‘ମଧୁବାବୁଙ୍କ ଆଦର୍ଶରେ ଆଇନଜୀବୀ ଅନୁପ୍ରାଣିତ ହୁଅନ୍ତୁ’

ମଧୁବାବୁଙ୍କ ଜନ୍ମପୀଠରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସୁବର୍ଣ୍ଣ ଜୟନ୍ତୀ

ସାଲେପୁର : ଉତ୍କଳ ଗୌରବ ମଧୁସୂଦନ ଦାସ ଆମ ରାଜ୍ୟର ଗୌରବ। ତାଙ୍କର ସାଧନା ଓ ନିଷ୍ଠା ତଥା ତ୍ୟାଗ ବଳରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହୋଇଛି। ତାଙ୍କରି ଆଦର୍ଶରେ ଆଇନଜୀବୀମାନେ ଅନୁପ୍ରାଣିତ ହେବାକୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସୁବର୍ଣ୍ଣ ଜୟନ୍ତୀରେ ଅତିଥିମାନେ କହିଛନ୍ତି।
ସଂଘର ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦୁଇଦିନିଆ କାର୍ଯ୍ୟକ୍ରମକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ବିଶ୍ୱନାଥ ରଥ ଉଦ୍‌ଘାଟନ କରି ରାଜ୍ୟରେ ଗରିବ ଲୋକଙ୍କ ପାଖରେ ଆଇନସେବା ପହଞ୍ଚାଇବାକୁ ଆଇନଜୀବୀମାନେ ଉଦ୍ୟମ ଆରମ୍ଭ କରନ୍ତୁ। ସତ୍ୟଭାମାପୁର ପୀଠ ଉତ୍କଳର ଗୌରବ ବହନ କରୁଥିବାରୁ ଏହି ମାଟିରେ ଆଇନଜୀବୀମାନଙ୍କ ୫୦ତମ ବାର୍ଷିକ ଅଧିବେଶନ ଓ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଥିବାରୁ ତାହା ଆମ ପାଇଁ ଗୌରବର ବିଷୟ ବୋଲି କହିଥିଲେ।
ମୁଖ୍ୟବକ୍ତା ରୂପେ ଆଇନଜୀବୀ ତଥା ଓଡ଼ିଶା ରାଜ୍ୟ ବାର କାଉନ୍‍ସିଲର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର ଯୋଗଦେଇ ଆଇନଜୀବୀମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ଆଇନଜୀବୀ ତଥା ପୂର୍ବତନ ବାର୍‌ କାଉନ୍‍ସିଲର ଅଧ୍ୟକ୍ଷ ଧରଣୀଧର ନାୟକ, ଓଡ଼ିଶା ବାର୍‌ କାଉନସିଲର ଉପସଭାପତି ଆଇନଜୀବୀ ଦେବୀପ୍ରସାଦ ଦାଶ ପ୍ରମୁଖ ଆଇନଜୀବୀଙ୍କ ଦାୟିତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ଅତିଥିମାନେ ପ୍ରଥମେ ମଧୁବାବୁଙ୍କ ଜନ୍ମପୀଠ ପରିଦର୍ଶନ କରିବା ସହ ସେଠାରେ ଥିବା ମଧୁବାବୁ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଆଇନଜୀବୀ ସୁଶାନ୍ତ କୁମାର ବରାଳ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଆଇନଜୀବୀ ବିଜୟ କେତନ ନାୟକ ଉପସ୍ଥିତ ରହିଥିଲେ। ସେହିପରି ଦ୍ୱିତୀୟ ଅଧିବେଶନରେ ଉଚ୍ଚ ନ୍ୟାୟାଳୟର ବିଚାରପତି ଶଶିକାନ୍ତ ମିଶ୍ର ଯୋଗଦେଇ ଆଇନଜୀବୀମାନଙ୍କ ଦେଶପ୍ରତି ଗୁରୁଦାୟିତ୍ୱ ରହିଛି ବୋଲି କହିଥିଲେ। ମୁଖ୍ୟବକ୍ତା ରୂପେ ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗର ଅଧ୍ୟକ୍ଷ ଦୁର୍ଗାପ୍ରସାଦ ଚୌଧୁରୀ, ସମ୍ମାନିତ ଅତିଥି ରୂପେ ଡା. ନୀଳମାଧବ ରଥ ପ୍ରମୁଖ ମଧୁବାବୁଙ୍କ ତ୍ୟାଗପୂତ ଜୀବନ ସମ୍ପର୍କରେ ଅବତାରଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଭିନ୍ୟୁ ବାର ଆସୋସିଏସନ୍‍ର ସଭାପତି ସନ୍ତୋଷ କୁମାର କର, ସମ୍ପାଦକ ସୁରେନ୍ଦ୍ର କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comments are closed.