୨୦୨୧ ଶେଷ ବେଳକୁ ୬୫ ହଜାର ଅତିକ୍ରମ କରିପାରେ ୧୦ ଗ୍ରାମ ସୁନା

ନୂଆଦିଲ୍ଲୀ:  ୨୦୨୦ ମସିହାରେ ସୁନା ନିବେଶକମାନଙ୍କୁ ବିପୁଳ ପରିମାଣର ରିଟର୍ଣ୍ଣ ଦେଇଛି ସୁନା । କରୋନା ଭୂତାଣୁ ସଂକ୍ରମଣ ସତ୍ବେ ସୁନା ରେକର୍ଡ଼ ମୂଲ୍ୟ ଛୁଇଁଛି । ରୁପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏବେ ବିଶେଷଜ୍ଞମାନେ ୨୦୨୧ ଶେଷ ବେଳକୁ ସୁନା ମୂଲ୍ୟ ୧୦ ଗ୍ରାମକୁ ୬୫ ହଜାର ଟଙ୍କା ଓ ରୁପାମୂଲ୍ୟ କିଲୋଗ୍ରାମ ପିଛା ୯୦୦୦୦ ଟଙ୍କାରେ ପହଞ୍ଚି ପାରେ ବୋଲି ଆକଳନ କରିଛନ୍ତି ।

୨୦୨୦ ମସିହାରେ ନିବେଶକମାନଙ୍କୁ ସୁନା ୨୭% ଓ ରୁପା ୫୦% ପର୍ଯ୍ୟନ୍ତ ରିଟର୍ଣ୍ଣ ଦେଇଛି । ଗତବର୍ଷ ଅଗଷ୍ଟରେ ସୁନା ମୂଲ୍ୟ ରେକର୍ଡ଼ ୫୬,୨୦୦ ଟଙ୍କା ଛୁଇଁଥିଲା ଓ ରୁପା କିଲୋଗ୍ରାମ ପିଛା ପହଞ୍ଚିଥିଲା ୮୦ ହଜାର ଟଙ୍କାରେ ।

ନୂଆବର୍ଷର ପ୍ରଥମ ଦିନରେ ସୁନା ମୂଲ୍ୟ ୦.୦୯% ବୃଦ୍ଧି ସହ ୧୦ ଗ୍ରାମ ପିଛା ୫୦୧୯୫ ଟଙ୍କା ହୋଇଛି । ଏହା ସହ ରୁପା ମୂଲ୍ୟ ମଧ୍ୟ ୦.୧୫% ବୃଦ୍ଧି ପାଇ କିଲୋଗ୍ରାମ ପିଛା ୬୮୨୦୮ ଟଙ୍କାରେ ବିକ୍ରି ହୋଇଛି ।

ଆଇସିଆଇସିଆଇ ସିକ୍ୟୁରିଟିର ବିଶେଷଜ୍ଞମାନେ କହିଛନ୍ତି ଯେ ବର୍ତ୍ତମାନ ସାରା ବିଶ୍ୱରେ କରୋନା ଜୀବାଣୁ ବୃଦ୍ଧି ହେତୁ ବିଶ୍ବ ଅର୍ଥନୀତିରେ ପୁନରୁଦ୍ଧାର ଏବଂ ପୁନର୍ଜୀବନ  ଅନିଶ୍ଚିତତା ମଧ୍ୟରେ ରହିଛି। ଏହି କାରଣରୁ, ନିବେଶକମାନେ ସୁନା ଓ ରୂପାରେ ନିବେଶକୁ ସୁରକ୍ଷିତ ମଣୁଛନ୍ତି । ସେହିପରି ଦଲାଲ ଷ୍ଟ୍ରୀଟର ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ୨୦୨୧ରେ ସୁନା ମୂଳ୍ୟ ୧୦ ଗ୍ରାମ ପିଛା ୬୫ ହଜାର ଓ ରୁପା କିଲୋପିଛା ୯୦ ହଜାର ଟଙ୍କାରେ ପହଞ୍ଚି ପାରେ ।  ଯଦିଓ ବିଶ୍ବ ଅର୍ଥନୀତିରେ ବହୁ ପରିମାଣର ପୁନରୁଦ୍ଧାର ପ୍ୟାକେଜ୍ ମିଳୁଛି, ତଥାପି ସୁନା ଏବଂ ରୂପା ବିନିଯୋଗ ନିବେଶକଙ୍କୁ ଆକର୍ଷିତ କରିଥାଏ | ଏହା ସହିତ ଏହି ଦୁଇଟି ମୂଲ୍ୟବାନ ଧାତୁର ମୂଲ୍ୟ ନୂଆ ବର୍ଷରେ ବୃଦ୍ଧି ପାଇବ | ସୋଲାର ପ୍ୟାନେଲ ଏବଂ ଇଲେକ୍ଟ୍ରୋନିକ୍ସ ଭଳି ରୂପା ଆଧାରିତ ପ୍ରଯୁକ୍ତିବିଦ୍ୟାରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି। ଏହି କାରଣରୁ ରୂପା ମୂଲ୍ୟ ମଧ୍ୟ ତୀବ୍ର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Comments are closed.