାପ କ୍ଷମା କଥା ଚିନ୍ତା କଲେ ସେ! ରକ୍ତପାତ ବିନା ପାପମୋଚନ ଯେ ଅସମ୍ଭବ! କିଏ ଏ କାର୍ଯ୍ୟ କରିବ? ମାନବ ସମାଜର ପରିତ୍ରାଣ ବା ଉଦ୍ଧାର ନିମନ୍ତେ ଈଶ୍ବର ନିଜର ପ୍ରେମମୟତାର ସପ୍ରମାଣ ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କଲେ ଯାହା ଏହିପରି ଥିଲା, ସେ ଜଗତକୁ ଉଦ୍ଧାର ନିମନ୍ତେ ଏକମାତ୍ର ପୁତ୍ର ଯିଶୁଙ୍କୁ ପ୍ରେରଣ କରିବେ ଓ ସେ କ୍ରୁଶରେ ହତହେବେ ଓ ମନୁଷ୍ୟମାନଙ୍କର ପରିତ୍ରାଣ ନିମନ୍ତେ ନିଜ ପବିତ୍ର ଶରୀରକୁ କ୍ରୁଶରେ ଥାଇ ଉତ୍ସର୍ଗ କରିବେ। ପାପର ସମସ୍ତ ବେତନ ନିଜ ଶରୀରରେ ପ୍ରାପ୍ତ ହେବେ ଏବଂ ମୃତ୍ୟୁବରଣ କରିବେ। ବାଇବଲ, ଯୋହନ ପୁସ୍ତକ ୩ପର୍ବ ୧୬ପଦରେ ଏପରି ଲେଖାଯାଇଛି, କାରଣ, ଈଶ୍ବର ଜଗତକୁ (ମନୁଷ୍ୟ ସନ୍ତାନମାନଙ୍କୁ) ଏପରି ପ୍ରେମ କଲେ ଯେ ସେ ଆପଣା ଅଦ୍ବିତୀୟ ପୁତ୍ରଙ୍କୁ ଦେଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ବାସ କରେ ସେ ବିନଷ୍ଟ ନହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ପବିତ୍ର ନାରୀ ମରିୟମଙ୍କ ଗର୍ଭରେ ଯିଶୁ ଜନ୍ମନେଲେ। ନରରୂପୀ ନରଅୟନ ଜନ୍ମ ହେଲେ। ପାପର ସମସ୍ତ ଯାତନା ନିଜ ଉପରେ ବରଣ କରିବାପାଇଁ। ପ୍ରଚଣ୍ଡ ଚାବୁକ୍‌ ପ୍ରହାର, ବେତ୍ରାଘାତ, ନିନ୍ଦା, ଅପମାନ, ହାତ, ପାଦ, ମସ୍ତକ କଣ୍ଟାରେ ବିଦ୍ଧ, ସମ୍ପୂର୍ଣ୍ଣ ଶରୀର ଖଣ୍ଡବିଖଣ୍ଡିତ ରକ୍ତ ଜୁଡ଼ୁବୁଡ଼ୁ। ଭୟଙ୍କର କଷ୍ଟ ଜର୍ଜରିତ ଶରୀର, ତୃଷ୍ଣାରେ କଣ୍ଠ ଶୁଷ୍କ। ଏହି ସମୟରେ କ୍ରୁଶ ଉପରେ ଯିଶୁଙ୍କର ବାକ୍ୟ, ‘ପିତା ମୋର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ। (ଯୋହନ ୧୭:୧) ଆଉ ଯିଶୁ କ୍ରୁଶରୁ ଓହ୍ଲାଇଯିବା ବାଞ୍ଛା ନକରି ପିତାଙ୍କ ଉଦ୍ଦେଶ୍ୟ ସଫଳ କରିବାକୁ ଯାଇ ମୃତ୍ୟୁବରଣ କଲେ। ବାଇବଲ କହେ, ଏହି କାରଣରୁ ପିତା ଈଶ୍ବର, ପୁତ୍ର ଯିଶୁଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ପ୍ରଦାନ କରିଅଛନ୍ତି। ପୁଣି ପିତା ଈଶ୍ବରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ବା ଯିଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ବୀକାର କରିବ (ଫିଲିପିୟ ୨:୯,୧୧)।
ଯିଶୁ ତ କ୍ରୁଶରେ ପ୍ରୟାଣ ଗ୍ରହଣ କଲେ ଆଉ ତାଙ୍କର ଉକ୍ତି ଏହି ପ୍ରକାର ଥିଲା, ‘ଯିଶୁ ଏହି ସମସ୍ତ କଥା କହି ସ୍ବର୍ଗ ଆଡ଼େ ଊର୍ଦ୍ଧ୍ବ ଦୃଷ୍ଟିକରି କହିଲେ, ପିତଃ, ସମୟ ଉପସ୍ଥିତ ହେଲାଣି, ତୁମ୍ଭର ପୁତ୍ରକୁ ମହିମାନ୍ବିତ କର, ଯେପରି ତୁମ୍ଭର ପୁତ୍ର ତୁମ୍ଭଙ୍କୁ ମହିମାନ୍ବିତ କରନ୍ତି (ଯୋହନ ୧୭:୧)। ଯିଶୁ ମୃତ୍ୟୁଞ୍ଜୟୀ ହୋଇ କବରରୁ ପୁନରୁତ୍ଥିତ ହୋଇଥିଲେ। ଏହା ଥିଲା ପିତାଙ୍କର ପୁତ୍ରଙ୍କୁ ମହିମା ପ୍ରଦାନ।
ଉପରୋକ୍ତ ତିନିଟି ଚରିତ୍ର ପିତୃ ସତ୍ୟ ବା ପିତ୍ରାଜ୍ଞାପାଳନ ନିମନ୍ତେ କେତେ ମାତ୍ରାରେ ପ୍ରେରଣାଦାୟୀ, ଆସନ୍ତୁ ଚିନ୍ତା କରିବା।

ମିିହିର କୁମାର ସିଂ

ଅବସରପ୍ରାପ୍ତ ବିଡ଼ିଓ, ଆଠଗଡ଼ ବ୍ଲକ, କଟକ
ମୋ:୯୫୮୩୩୮୪୫୫୧

Comments are closed.