ସୁନା ପୁଅଙ୍କ ଘରବାହୁଡ଼ା : ସ୍ବର୍ଣ୍ଣ ଜିତିବା ପାଇଁ ସଙ୍କଳ୍ପ କରିଥିଲି : ପ୍ରମୋଦ

କଟକ  : ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଟୋକିଓରେ ପ୍ରତି ମୂହର୍ତ୍ତରେ ମନ ଭିତରେ ଝଡ ସୃଷ୍ଟି ହେଇଥିଲା । ପଦକ ଜିତିବା ପରେ ମନ ଶାନ୍ତ ହୋଇଥିଲା ବୋଲି ଟୋକିଓ ପାରାଲିମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିଥିବା ଓଡ଼ିଆ ସୁନା ପୁଅ ପ୍ରମୋଦ ଭଗତ କହିଛନ୍ତି। ଶୁକ୍ରବାର ଓଡ଼ିଶା ଫେରିବା ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ପ୍ରମୋଦ କହିଛନ୍ତି ଯେ, ଟୋକିଓ ପାରାଲିମ୍ପିକ୍‌ସରେ ସ୍ବର୍ଣ୍ଣ ଜିତିବା ନେଇ ବହୁତ କଷ୍ଟ କରିବାକୁ ପଡ଼ିଛି । ପାରାଲିମ୍ପିକ୍‌ସରେ ପଦକ ଜିତିବା ନେଇ ସ୍ବପ୍ନ ରହିଥିଲା । ଯାହା ମୋର ଟୋକିଓରେ ପୂରଣ ହୋଇଛି ବୋଲି ପ୍ରମୋଦ କହିଛନ୍ତି। କରୋନା କଟକଣା ମଧ୍ୟରେ ଖେଳିବା ଓ ଅଭ୍ୟାସକୁ ଜାରି ରଖିବା ସହଜକର ନଥିଲା । ଏଥିପାଇଁ ବହୁତ କଷ୍ଟ କରିବାକୁ ପଡିଥିଲା। ସ୍ବର୍ଣ୍ଣ ସଫଳତା ସବୁ କଷ୍ଟକୁ ଦୂର କରିଛି। ପରିଶ୍ରମର ଫଳ ମିଳିଛି। ଏପର୍ଯ୍ୟନ୍ତ ଜିତିଥିବା ୧୨୫ଟି ପଦକ ମଧ୍ୟରୁ ଟୋକିଓ ପାରାଲିମ୍ପିକ୍‌ସ ପଦକ ଶ୍ରେଷ୍ଠ ବୋଲି ପ୍ରମୋଦ କହିଛନ୍ତି। ଉପ ଜିଲାପାଳ ହେବା ନେଇ ମୋର ଇଛା ଥିଲା। ଏବେ ବି ରହିଛି । ସରକାର ଏ ଶ୍ରେଣୀରେ ନିଯୁକ୍ତି ଦେବା ନେଇ ପ୍ରସ୍ତାବ ଦେଇଛନ୍ତି। ଚାକିରି ନେଇ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ତାହା ଭଲ ହେବ।

ସୁସଜ୍ଜିତ ଗାଡ଼ିରେ ପ୍ରମୋଦଙ୍କୁ ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ନିଆଯାଉଛି

କ୍ରୀଡ଼ାରେ ନିଯୁକ୍ତି ମିଳିଲେ ଖୁସି ହେବି ବୋଲି ପ୍ରମୋଦ କହିଛନ୍ତି। ଓଡ଼ିଶାରେ ପାରା କ୍ରୀଡ଼ାବିତ୍‌ମାନେ ଆଗକୁ ବଢିବା ନେଇ ସଂଘର୍ଷ କରୁଛନ୍ତି। ଆଗାମୀ ଦିନରେ ଓଡ଼ିଶା ପାରା କ୍ରୀଡ଼ାବିତ୍‌ମାନଙ୍କ ଲାଗି ସରକାର ସୁବିଧାସୁଯୋଗ କରନ୍ତୁ। ପ୍ରତି ଷ୍ଟାଡ଼ିୟମରେ‌େ‌ ପାରା କ୍ରୀଡ଼ାବିତ୍‌ମାନଙ୍କ ଲାଗି ଖେଳିବାର ସୁବିଧା ହେଉ ବୋଲି ପ୍ରମୋଦ କହିଛନ୍ତି। ଓଡ଼ିଶା ଫେରିଥିବାରୁ ମୁଁ ବହୁତ ଖୁସି । ସମସ୍ତଙ୍କ ସହଯୋଗ ପାଇଁ ମୁଁ ଆଜି ଟୋକିଓ ପାରାଲିମ୍ପିକ୍‌ସରେ ସଫଳତା ହାସଲ କରିପାରିଛି। ବିଶେଷ କରି ମୋ ପରିବାର, ଅଞ୍ଚଳବାସୀ, ପ୍ରଶିକ୍ଷକ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହଯୋଗ ମୋତେ ଉତ୍ସାହିତ କରିଛି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ବୋଲି ପ୍ରମୋଦ କହିଛନ୍ତି। ୨୦୨୪ ଓ ୨୦୨୮ ପାରା ଅଲିମ୍ପିକ୍‌ସରେ ମୋ ଭଳି ଅନେକ ପ୍ରମୋଦ ଭଗତଙ୍କୁ ଦେଖିବାକୁ ଚାହୁଁଛି। ଏଥିପାଇଁ ପାରା କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହନ ମିଳିବା ଆବଶ୍ୟକ। ପାରା କ୍ରୀଡ଼ାବିତ୍‌ମାନଙ୍କୁ ସରକାରୀ ସୁବିଧାସୁଯୋଗ ଓ ନିଯୁକ୍ତି ନେଇ ମୁଁ ଲଢେଇ କରିବି। ପାଇଥିବା ୬ କୋଟି ପୁରସ୍କାର ପାରା କ୍ରୀଡ଼ାବିତ୍‌ମାନଙ୍କ ଲାଗି ଖର୍ଚ୍ଚ କରିବାକୁ ପ୍ରସ୍ତୁତ ବୋଲି ପ୍ରମୋଦ କହିଛନ୍ତି। ଏବେ ବିବାହ କରିବା ନେଇ କୌଣସି ଯୋଜନା ନାହିଁ ବୋଲି ପ୍ରମୋଦ କହିଛନ୍ତି।
ଟୋକିଓ ପାରାଲିମ୍ପିକ୍‌ସରେ ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ଓଡ଼ିଶା ଫେରିଛନ୍ତି। ଶୁକ୍ରବାର ଅପରାହ୍ଣ୨ଟାରେ ପ୍ରମୋଦ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କ୍ରୀଡ଼ା ବିଭାଗ ସମେତ ଓଡ଼ିଶା ପାରା ପ୍ଲେୟାର୍ସ ଫୋରମ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୋଦଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରିଥିଲେ। ସେହିପରି ଅଲିମ୍ପିଆନ ପଦ୍ମଶ୍ରୀ ଦିଲୀପ ତିର୍କୀ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା ପ୍ରମୁଖ ପ୍ରମୋଦଙ୍କୁ ସ୍ବାଗତ କରିଥିଲେ। ପ୍ରମୋଦଙ୍କ ପ୍ରଶିକ୍ଷକ ଶିବପ୍ରସାଦ ଦାସଙ୍କ ଓଡ଼ିଶା ପାରା ପ୍ଳେୟାର ଫୋରମ ପକ୍ଷରୁ ସୁନୀଲ ପ୍ରଧାନ, ରାଖାଲ ସେଠୀ, ଦିଲେଶ୍ବର ରାଓଙ୍କ ସମେତ ଅନ୍ୟ କ୍ରୀଡ଼ାବିତ୍‌ମାନେ ଉପସ୍ଥିତ ଥିଲେ। ପରେ ପ୍ରମୋଦଙ୍କୁ ସୁଃସଜ୍ଜିତ ଗାଡ଼ିରେ କଳିଙ୍ଗ ଷ୍ଟାଡ଼ିୟମକୁ ନିଆଯାଇଥିଲା।ସୂଚନାଯୋଗ୍ୟ ଟୋକିଓ ପାରାଲିମ୍ପିକ୍‌ସରେ ପ୍ରମୋଦ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରି ପୁରୁଷ ଏସ୍‌ଏଲ-୩ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ନୂଆ ଇତିହାସ ରଚିଛନ୍ତି।

Comments are closed.