ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀର ସମୀକ୍ଷା ବୈଠକ ; ଉହାନ ଫେରନ୍ତା ଭାରତୀୟ କରୋନା ନେଗେଟିଭ୍

ଉହାନରୁ ଆସିଥିବା ଥିବା ୬୪୫ ଜଣଙ୍କ ଦେହରେ କରୋନା ଭୂତାଣୁ ନଥିବା ପରୀକ୍ଷାରୁ ଜଣାପଡ଼ିଛି

ନୁଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ଓ ପରିସ୍ଥିତିର ମୁକାବିଲା ସଂକ୍ରାନ୍ତ କାର୍ଯ୍ୟ ଓ ସ୍ଥିତାବସ୍ଥା ସଂପର୍କରେ ଗୁରୁବାର ମନ୍ତ୍ରୀମାନଙ୍କର ଏକ ଉଚ୍ଚସ୍ତରୀୟ ଗୋଷ୍ଠୀ ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ, ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଓ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଯୋଗ ଦେଇଥିଲେ। କୋବିଡ-୧୯ର ସ୍ଥିତାବସ୍ଥା ସଂକ୍ରାନ୍ତରେ ଏକ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଉହାନ ଫେରନ୍ତା ଭାରତୀୟ ବର୍ତ୍ତମାନ ସୁଦ୍ଧା କରୋନା ନେଗେଟିଭ୍ ଜଣାପଡିବା ନେଇ ମନ୍ତ୍ରୀ ଗୋଷ୍ଠୀ ସନ୍ତୋଷ ପ୍ରକଟ କରିଛନ୍ତି।

କେରଳରେ ଆକ୍ରାନ୍ତ ହୋଇଥିବା ତିନି ଜଣ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ମଧ୍ୟ ମନ୍ତ୍ରୀମାନଙ୍କୁ ଅବଗତ କରାଯାଇଥିଲା। କୋବିଡ-୧୯ ରୋଗର
ମୁକାବିଲା ଦିଗରେ ନିଆଯାଇଥିବା ଆଗୁଆ ସତର୍କତାମୂଳକ ପଦକ୍ଷେଗୁଡ଼ିକ ବିଷୟରେ ମଧ୍ୟ ବୈଠକରେ ଉପସ୍ଥାପନ କରାଯାଇଥିଲା। ଉହାନରୁ
ଅଣାଯାଇଥିବା ୬୪୫ ଜଣ ବ୍ୟକ୍ତିଙ୍କୁ ପୃଥକ ରଖାଯାଇ ସେମାନଙ୍କର ପରୀକ୍ଷା କରାଯାଉଥିବା ବିଷୟରେ ମନ୍ତ୍ରୀମାନଙ୍କର ଗୋଷ୍ଠୀକୁ ସୂଚନା ଦିଆଯାଇଥିଲା।
ସେହି ଲୋକମାନଙ୍କୁ ଦୁଇଟି କେନ୍ଦ୍ରରେ ରଖାଯାଇଛି। ସଶସ୍ତ୍ରବାହିନୀ ଓ ଆଇଟିବିପି ସେହି କେନ୍ଦ୍ରଗୁଡ଼ିକର ପରିଚାଳନା କରୁଛନ୍ତି ଓ ସମସ୍ତ
ବ୍ୟକ୍ତିଙ୍କର ଦୈନନ୍ଦିନ ଭିତ୍ତିରେ ପରୀକ୍ଷା କରାଯାଉଛି। ସେଠାରୁ ଅଣାଯାଇଥିବା ଲୋକମାନଙ୍କ ଦେହରେ କରୋନା ଭୂତାଣୁ ନଥିବା ପରୀକ୍ଷାରୁ ଜଣାପଡ଼ିଥିବା ବିଷୟରେ ମନ୍ତ୍ରୀମାନଙ୍କ ଗୋଷ୍ଠୀକୁ ଅବଗତ କରାଯାଇଥିଲା।

Comments are closed.